ଭୁବନେଶ୍ବର: ଓଡ଼ିଶା ଭିତ୍ତିକ ଦଳ ‘ଓଡ଼ିଶା ଏଫ୍‌ସି’ ଆଇଏସ୍‌ଏଲ୍‌-୨୦୨୬ରେ ଖେଳିବା ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ସଂଶୟ ଦୂର ହୋଇଛି। ମଙ୍ଗଳବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କ୍ଲବ୍‌ ଏକଥା ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି ଯେ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ଆଗାମୀ ଋତୁ ସମ୍ବଳିତ ପ୍ରସ୍ତାବ ଏବଂ ଭାରତୀୟ ଫୁଟ୍‌ବଲ୍‌ର ନିରନ୍ତରତା, ସ୍ଥାୟିତ୍ବ ଏବଂ ଦୀର୍ଘକାଳୀନ ବିକାଶ ଲାଗି ଭାରତ ସରକାର ନେଉଥିବା ବିଭିନ୍ନ ପଦକ୍ଷେପକୁ ଆମେ ସମର୍ଥନ କରୁଛୁ।

Advertisment

ସବୁ କଥାକୁ ଯତ୍ନର ସହ ବିଚାରକୁ ନେବା ପରେ ଆଇଏସ୍‌ଏଲ୍‌ର ଆଗାମୀ ଋତୁରେ ଅଂଶଗ୍ରହଣ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଭାରତୀୟ ଫୁଟ୍‌ବଲ୍‌କୁ ଚଳଚଞ୍ଚଳ, ଦୃଶ୍ୟମାନ ତଥା ଏକତ୍ର କରିବା ଏବଂ ପରିବର୍ତ୍ତନ କାଳରେ ସଫଳତା ଧାରାକୁ ବଜାୟ ରଖିବା ସହ ଘରୋଇ ଫୁଟ୍‌ବଲ୍‌କୁ ସଫଳତାର ନୂଆ ସ୍ତରରେ ପହଞ୍ଚାଇବା ଲାଗି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ ସମର୍ଥନଜଣାଉଛୁ। କାରଣ ଏହା କେବଳ ଖେଳାଳି ନୁହେଁ, ଏଥିସହ ଜଡ଼ିତ କର୍ମଚାରୀ, କ୍ଲବ୍‌ ଏବଂ ଲକ୍ଷଲକ୍ଷ ପ୍ରଶଂସକଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ।

ଆହୁରି ପଢନ୍ତୁ: Donald Trump: ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ: ତେହେରାନର ବାର୍ତ୍ତାକୁ ଅପେକ୍ଷା କରିଛନ୍ତି ଟ୍ରମ୍ପ

ଭାରତରେ ଉଭୟ ପୁରୁଷ ଓ ମହିଳା ଫୁଟ୍‌ବଲ୍‌ର ବିକାଶ ଲାଗି ଗତ ଏକ ଦଶନ୍ଧି ହେବ ଓଡ଼ିଶା ଏଫ୍‌ସି ଅନ୍ୟତମ ଉର୍ତ୍ସଗୀକୃତ ସ୍ବତ୍ବଧାରୀ ହୋଇ ରହିଆସିଛି। ଦେଶର ଫୁଟ୍‌ବଲ୍‌ ଜୈବ ମଣ୍ଡଳରେ ନିରନ୍ତର ଭାବେ ପୁଞ୍ଜି ବିନିଯୋଗ କରି ଆସିଛି। ଭାରତୀୟ ଫୁଟ୍‌ବଲ୍‌ର ଉଜ୍ଜ୍ବଳ ଭବିଷ୍ୟତ ଏବଂ ଆଇଏସ୍‌ଏଲ୍‌ ଦେଶର ସର୍ବୋତ୍ତମ ଫୁଟ୍‌ବଲ୍‌ ଲିଗ୍‌ର ଦୃଢ଼ ଭାବନା ନେଇ ଆମେ ଆଗକୁ ବଢ଼ୁଛୁ।

ଆହୁରି ପଢନ୍ତୁ: Oil Import Decrease: କମିଲା ରୁଷ ତେଲ ଆମଦାନୀ: ତୃତୀୟ ସ୍ଥାନକୁ ଖସିଲା ଭାରତ

ଭାରତ ସରକାରଙ୍କ ସହ କାମ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ଅଛୁ। ସୂଚନାଯୋଗ୍ୟ ଯେ ବହୁ ବାଦ ବିବାଦ ପରେ ଆଇଏସ୍‌ଏଲ୍‌ର ଆଗାମୀ ସଂସ୍କରଣ ଫେବ୍ରୁଆରି ୧୪ରୁ ୧୪ ଦଳକୁ ନେଇ ଆରମ୍ଭ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ଗତ ୬ ତାରିଖରେ ଘୋଷଣା କରିଥିଲେ। ଏହା ସତ୍ତ୍ବେ ଓଡ଼ିଶା ଏଫ୍‌ସି ଓ ଅନ୍ୟ କେତେକ ଦଳ ନିଜ ଅଂଶଗ୍ରହଣକୁ ନିଶ୍ଚିତ କରି ନଥିଲେ। ଫଳରେ ଆଇଏସ୍‌ଏଲ୍‌ର ସଫଳ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମଙ୍ଗଳବାର ଏହି ଆଶଙ୍କା ପ୍ରାୟତଃ ଦୂର ହୋଇଛି।