ଭୁବନେଶ୍ୱର: ଲୋକପ୍ରିୟ ସୋ କୌନ ବନେଗା କରୋଡ଼ପତିରେ ଓଡ଼ିଆ ଝିଅ | ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଲେ, ଓଡ଼ିଶାର କଳା ସଂସ୍କୃତିର କଥା କହିଲେ | ବିଗ ବିଙ୍କୁ ଖଜା ଦେଲେ ଆଉ ଅମିତାଭ ବି ଆଦରର ସହ ଗ୍ରହଣ କଲେ | ଗତକାଲି ସୋନି ଟିଭିରେ ପ୍ରସାରିତ ଏହି ସୋରେ ଓଡ଼ିଆ ଝିଅଙ୍କ ଜଲୱା ଦେଖିବାକୁ ମିଳିଥିଲା |

Advertisment

ବାସ୍ତବରେ ଓଡ଼ିଆ କଳା, ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବାରେ ଲାଗିପଡିଥିବା ଅମ୍ରିତା ସାବତଙ୍କୁ କେବିସି ବା କୌନ ବନେଗା କରୋଡ଼ପତିରେ ଦେଖିବାକୁ ମିଳିଥିଲା | ୨୫ ବର୍ଷରେ କେବିସିର ସ୍ୱତନ୍ତ୍ର ଏପିସୋଡ଼ରେ ଦେଶର ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଅମ୍ରିତା ଚୟନ ହୋଇଥିଲେ | ଆଉ ଅମିତାଭ ଅମ୍ରିତାଙ୍କୁ ହଟସିଟରେ ବସାଇବା ସହ ଦେଶ ବିଦେଶ ସହ ଜଡିତ ଅନେକ ପ୍ରଶ୍ନ ପଚାରିଥିଲେ | ଅମ୍ରିତା ଏହି ସୋରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଥିଲେ | 

ତେବେ କେବିସିରେ ଅନୁଭବ କେମିତି ଥିଲା ପ୍ରଶ୍ନରେ ଅମ୍ରିତା କହିଛନ୍ତି ଯେ ଅମିତାଭଙ୍କୁ ଓଡିଶାର କଳା-ସଂସ୍କୃତି ସମ୍ବଳିତ ଏକ ପଟ୍ଟଚିତ୍ର ଦେଇଥିଲୁ, ଯାହାକୁ ଜାତୀୟ ପୁରସ୍କାରପ୍ରାପ୍ତ ଜିତେନ୍ଦ୍ର ପରିଡା ପ୍ରସ୍ତୁତ କରିଥିଲେ | ସେ ଆଗ୍ରହର ସହ ଗ୍ରହଣ କରିବା ସହ ଓଡ଼ିଶାର ଏହି କଳା ଦେଖି ଅଭିଭୂତ ହୋଇପଡିଥିଲେ | ସେହିପରି ଅମିତାଭ ଅମ୍ରିତାଙ୍କ ସହ ବୋଇତ ବନ୍ଦାଣ, ସାଧବ ପୁଅର ବେପାର ବଣିଜ ବାବଦରେ ବି ଆଲୋଚନା କରିଥିଲେ | 

ଅମ୍ରିତା ତାଙ୍କ ବାପା ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତଙ୍କ ସହ ସୋ କୁ ଯାଇଥିବାବେଳେ ଅମ୍ରିତା କହିଛନ୍ତି ଯେ ମିଳିଥିବା ଟଙ୍କାରେ ସେ କାରିଗରମାନଙ୍କ କୌଶଳ ବୃଦ୍ଧି ପାଇଁ ଖର୍ଚ୍ଚ କରିବେ |