ରାଉରକେଲା: ସହରକୁ ୨୦୧୬ରେ ସ୍ମାର୍ଟସିଟି ଘୋଷଣା କରାଗଲା ସତ, କିନ୍ତୁ ଆଜି ଯାଏ ସହର ଯେତିକି ସ୍ମାର୍ଟହେବା କଥା, ତା’ ହୋଇପାରିଲା ନାହିଁ। ଅଧିକାଂଶ ପ୍ରକଳ୍ପ ସହରବାସୀଙ୍କ କାମରେ ଆସୁନି। ଏ ବାବଦରେ ପୂର୍ବ ବିଜେଡି ସରକାର ଥରୁଟିଏ ଚିନ୍ତା କଲେନି। ଏବେ ନୂଆ ବିଜେପି ସରକାର ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି। ପ୍ରକଳ୍ପଗୁଡ଼ିକ ସରିଲାଣି କିନ୍ତୁ କାର୍ଯ୍ୟାଳୟରୁ ଅଧିକାରୀ ଓ କର୍ମଚାରୀ ହଟୁନାହାନ୍ତି। ଯାହାର ଭରପୁର ଫାଇଦା ଉଠାଉଛନ୍ତି ଏମାନେ। କିଛି କାମ ନଥିବାରୁ କାର୍ଯ୍ୟାଳୟରେ ବସି ବସି ସ୍ମାର୍ଟସିଟି ପାଣ୍ଠିରୁ ମାସିକ ମୋଟା ଅଙ୍କର ଦରମା ନେଇଚାଲିଛନ୍ତି।
ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ପ୍ରକଳ୍ପ ସରିଲା ପରେ ଆବଶ୍ୟକ ନଥିବା ଅଧିକାରୀ ଓ କର୍ମଚାରୀଙ୍କୁ ହଟାଇ ଦେବା ଦରକାର। ଏ ସଂକ୍ରାନ୍ତରେ ସେ ରାଜ୍ୟ ନଗରଉନ୍ନୟନମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ତ୍ବରିତ ପଦକ୍ଷେପ ନେବାକୁ କହିବେ ବୋଲି କହିଛନ୍ତି।
ବର୍ଷକୁ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବାବଦରେ ସ୍ମାର୍ଟସିଟି ପାଣ୍ଠିରୁ ଖର୍ଚ୍ଚ ହେଉଛି ୧ କୋଟି ୩୦ ଲକ୍ଷରୁ ଅଧିକ। ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ (ଆର୍ଏସ୍ସିଏଲ୍)ର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି ପ୍ରାୟ ୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ। ଏମାନଙ୍କ ଦରମା ମାସିକ ୧୫ ହଜାରରୁ ଆରମ୍ଭ କରି ଦେଢ଼ ଲକ୍ଷ ପର୍ଯ୍ୟନ୍ତ ରହିଛି। ଗତ ୨୦୧୭-୧୮ରେ ଦରମା ବାବଦରେ ମାତ୍ର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ସମୟରେ ହାତଗଣତି କେଇ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ୨୦୧୮-୧୯ରେ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ବଢ଼ିବାରୁ ଦରମା ବାବଦରେ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୨୯-୨୦ରେ ୧ କୋଟି ୪୩ ଲକ୍ଷରୁ ଖର୍ଚ୍ଚ ହୋଇଛି। ୨୦୨୧-୨୨ରୁ ଆଜି ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୧ କୋଟି ୩୫ଲକ୍ଷରୁ ଆରମ୍ଭ କରି ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ମାର୍ଟସିଟି ପାଣ୍ଠିରୁ ଖର୍ଚ୍ଚ କରାଯାଉଛି। ସମସ୍ତ ପ୍ରକଳ୍ପ ଶେଷ ହୋଇଥିଲାବେଳେ ହାତଗଣତି କେତୋଟି ପ୍ରକଳ୍ପ ଆଜିକୁ ୮ ବର୍ଷ ଧରି ଚାଲିଛି। କେବେ ସରିବ, ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ। ପ୍ରକଳ୍ପ ସରିଲାଣି, କିନ୍ତୁ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ ମାସିକ ଲକ୍ଷ ଲକ୍ଷ ଟଙ୍କା ଦରମା ଦିଆଯାଉଛି। ଅଧିକାରୀ ଓ କର୍ମଚାରୀ ହ୍ରାସ ନ କରି ସ୍ମାର୍ଟସିଟି ପାଣ୍ଠିରୁ ଅଯଥାରେ ଅର୍ଥ ବ୍ୟୟ କରାଯାଉଥିବା ଅଭିଯୋଗ ହେଉଛି। ସ୍ମାର୍ଟସିଟିର ପାଣ୍ଠିର ଲକ୍ଷଲକ୍ଷ ଟଙ୍କା ଅପବ୍ୟୟକୁ ନେଇ ରାଜନୈତିକ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି।
ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ପ୍ରକଳ୍ପ ସରିଲା ପରେ ଆବଶ୍ୟକ ନଥିବା ଅଧିକାରୀ ଓ କର୍ମଚାରୀଙ୍କୁ ହଟାଇ ଦେବା ଦରକାର। ଏ ସଂକ୍ରାନ୍ତରେ ସେ ରାଜ୍ୟ ନଗରଉନ୍ନୟନମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ତ୍ବରିତ ପଦକ୍ଷେପ ନେବାକୁ କହିବେ ବୋଲି କହିଛନ୍ତି। ବିଜେଡିର ବରିଷ୍ଠ ନେତା ବୀରେନ ସେନାପତି କହିଛନ୍ତି, ରାଉରକେଲାବାସୀ କେତେ ସ୍ମାର୍ଟ ହେଲେ, ତାହା ସମସ୍ତଙ୍କୁ ଭଲ ଭାବେ ଜଣାଅଛି। ଆଜି ପର୍ଯ୍ୟନ୍ତ ‘ରାଉରକେଲା ୱାନ୍’ ପ୍ରକଳ୍ପ ସରିଲାନି। ସ୍ମାର୍ଟସିଟିର ପ୍ରକଳ୍ପ ସରିବା ପରେ ଅଧିକାରୀ ଓ କର୍ମଚାରୀକୁ ହଟାଇ ଦିଆଯିବା ଦରକାର। ଆଜିକୁ ପ୍ରାୟ ଦେଢ଼ ବର୍ଷ ଧରି କାହିଁକି ଦରମା ଦିଆଯାଉଛି। ଅନାବଶ୍ୟକ ଅର୍ଥ ବ୍ୟୟ ନ କରି ଅନ୍ୟ ବିକାଶମୂଳକ କାମରେ ବିନିଯୋଗ କରାଯିବା ଆବଶ୍ୟକତା ରହିଛି। ତେବେ ଆଗାମୀ ଦିନରେ କାମ ନଥାଇ ଦରମା ନେଉଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଉଚ୍ଚ ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା’ ଉପରେ ନଜର ରହିଛି।