ବିଜୁଳି ତାତିରେ ବିଧାନସଭା ଗରମ, ଦର ବୃଦ୍ଧି ନେଇ ସରକାରଙ୍କୁ ଅକଳରେ ପକାଇଲେ ବିରୋଧୀ

କେନ୍ଦ୍ରୀୟ ହାରରେ ଧାର୍ଯ୍ୟ ହେଲେ ଆହୁରି ବଢ଼ିଥାନ୍ତା: ବିଜେଡି ବିଧାୟକ

ଭୁବନେଶ୍ୱର : ଅକ୍ଟୋବର ପହିଲାରୁ ବିଜୁଳି ଦରରେ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ତମ୍ବିତୋଫାନ କରିଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟୁତ ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହିତ ପୁଞ୍ଜିପତିଙ୍କ ସ୍ବାର୍ଥର ସୁରକ୍ଷା ଲାଗି କିଭଳି ଗରିବ, ମଧ୍ୟବିତ୍ତଙ୍କ ତଣ୍ଟି ଚିପା ଯାଉଛି ସେ ସଂପର୍କରେ ଜଣେ ପରେ ଜଣେ ବିରୋଧୀ ଦଳର ବିଧାୟକ ତଥ୍ୟ ଅବତାରଣା କରିଥିଲେ। ଅନ୍ୟପକ୍ଷରେ ଶାସକ ଦଳ ପକ୍ଷରୁ ଏହାର ଖଣ୍ଡନ କରାଯାଇଥିଲା ଓ କେନ୍ଦ୍ରୀୟ ହାରରେ ବିଦ୍ୟୁତ ଦର ଧାର୍ଯ୍ୟ ହୋଇଥିଲେ, ବିଜୁଳି ଆହୁରି ମହଙ୍ଗା ହୋଇଥାନ୍ତା ବୋଲି କୁହାଯାଇଥିଲା। ଏହି ଅବସରରେ ବିଜେଡି ବିଧାୟକମାନେ କେନ୍ଦ୍ର ଠାରୁ ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରିଥିଲେ। ସେହିଭଳି ଆଲୋଚନା ମଝିରେ ଖୋଦ୍ ବାଚସ୍ପତି ସୋଲାର ଏନର୍ଜି କାର୍ଯ୍ୟାନ୍ବୟନ ଉପରେ ପ୍ରଶ୍ନ ଉଠାଇ ବିଧାନସଭାର ଉଦାହରଣ ଦେଇଥିଲେ। ବାଚସ୍ପତି କହିଥିଲେ, ସୋଲାର ଏନର୍ଜି ଉପରେ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ଯୋଜନା କରାଯାଇଛି। ବିଧାନସଭାକୁ ସୋଲାର ଏନର୍ଜି ଯୋଗାଇବା ପାଇଁ ପଦକ୍ଷେପ ନିଆଗଲା। ଆର୍ଥିକ ବ୍ୟୟବରାଦ ହେଲା। ସବୁ ସରିବା ପରେ ବି କାମ ଆରମ୍ଭ ହୋଇନାହିଁ। ଶକ୍ତିମନ୍ତ୍ରୀ ଏ ଦିଗରେ ଗୁରୁତ୍ବ ଦେବା ଦରକାର।

କରୋନା ମହାମାରୀ ବେଳେ ଗରିବଙ୍କୁ ବିଜୁଳି ମାଡ଼ ସରକାରଙ୍କ ଅମାନବୀୟ ନୀତିର ନମୁନା। ଏହି ଶୀର୍ଷକରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଗୃହରେ ଶକ୍ତି ମନ୍ତ୍ରୀ ଯେଉଁ ଉତ୍ତର ରଖିଛନ୍ତି, ତାହା କେବଳ ସରକାରଙ୍କୁ ବଞ୍ଚାଇବା ପାଇଁ। କରୋନା ସମୟରେ ଅନେକ ଜୀବନ ଜୀବିକା ହରାଇଥିବା ବେଳେ ଗରିବ ଲୋକ ଅସହାୟ ହୋଇପଡ଼ିଛନ୍ତି। ଏଭଳି ସମୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିଷ୍ପତ୍ତିକୁ ଆଳ କରି ସରକାର ଦରବୃଦ୍ଧି ନିଷ୍ପତ୍ତି ସଂପର୍କରେ ଜାଣିନଥିବା କଥା କହୁଛନ୍ତି, ଯାହା ଗ୍ରହଣୀୟ ନୁହେଁ। କେନ୍ଦ୍ରର ମୋଦୀ ସରକାର ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୮୪ କୋଟିର ରିହାତି ଦେଇଛନ୍ତି। ତା ପରେ ବି ଆୟୋଗ କିଭଳି ୨୦ପଇସା ବିଜୁଳି ଦର ବଢାଇଲେ, ବୁଝାପଡୁନାହିଁ। ଯଦି ଆୟୋଗ ଏହି ଦର ବଢାଇଛନ୍ତି ଓ ସରକାର ଜାଣିନାହାନ୍ତି, ତେବେ ବୁଝିବାକୁ ହେବ ଯେ ମନ୍ତ୍ରୀ ନିଜର ଅସହାୟତା ଗୃହରେ ପ୍ରକାଶ କରିଛନ୍ତି। ସେ ମନ୍ତ୍ରୀ ପଦରେ ରହିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ମାଝୀ କହିଥିଲେ।

ହିସାବ ରଖି ସେ ଆହୁରି କହିଥିଲେ, ଗୋଟିଏ ପଟେ ଚାରିଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନି ଉପରେ ପ୍ରାୟ ୬ ହଜାର କୋଟି (୫ ହଜାର ୯୬୩ କୋଟ ୨୧ ଲକ୍ଷ) ଟଙ୍କା ବାକି ପଡିଛି। ଏଥିରୁ ୱେସ୍କୋ ଉପରେ ୧୧୧୪ କୋଟି ୬୫ ଲକ୍ଷ, ନେସ୍କୋ ଉପରେ ୧୦୨୪ କୋଟି ୬୦ ଲକ୍ଷ, ସାଉଥ୍‌କୋ ଉପରେ ୧୧୬୩ କୋଟି ୬୯ଲକ୍ଷ ବକେୟା ଅଛି। ସେସୁ ମଧ୍ୟ ୨୬୬୦ କୋଟି ଟଙ୍କା ଦେବାକୁ ଅଛି। କେବଳ ସେତିକି ନୁହେଁ, ଗରିବଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖୁଥିବା ସରକାର ପୁଞ୍ଜିପତିଙ୍କ ପ୍ରତି ଅତ୍ୟନ୍ତ ନରମ ମନୋଭାବ ପୋଷଣ କରୁଥିବା ନଜିର କିଛି କମ୍ ନାହିଁ। ୨୬ଟି ଟି ଶିଳ୍ପସଂସ୍ଥାରେ ପ୍ରାୟ ୨୯୪୯ କୋଟି ୬୬ଲକ୍ଷ ଟଙ୍କା ବିଜୁଳି ବିଲ୍ ବକେୟା ପଡିଛି। ୩୦୩୨ଟି କମ୍ପାନି ଉପରେ ୫୧୫ କୋଟି ଟଙ୍କାର ଜଳକର ବାକି ଅଛି। ଯାହା ସରକାର ଏଯାଏ ଆଦାୟ କରିପାରୁନାହାନ୍ତି। ବିଦ୍ୟୁତ କିଣାବିକାର ହିସାବ ବି ଆହୁରି ସାଂଘାତିକ। ବାହାର ରାଜ୍ୟକୁ ରାଜ୍ୟ ସରକାର ୟୁନିଟ ପିଛା ୩ ଟଙ୍କା ୩୧ ପଇସାରେ ବିଦ୍ୟୁତ ବିକ୍ରି କରୁଛନ୍ତି। ଅପରପକ୍ଷରେ ବାହାର ରାଜ୍ୟରୁ ୟୁନିଟ ପିଛା ୩ ଟଙ୍କା ୮୧ ପଇସାରେ କିଣୁଛନ୍ତି। କମ ପଇସାରେ ବିକିବା ଓ ଅଧିକ ପଇସାରେ କିଣାଯାଉଛି କାହା ସ୍ୱାର୍ଥରେ? ସେହିଭଳି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଲାଗି ବିଶ୍ବବ୍ୟାଙ୍କରୁ ୩୦୦୦ କୋଟି ଟଙ୍କା ଋଣ କରାଯାଇଛି। ବିଦ୍ୟୁତ ଉତ୍ପାଦନ କଂପାନିକୁ ୫୨୨୫ କୋଟି ଟଙ୍କାର କର ଛାଡ଼ କରାଯାଇଛି। ସରକାର ଏବେ ଗରିବ ଓ ମଧ୍ୟବିତ୍ତଙ୍କ ମାରଣ ପାଇଁ ବିଜୁଳି ଦରରେ ବୃଦ୍ଧି କରନ୍ତି। ଏହାର ସ୍ପଷ୍ଟୀକରଣ ମନ୍ତ୍ରୀ ଦେବା ଦରକାର ବୋଲି ଶ୍ରୀ ମାଝୀ ଦାବି କରିଥିଲେ। ଅନ୍ୟ ରାଜ୍ୟରେ ବିଜୁଳି ଦର ହିସାବ ଦେଇ ଶ୍ରୀ ମାଝୀ କହିଥିଲେ, ଓଡ଼ିଶାରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ୨ଟଙ୍କା ୫୦ ପଇସା ଆଦାୟ କରାଯାଉଛି। ଆନ୍ଧ୍ରରେ କିନ୍ତୁ ୧ଟଙ୍କା ୪୫ ପଇସା, ଗୋଆରେ ୧ଟଙ୍କା ୪୦ ପଇସା, ଛତିଶଗଡ଼ରେ ୨ ଟଙ୍କା ୪୦ ପଇସା। ତାମିଲନାଡୁ ସରକାର ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଦେଉଛନ୍ତି।

ବିଜେପି ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ, କରୋନା ସମୟରେ ବିଦ୍ୟୁତ ଦର ୨୦ ପଇସା ବୃଦ୍ଧି ଗ୍ରହଣୀୟ ନୁହେଁ। ସମସ୍ତଙ୍କୁ ଏହା ବାଧିବ। ୬୬୦ କୋଟିର ନିଅଣ୍ଟ ଥିବା ନେଇ ଗ୍ରିଡ୍‌କୋ ଯେଉଁ ଦର୍ଶାଇଛି, ତାହା ମଧ୍ୟ ଗ୍ରହଣ କରାଯାଇପାରୁନାହିଁ। ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ବାଚସ୍ପତି ଶକ୍ତି ମନ୍ତ୍ରୀ ଥିବା ବେଳେ ରାଜ୍ୟରେ ବିଦ୍ୟୁତ ସଂସ୍କାର କାମ ଆରମ୍ଭ ହୋଇଥିଲା। ଏବେ ଓଇଆର୍‌ସି ୪ ପ୍ରତିଶତ ଦର ବୃଦ୍ଧି କରିଛନ୍ତି, ଯାହାକୁ କେହି ଗ୍ରହଣ କରିପାରୁନାହାନ୍ତି। ମଧ୍ୟବିତ୍ତମାନେ ଏହାଦ୍ବାରା ବେଶି ପ୍ରଭାବିତ ହେବେ। ୬୦୦୦ କୋଟି ଟଙ୍କାର ବିତରଣ କଂପାନି ଉପରେ ଯେଉଁ ବକେୟା ରହିଛି, ତାକୁ କାହିଁକି ଆଦାୟ କରୁନାହାନ୍ତି। ଶକ୍ତି ମନ୍ତ୍ରୀ କେବିକେ ଅଞ୍ଚଳର। ଏ ଅଞ୍ଚଳରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ। ଏସବୁ ଅଞ୍ଚଳରେ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ବେଳେ ହଜାର ହଜାର ଆଦିବାସୀ ବିସ୍ଥାପିତ ହେଉଛନ୍ତି। ଏବେବି କେହି ଜାଣନ୍ତିନି ଯେ କୋଲାବରୁ ବିସ୍ଥାପିତ ଆଦିବାସୀ କେଉଁଠି ଥଇଥାନ ହେଲେ। ଏତେ ସବୁ ପରେ ବିଜୁଳି ଉତ୍ପାଦନ ହେଉଥିବା ଅଞ୍ଚଳରେ ବିଦ୍ୟୁତ ପହଞ୍ଚି ପାରୁନାହିଁ। ବିଜୁଳି ଦର ବୃଦ୍ଧି ସେମାନଙ୍କ ସ୍ଥିତିକୁ ଅଧିକ ବିପନ୍ନ କରିବ। ୨୪୦ଟି ଟ୍ରାନ୍‌ସଫର୍ମର ମୋହନା, କୋରାପୁଟ, ବଲାଙ୍ଗୀର ଅଞ୍ଚଳରେ ବସାନ୍ତୁ। ରିଲାଏନ୍ସ କଂପାନିକୁ ହଜାର ହଜାର କୋଟି ଟଙ୍କା ଛାଡ କରାଗଲା। ଏବେ ଟାଟାକୁ ଦିଆଯାଇଛି। ଟାଟା ବି ସେମିତି ଦିନେ ପଳାଇବ। ପୁଞ୍ଜିପତିଙ୍କୁ ବିଜୁଳି ଦରରେ ରିହାତି ଦେଉଛନ୍ତି ଓ ସେମାନଙ୍କ ବକେୟା ବିଜୁଳି ବିଲ୍ ଆଦାୟ କରୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ବଡ ବଡ କମ୍ପାନିମାନଙ୍କୁ କୋଟି କୋଟି ଟଙ୍କା ଛାଡ଼ କରିଛନ୍ତି ସରକାର। ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛନ୍ତି। ରିଲାଏନ୍ସ ଓ ଇମ୍ଫା ଭଳି ବଡ ବଡ କମ୍ପାନିମାନଙ୍କୁ ବିଦ୍ୟୁତ ବକେୟା ଛାଡ଼ କରିବାରେ କି ରହସ୍ୟ ଅଛି ବୋଲି ସେ ପ୍ରଶ୍ନ କରିଥିଲେ। ଇମ୍ଫାକୁ ୨୩୦୦ କୋଟି ଟଙ୍କା କାହିଁକି ଛାଡ଼ କରାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ ସାଲୁଜା।

ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ ଓଇଆରସି ହେଉଛନ୍ତି କ୍ବାସି ଜୁଡିସିଆଲ୍ ବଡି। ବିଦ୍ୟୁତ ଦର ବୃଦ୍ଧି ନେଇ ୨୦୧୯ ନଭେମ୍ବରରୁ ଆବେଦନ ହୋଇଥିଲା। ଏବେ ସେହି ଦର ବୃଦ୍ଧି ମାତ୍ର ୩.୯ ପ୍ରତିଶତ ହୋଇଛି। କେନ୍ଦ୍ର ସରକାର ଯେଉଁ ୮୦ କୋଟି ଟଙ୍କା କହିଛନ୍ତି, ତାକୁ ହିସାବକୁ ନିଆଯାଇଛି। ବିଜୁଳି ସବ୍‌ସିଡି ବାବଦରେ ରାଜ୍ୟ ସରକାର ଏବେ ସୁଦ୍ଧା ୪ହଜାର କୋଟି ଟଙ୍କା ଦେଇସାରିଲେଣି। ୧୪ ପ୍ରତିଶତ କ୍ଷତି କମିଛି। ବିରୋଧୀ ଯେଉଁ ତମ୍ବିତୋଫାନ କରୁଛନ୍ତି, ସେମାନେ ଜାଣିବା ଦରକାର ଯେ କେନ୍ଦ୍ରୀୟ ବିଦ୍ୟୁତ କଂପାନିମାନେ ତାଙ୍କ ଦରରେ ଇତିମଧ୍ୟରେ ଅହେତୁକ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାରଙ୍କ କଂପାନି ଯେଉଁ ହାରରେ ଦର ବୃଦ୍ଧି କରୁଛନ୍ତି, ତାକୁ ଯଦି ବିଚାରକୁ ନିଆଯିବ, ତେବେ ଏହି ଦର ବୃଦ୍ଧି ଆହୁରି ହେବା କଥା। କିନ୍ତୁ ତାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କ୍ରମେ ମାତ୍ର ୨୦ ପଇସାରେ ରଖାଯାଇଛି। ରାଜ୍ୟ ସରକାର ବିଜୁଳି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି। ଓଡ଼ିଶା ଆଜି ବିଜୁଳି ବଳକା ରାଜ୍ୟରେ ପରିଗଣିତ। ବରଂ ଏହା ହେବା ଉଚିତ୍ ଯେ ବିଜୁଳି ଭିତ୍ତିଭୂମିକୁ ଅଧିକ ସଶକ୍ତ କରିବା ଲାଗି କୋଭିଡ୍ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ପ୍ୟାକେଜ୍ ଦେବାର ଆବଶ୍ୟକତା ରହିଛି। ବିଜେଡି ବିଧାୟକ ପ୍ରୀତିରଂଜନ ଘଡାଇ କହିଥିଲେ, ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଏହି ଦର ବୃଦ୍ଧି କରାଯାଇଛି। ଗୋଟିଏ ପଟେ ବିରୋଧୀ ଦଳ ଗୁଣାତ୍ମକ ବିଜୁଳି ମାଗୁଛନ୍ତି, ଅନ୍ୟପଟେ ଦର ବୃଦ୍ଧିକୁ ବିରୋଧ କରୁଛନ୍ତି। ବିଜେଡି ବିଧାୟକ ଚନ୍ଦ୍ରସାରଥୀ ବେହେରା କହିଥିଲେ, ଏନଟିପିସି ଓ ଏନଏଚପିସି ଯଥାକ୍ରମେ ୬୮ ଓ ୬୦ ପଇସା ବୃଦ୍ଧି କରିଛନ୍ତି। ତାକୁ ବିଚାରକୁ ନେଲେ ବିଦ୍ୟୁତ ଦର ୯୯ ପଇସାରୁ ୧ଟଙ୍କା ବଢିବା କଥା। ମାତ୍ର ସରକାରଙ୍କ ହସ୍ତକ୍ଷେପ କ୍ରମେ ଏହା ୨୦ ପଇସା ବଢିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଇତିମଧ୍ୟରେ ୧୬ ପ୍ରତିଶତ ହୋଇଛି। ଏଇଟା କଣ ସାଧାରଣ ଲୋକଙ୍କୁ ବାଧୁନି? ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ, ଗତ ୨୦ବର୍ଷ ଭିତରେ ରାଜ୍ୟ ସରକାର ବିଜୁଳି ଭିତ୍ତିଭୂମି ପାଇଁ ୮୦୦୦ କୋଟି ଓ କେନ୍ଦ୍ର ସରକାର ୮୦୦୦ କୋଟି ଖର୍ଚ୍ଚ କରିଛନ୍ତି। କିନ୍ତୁ ଚିପିଲିମାରେ ଜେନେରେସନ୍ ୟୁନିଟ୍ ୪୦ବର୍ଷର ପୂରଣ ହେଲାଣି। ତାକୁ ବଦଳାଇବାର ଆବଶ୍ୟକ ରହିଛି। ଅତ୍ୟାଧୁନିକ ମେସିନ୍ ଲାଗିଲେ ଗୁଣାତ୍ମକ ବିଜୁଳି ଯୋଗାଇ ହେବ।

ସମ୍ବନ୍ଧିତ ଖବର