କଟକ: ପାର୍ବଣରେ ଜନସାଧାରଣଙ୍କ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନାକୁ ଦୃଷ୍ଟିରେ ରଖି ବିଭିନ୍ନ ପୂଜା କମିଟି ତରଫରୁ ମଣ୍ଡପ ଓ ତୋରଣ ନିର୍ମାଣ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ସହର ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ତୋରଣର ଉଚ୍ଚତା ସହିତ ସମ୍ଭାବ୍ୟ କ୍ଷତି ପ୍ରସଂଗକୁ ବିଚାରକୁ ନେଇ ସୁରକ୍ଷା ନିୟମାବଳୀ ଓ ମଜଭୁତ ନିର୍ମାଣ ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ପ୍ରଶାସନ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଲାଇସେନ୍ସ ପାଇଁ ଆବେଦନ କରିବା ବେଳେ କେଉଁ ଧରଣର ପେଣ୍ଡାଲ (ଉଭୟ ବାଉଁଶ ଓ ଇଲେକ୍ଟ୍ରିକ୍), ଗେଟ୍ର ଉଚ୍ଚତା ଓ ସଂଖ୍ୟା ଇତ୍ୟାଦି ସଂକ୍ରାନ୍ତରେ ସତ୍ୟପାଠରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ମଣ୍ଡପ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଂଗରେ ସତ୍ୟପାଠ ଦାଖଲ କରିବାକୁ କଟକ ଅଗ୍ନିଶମ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାର୍ବଣ ସମୟରେ ସହରରେ ନିରବଚ୍ଛିନ ଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଭେଜାଲ ଖାଦ୍ୟ ସାମଗ୍ରୀ ବିକ୍ରି ରୋକିବା, ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ବଚ୍ଛତା ବଜାୟ ରଖିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏହି ପ୍ରସଂଗରେ ସିଏମସି ଓ ଅନ୍ୟ ବିଭାଗ ଠାରୁ ହାଇକୋର୍ଟ ସତ୍ୟପାଠ ମାଧ୍ୟମରେ ଜବାବ ତଲବ କରିଛନ୍ତି।
କଟକର ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ହାଇକୋର୍ଟ ଆର ଆଣ୍ଡ ବି ଓ ଅନ୍ୟ ବିଭାଗ ଗୁଡ଼ିକ ଉପରେ ବର୍ଷିଥିଲେ। ରାସ୍ତା ମରାମତି ପାଇଁ ଟେଣ୍ଡର କରାଯାଇଛି ଓ ବର୍ଷା ବନ୍ଦ ହେବା ପରେ କାମ ଆରମ୍ଭ ହେବ ବୋଲି ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ଦର୍ଶାଇଥିଲେ। ପୂଜା ସମୟରେ ରାସ୍ତା ମରାମତି ପାଇଁ ପାଣ୍ଠି ଖର୍ଚ୍ଚ କରାଯାଉଛି ନା କର୍ପୋରେଟରଙ୍କୁ ପୂଜା ଭେଟି ଦିଆଯାଉଛି ବୋଲି ଶୁଣାଣି ବେଳେ ଆମିକସକ୍ୟୁରି ଦର୍ଶାଇଥିଲେ। ଅଧିକାରୀମାନେ କଟକ ସହରର ବିଭିନ୍ନ ୱାର୍ଡ ବୁଲିବା ସହିତ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହୁଅନ୍ତୁ ବୋଲି ହାଇକୋର୍ଟ କହିଥିଲେ। ସହରର ରାସ୍ତାଘାଟ ମରାମତି ପ୍ରସଂଗରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂଜା ସମୟରେ ଶବ୍ଦମାତ୍ରା ୬୫ ଡେସିବେଲ ଭିତରେ ସୀମିତ ରଖିବା, ଟ୍ରାଫିକ ଓ ଭିଡ଼ ପରିଚାଳନା ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜୋର ଜବରଦସ୍ତ ଚାନ୍ଦା ଆଦାୟ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବ। ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ପାଇଁ ପୁଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ପାଟ୍ରୋଲିଂ କଡାକଡ଼ି କରାଯିବା ସହିତ ଅଧିକ ସଂଖକ ପୁଲିସ ମୁତୟନ, ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ, ଶୃଙ୍ଖଳିତ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା, ନିର୍ଦ୍ଧିଷ୍ଟ ବିସର୍ଜନ ସ୍ଥାନ ଚିହ୍ନଟ, ସିସି ଟିଭି ଦ୍ବାରା ତଦାରଖ, ପରିବେଶ ଅନୁକୂଳ ବ୍ୟବସ୍ଥା ଗ୍ରହଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
କଟକର ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ହାଇକୋର୍ଟ ଆର ଆଣ୍ଡ ବି ଓ ଅନ୍ୟ ବିଭାଗ ଗୁଡ଼ିକ ଉପରେ ବର୍ଷିଥିଲେ। ରାସ୍ତା ମରାମତି ପାଇଁ ଟେଣ୍ଡର କରାଯାଇଛି ଓ ବର୍ଷା ବନ୍ଦ ହେବା ପରେ କାମ ଆରମ୍ଭ ହେବ ବୋଲି ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ଦର୍ଶାଇଥିଲେ। ପୂଜା ସମୟରେ ରାସ୍ତା ମରାମତି ପାଇଁ ପାଣ୍ଠି ଖର୍ଚ୍ଚ କରାଯାଉଛି ନା କର୍ପୋରେଟରଙ୍କୁ ପୂଜା ଭେଟି ଦିଆଯାଉଛି ବୋଲି ଶୁଣାଣି ବେଳେ ଆମିକସକ୍ୟୁରି ଦର୍ଶାଇଥିଲେ। ଅଧିକାରୀମାନେ କଟକ ସହରର ବିଭିନ୍ନ ୱାର୍ଡ ବୁଲିବା ସହିତ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହୁଅନ୍ତୁ ବୋଲି ହାଇକୋର୍ଟ କହିଥିଲେ। ସହରର ରାସ୍ତାଘାଟ ମରାମତି ପ୍ରସଂଗରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ ଏହି ସବୁ ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ହେବ। ୨୫ ତାରିଖ ବା ତା ପୂର୍ବରୁ ସତ୍ୟପାଠ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଆମିକସ କ୍ୟୁରି ବିଜୟ କୁମାର ଦାଶ, ହାଇକୋର୍ଟ ବାର୍ ସଭାପତି ମନୋଜ କୁମାର ମିଶ୍ର, ଆଡଭୋକେଟ କମିଟି ସଦସ୍ୟ ବିଭୁତି ଭୂଷଣ ଚୌଧୁରୀ, ସରୋଜ କୁମାର ପାଢୀ, ମହମ୍ମଦ ଆରିଫ ଉଦ୍ଦିନ ଖାଁ, ରାଧାରମଣ ଦାସ ନାୟକ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।