କୁଳବୃଦ୍ଧ ମଧୁସୂଦନ ଦାସ ଅନେକ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମ। ସେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍ ପୁଣି ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ମନ୍ତ୍ରୀ। ମାତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାର ଦୁଇ ବର୍ଷ ପୂର୍ବରୁ ଇହଧାମ ତ୍ୟାଗ କରିଥିବାରୁ ସେ ଓଡ଼ିଶାର କୌଣସି ନିର୍ବାଚନରେ ଅଂଶଗ୍ରହଣ କରିନାହାନ୍ତି। ତେବେ ଏହି କାମ କରି ଦେଖାଇଥିଲେ ତାଙ୍କର ଗେହ୍ଲାଝିଅ ଶୈଳବାଳା। ବିଧାନସଭା ବା ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରି ନଥିଲେ ମଧ୍ୟ ସେ ୧୯୫୨ରେ ଅନୁଷ୍ଠିତ ପ୍ରଥମ ରାଜ୍ୟସଭା ନିର୍ବାଚନରେ ଅଂଶଗ୍ରହଣ କରି ଓଡ଼ିଶାରୁ ନିର୍ବାଚିତା ହୋଇଥିଲେ। ସେ ହେଲେ ରାଜ୍ୟସଭାରେ ଓଡ଼ିଶାର ପ୍ରଥମ ମହିଳା ସଦସ୍ୟ।
ମଧୁବାବୁଙ୍କର ଘନିଷ୍ଠ ବନ୍ଧୁ ଅମ୍ବିକା ଚରଣ ହାଜରାଙ୍କର ପ୍ରଥମ ସନ୍ତାନ ଶୈଳବାଳା ୨୫ ମାର୍ଚ୍ଚ ୧୮୭୫ରେ କଲିକତାର ଭବାନୀପୁରଠାରେ ଜନ୍ମ ଗ୍ରହଣ କରିଥିଲେ। ସଂଯୋଗକ୍ରମେ ସେ ଜନ୍ମ ନେଇଥିଲେ ମଧୁସୂଦନ ଦାସଙ୍କ ଘରେଏବଂ ବଢ଼ିଥିଲେ ସୌଦାମିନୀ ଦେବୀଙ୍କ କୋଳରେ। ମଧୁସୂଦନଙ୍କ ମନରେ ପିଲାଟି ଦିନରୁ ତାଙ୍କ ପ୍ରତି ଥିଲା ଗଭୀର ଶ୍ରଦ୍ଧା। ନିଜର ସନ୍ତାନସନ୍ତତି ନଥିବାରୁ ସେ ପରବର୍ତ୍ତୀ ସମୟରେ ଶୈଳବାଳାଙ୍କୁ ପାଳିତା କନ୍ୟା ହିସାବରେ ଗ୍ରହଣ କରିଥିଲେ। ଶୈଳବାଳା ହିଁ ହେଲେ ମଧୁସୂଦନଙ୍କର ରାଜନୀତିକ, ସାମାଜିକ ଓ ସାଂସ୍କତିକ କାର୍ଯ୍ୟକ୍ରମର ଘନିଷ୍ଠ ସହଯୋଗୀ।
୧୯୩୪ରେ ମଧୁସୂଦନଙ୍କ ମୃତ୍ୟୁ ପରେ ଶୈଳବାଳା ତାଙ୍କର ସମସ୍ତ କାର୍ଯ୍ୟ ସମ୍ଭାଳି ଥିଲେ। ମାତ୍ର ସେ ନିର୍ବାଚନ ରାଜନୀତିରେ ପ୍ରବେଶ କରିନଥିଲେ। ୧୯୫୧ରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ କଟକ ଆସିଥିବା ସମୟରେ ସେ ତାଙ୍କୁ କଟକସ୍ଥିତ ରାଜଭବନରେ ଭେଟିଥିଲେ। ସେତେବେଳେ ରାଜେନ୍ଦ୍ର ପ୍ରସାଦ ତାଙ୍କୁ ରାଜନୀତିକୁ ଆସିବାପାଇଁ ପ୍ରବର୍ତ୍ତାଇ ଥିଲେ। ତାଙ୍କ ପରାମର୍ଶକ୍ରମେ ଶୈଳବାଳା ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଯୋଗାଯୋଗ କରିଥିଲେ ଏବଂ ୧୯୫୨ରେ ଅନୁଷ୍ଠିତ ପ୍ରଥମ ରାଜ୍ୟସଭା ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ରୂପେ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ।
ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରୁ ନଅ ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ। ମାତ୍ର ପ୍ରତି ଦୁଇ ବର୍ଷରେ ରାଜ୍ୟସଭାର ଏକ ତୃତୀୟାଂଶ ସଦସ୍ୟ ଅବସର ନେବାର ବିଧି ଥିବା କାରଣରୁ ନଅ ଜଣଙ୍କ ମଧ୍ୟରୁ ତିନି ଜଣଙ୍କୁ ଦୁଇବର୍ଷ ପରେ ଅବସର ନେବାର ବ୍ୟବସ୍ଥା ଥିଲା। ୭୭ ବର୍ଷ ବୟସରେ ସଂସଦକୁ ପ୍ରବେଶ କରିଥିବା ଶୈଳବାଳା ୧୯୫୨ ଏପ୍ରିଲ୍ ୩ ଠାରୁ ୧୯୫୪ ଏପ୍ରିଲ୍ ୨ ପର୍ଯ୍ୟନ୍ତ ଦୁଇ ବର୍ଷ ରାଜ୍ୟସଭାରେ ଥିଲେ। ତାଙ୍କ ସହିତ ଅନ୍ୟ ଦୁଇଜଣ ଦୁଇବର୍ଷିଆ ସଦସ୍ୟ ଥିଲେ ବୈଦ୍ୟନାଥ ରଥ ଓ ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓ।
ରାଜ୍ୟସଭାର ପ୍ରଥମ ଅଧିବେଶନ ମେ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ସେଦିନର ଅନୁଭୂତି ମନେପକାଇ ଶୈଳବାଳା ତାଙ୍କର ଆତ୍ମଜୀବନୀ ପୁସ୍ତକ ‘ଏ ଲୁକ୍ ବିଫୋର୍ ଆଣ୍ଡ୍ ଆଫ୍ଟର’ରେ ଲେଖିଛନ୍ତି- ‘‘ ମୁଁ ରାଜ୍ୟସଭାରେ କାହାକୁ ଚିହ୍ନି ନଥିଲି। ତେବେ ହରେକୃଷ୍ଣ ମହତାବ ମୋତେ ଅନ୍ୟମାନଙ୍କୁ ଚିହ୍ନାଇ ଦେଇଥିଲେ। ମୋର ବୟସ ସୂଚାଇବାକୁ ଯାଇ ଯେତେବେଳେ ମହତାବ ମୋର ବୟସ ୯୦ ବୋଲି କହିଥିଲେ ଅନ୍ୟମାନେ ବିଶ୍ୱାସ କରିପାରିନଥିଲେ। ଏତିକିବେଳେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ସେଠାରେ ପହଞ୍ଚିଲେ। ମୋର ବୟସ ୯୦ ବୋଲି ଶୁଣି ମୋ କାନ୍ଧରେ ହାତ ରଖି ସେ କହିଲେ, ମୁଁ ତ ମିସ୍ ଦାସଙ୍କର ବୟସ ଜାଣିଛି। ତେବେ ବୟୋଜ୍ୟେଷ୍ଠା ସଦସ୍ୟା ହିସାବରେ ସେ ଏହି ସଦନର ‘ଦାଦି ମା’। ସେହିଦିନୁ ମୋତେ ଅଧିକାଂଶ ସଦସ୍ୟ ‘ଦାଦି ମା’ ଡାକିବାରେ ଲାଗିଲେ।’’
ରାଜ୍ୟସଭାରେ ଥିବା ସମୟରେ ଓଡ଼ିଶାରେ ନାରୀଶିକ୍ଷାର ପ୍ରସାରପାଇଁ ଶୈଳବାଳା ଅନେକ ପ୍ରଚେଷ୍ଟା କରିଛନ୍ତି। ତାଙ୍କ ନାମରେ ନାମିତ କଟକର ‘ଶୈଳବାଳା ମହିଳା ମହାବିଦ୍ୟାଳୟ’ ଆଜି ଓଡ଼ିଶାରେ ନାରୀଶିକ୍ଷାର ପ୍ରସାରପାଇଁ ଅନ୍ୟତମ ପ୍ରମୁଖ ଅନୁଷ୍ଠାନ। ରାଜ୍ୟସଭାରେ ପ୍ରବେଶ କଲାବେଳେ ଶୈଳବାଳାଙ୍କ ବୟସ ୯୦ ନଥିଲା ସତ ମାତ୍ର ସେ ୯୩ ବର୍ଷର ପରିଣତ ବୟସ ପର୍ଯ୍ୟନ୍ତ ନିରଳସ ଭାବରେ ଦେଶ ପାଇଁ କାର୍ଯ୍ୟ କରିଯାଇଛନ୍ତି।
କୁଳବୃଦ୍ଧଙ୍କର ଗେହ୍ଲାଝିଅ ଶୈଳବାଳାଙ୍କପାଇଁ ରାଜ୍ୟସଭାରେ ‘ଦାଦି ମା’ ସମ୍ବୋଧନଟି ଥିଲା ଏହି ମାତୃସ୍ଥାନୀୟା ମହିଳାଙ୍କ ପ୍ରତି ସାରା ଦେଶର ଶ୍ରଦ୍ଧା ଓ ସମ୍ମାନର ନିଦର୍ଶନ।