ଭୁବନେଶ୍ବର: ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ଚୀନ୍‌ର ଚେଙ୍ଗଡୁରେ ଆୟୋଜିତ ଏସୀୟ କନିଷ୍ଠ (୧୫ ଓ ୧୭ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ୧୫ ବର୍ଷରୁ କମ୍‌ ବର୍ଗ ବାଳିକା ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ତନଭୀ ୨୨-୨୦, ୨୧-୧୧ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଭିଏତନାମର ଏନ୍‌ଗୁୟେଁ ଥି ଥୁ ହୁୟେଁଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍ ମ୍ୟାଚ୍‌ ମାତ୍ର ୩୪ ମିନିଟ୍‌ରେ ଶେଷ ହୋଇଥିଲା। ଏଥିସହ ଏହି ୧୩ ବର୍ଷୀୟା ଓଡ଼ିଆ ଝିଅ ତୃତୀୟ ଭାରତୀୟ ଭାବେ ୧୫ ବର୍ଷରୁ କମ୍‌ ବର୍ଗ ବାଳିକା ଏକକ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ତାଙ୍କ ପୂର୍ବରୁ ସମିୟା ଇମାଦ ଫାରୁକି (୨୦୧୭) ଏବଂ ତସ୍ମିନ ମୀର (୨୦୧୯) ଟ୍ରଫି ଜିତିଥିଲେ। ପ୍ରତିଯୋଗିତାରେ ଭାରତର ଏହା ଦ୍ବିତୀୟ ପଦକ। ଜ୍ଞାନ ଦତ୍ତୁ ତିତି ୧୭ ବର୍ଷରୁ କମ୍‌ ବାଳକ ଏକକରେ କାଂସ୍ୟ ପାଇଥିଲେ। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜ୍ଞାନ ସେମିଫାଇନାଲ୍‌ରେ କଡ଼‌ା ସଂଘର୍ଷ କରି ଇଣ୍ଡୋନେସିଆର ରାଦିତ୍ୟା ବାୟୁ ୱାର୍ଧାନାଙ୍କଠୁ ୨୧-୯, ୧୩-୨୧, ୧୩-୨୧ରେ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ।

Advertisment

ଦୁଇ ଥର ଜାତୀୟ ଉପକନିଷ୍ଠ (୧୩ ବର୍ଷରୁ କମ୍‌) ବାଳିକା ଏକକ ବିଜୟିନୀ ତନ୍‌ଭୀ ଗତ ମାସରେ ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାଠାରେ ଆୟୋଜିତ ଏସୀୟ କନିଷ୍ଠ (୧୯ ବର୍ଷରୁ କମ୍‌) ପ୍ରତିଯୋଗିତାରେ ଦେଶରୁ ପ୍ରତିନିଧିତ୍ବ କରିବାର ସୁଯୋଗ ଅଳ୍ପକେ ହାତଛଡ଼ା କରିଥିଲେ। ତାଙ୍କ ବୟସ ୧୪ ବର୍ଷରୁ କମ୍‌ ଥିବାରୁ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ସୁଯୋଗ ଦେଇ ନଥିଲା। ବାଲେଶ୍ବର ଜିଲ୍ଲା ସିମୁଳିଆ ତହସିଲର ମାର୍କୋଣାର ରବି ନାରାୟଣ ପତ୍ରୀ ଓ ଶୈଳବାଳା ପଣ୍ଡା୍ଙ୍କ ଝିଅ ତନ୍‌ଭୀ ଚୀନ୍‌ରେ ବ୍ୟାଡ୍‌ମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ଚୀନ୍‌ରେ ଚାକିରି କରୁଥିବା ତନ୍‌ଭୀଙ୍କ ପରିବାର କୋଭିଡ୍‌ ପାଇଁ ୨୦୨୦ରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହା ପୂର୍ବରୁ ୨୦୧୭ରୁ ୨୦୨୦ ମଧ୍ୟରେ ସେ ଚୀନ୍‌ର ପ୍ରଶିକ୍ଷକ ଜିଆଙ୍ଗ ୟଙ୍ଗ ୟି’ଙ୍କ ତତ୍ତ୍ବାବଧାନରେ ୯ ଟ୍ରଫି ଜିତି ସାରିଥିଲେ। ୨୦୨୨ରେ ସେ ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମିରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ସେହି ବର୍ଷ ପ୍ରଥମ ଓଡ଼ିଶା ସଟଲର୍‌ ଭାବେ ଉପକନି‌ଷ୍ଠ ଜାତୀୟ ବାଳିକା ଏକକ ଟ୍ରଫି ଜିତିଥିଲେ। ଗତ ବର୍ଷ ସେ ବଲାଙ୍ଗୀରରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ନିଜ ମୁକୁଟ ବଜାୟ ରଖିବାରେ ସକ୍ଷମ ହୋଇଥିଲେ। ବେଙ୍ଗାଲୁରୁରେ ରହୁଥିବା ତନ୍‌ଭୀ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ ଆ‌ନୁକୂଲ୍ୟରେ ଆୟୋଜିତ ହେଉଥିବା ପ୍ରାୟ ପ୍ରତିଯୋଗିତାରେ ଖେଳିବାକୁ ନିଜ ରାଜ୍ୟଙ୍କୁ ଆସିଥା’ନ୍ତି।

ବିଜୟ ପରେ ତନ୍‌ଭୀ କହିଛନ୍ତି ଯେ ‘‘ଟ୍ରଫି ଜିତି ବହୁତ ଖୁସି। ଜିତିବା ଆଶା ରଖିଥିଲି। ଲକ୍ଷ୍ୟରେ ପହଞ୍ଚିଥିବାରୁ ଖୁସି। ମୁଁ ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି (ପିପିବିଏ)ରେ ଗତ ଦୁଇ ବର୍ଷ ହେବ ଅଭ୍ୟାସ କରୁଛି’’। ପିପିବିଏ ନିର୍ଦେଶକ ବିମଳ କୁମାର ଭାରତର ତାରକା ଖେଳାଳି ପିଭି ସିନ୍ଧୁଙ୍କ ସହ ତନ୍‌ଭୀଙ୍କୁ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ‘‘ତନ୍‌ଭୀଙ୍କୁ ୮-୯ ବର୍ଷ ହୋଇଥିଲା ବେଳେ ସେ ଭାରତ ଆସିଥିଲେ ଏବଂ ଏକାଡେମିରେ ୨୦୨୨ ମସିହାରେ ଯୋଗ ଦେଲେ। ସେ ମୋତେ ସିନ୍ଧୁଙ୍କ ଛୋଟ ବେଳ କଥା ମନେ ପକାଇ ଦେଇଛନ୍ତି। ସ୍ବଳ୍ପ ବୟସରେ ମ୍ୟାଚ୍‌ ଜିତିବା କ୍ଷମତା ଏକ ଭଲ ସଙ୍କେତ। ସେ ଅନେକ ବାଟ ଯାଇପାରିବେ ଏବଂ ତାଙ୍କ ସ୍ବଭାବ ସମ୍ଭାବନାର ଦିଗ ଦେଖାଉଛି। ସେ ତାଙ୍କ ବୟସ ବର୍ଗଠୁ ଆଗରେ ଅଛନ୍ତି। ଗତ ୬ ମାସରେ ‌ସେ ୧୭ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଅନେକ ବରିଷ୍ଠ ଖେଳାଳିଙ୍କୁ ହରାଇଛନ୍ତି। ଜାତୀୟ ଫାଇନାଲିଷ୍ଟ ତନ୍‌ଭୀ ଶର୍ମା ମଧ୍ୟ ଏଥିରେ ରହିଛନ୍ତି। ସେ ‌ଯଦି ଏଭଳି ଖେଳ ଜାରି ରଖିବେ ତେବେ ୨୦୨୮ କିମ୍ବା ୨୦୩୨ ଅଲିମ୍ପିକ୍ସ ଲାଗି ବଡ଼ ଦାବିଦାର ରହିବେ’’। ଚଳିତ ବର୍ଷ ତନ୍‌ଭୀ ସର୍ବଭାରତୀୟ ଉପକନିଷ୍ଠ ରୢାଙ୍କିଂ ପ୍ରତିଯୋଗିତାର ଉଭୟ ୧୫ ଓ ୧୭ ବର୍ଷରୁ କମ୍‌ ବାଳିକାରେ ଟ୍ରଫି ଜିତିଛନ୍ତି। ଗତ ମାର୍ଚ୍ଚରେ ଜର୍ମାନୀର ବର୍ଲିନରେ ଆୟୋଜିତ ଜର୍ମାନ କନିଷ୍ଠ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଏହି ଅଷ୍ଟମ‌ ଶ୍ରେଣୀ ଛାତ୍ରୀ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥିଲେ।

୧୪୦୦ କିମି ଗାଡ଼ି ଚଳାଇଥିଲେ ପିତା ପିଲାଙ୍କ ସ୍ବପ୍ନ ସାକାର କରିବା ପାଇଁ ପିତାମାତାଙ୍କୁ ଯେ କେତେ ତ୍ୟାଗ ଓ ପରିଶ୍ରମ କରିବାକୁ ପଡ଼ିଥାଏ ଏହାର ଅନେକ ଉଦାହରଣ ରହିଛି। ଏହା ମଧ୍ୟ ତନଭୀଙ୍କ କ୍ଷେତ୍ରରେ ଘଟିଛି। ତନ୍‌ଭୀଙ୍କ ପିତାମାତା ବେଙ୍ଗାଲୁରୁରେ ରହୁଥିଲେ ମଧ୍ୟ ଓଡ଼ିଶାର କୌଣସି ରାଜ୍ୟ ପ୍ରତିଯୋଗିତାରେ ତା’ର ଅଂଶଗ୍ରହଣକୁ ହାତଛଡ଼ା କରନ୍ତି ନାହିଁ। ୨୦୨୨ ମସିହାରେ ବଲାଙ୍ଗୀରରେ ଅନୁଷ୍ଠିତ ରାଜ୍ୟ ଉପକନିଷ୍ଠ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ତନଭୀଙ୍କୁ ଖେଳାଇବା ପାଇଁ ତାଙ୍କ ପିତା ରବିନାରାୟଣ ପତ୍ରୀ ବେଙ୍ଗାଲୁରୁଠାରୁ ୧୪୦୦ କିଲୋମିଟର୍ ଗାଡ଼ି ଚଳାଇ ଆସିଥିଲେ। ତନଭୀ ବି ବଲାଙ୍ଗୀରରେ ନିରାଶ କରିନଥିଲେ। ଏହି ବିଜୟ ପରେ ତନଭୀ ଦୁଇଟି ଜାତୀୟ ପ୍ରତିଯୋଗିତା ଜିତି ସଫଳତାର ସିଡ଼ି ଚଢ଼ିଥିଲେ।