କରୋନାକୁ ବୁଝିବା ଓ ଯୁଝିବାରେ ସାମାନ୍ୟ ତ୍ରୁଟି ରହିଲେ ପରିଣାମ ଭୟାବହ ହେବ : ସୁବ୍ରତ ବାଗ୍‌ଚୀ

ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବା ଅଧିକ ଆଶଙ୍କା

ଭୁବନେଶ୍ୱର: ବୟସ୍କ ବ୍ୟକ୍ତିମାନଙ୍କୁ କରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। ବୟସ୍କ ବ୍ୟକ୍ତିମାନେ ବାହାରକୁ ନ ଯାଇ ମଧ୍ୟ ପରିବାରର ଅନ୍ୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଶିକାର ହେଉଛନ୍ତି। ତେଣୁ ବୟସ୍କ ବ୍ୟକ୍ତି ଯେପରିକି ସଂକ୍ରମିତ ନ ହେବେ, ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହା କହିଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, ବୟସ ବଢ଼ିବା ସଙ୍ଗେ ଆମ ଦେହରେ ରୋଗ ବଢ଼ିବାରେ ଲାଗିଥାଏ। କାରଣ ବୟସ ବଢ଼ିଲେ ଆରଏନ୍‌ଏ ହ୍ରାସ ପାଇବାରେ ଲାଗିଥାଏ। ଡାଇବେଟିସ, ହାଇପରଟେନସନ୍ ଓ ଶ୍ୱାସଜନିତ ରୋଗ ବଢ଼ିଥାଏ। ଏକାଧିକ ରୋଗ ଦେଖାଗଲେ ଏହାକୁ ବୈଜ୍ଞାନିକମାନେ କୋମର୍ବିଡିଟି କହିଥାନ୍ତି।

ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୁଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ମେ’ ମାସ ୨୨ ତାରିଖ ବେଳକୁ ଭାରତରେ ୩୪୩୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରୁ ୭୩ ପ୍ରତିଶତ ଲୋକଙ୍କ ପାଖରେ ଏକାଧିକ ରୋଗ ଥିଲା। ୫୦ ପ୍ରତିଶତ ମୃତକଙ୍କର ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ। ଓଡ଼ିଶାରେ ଜୁନ ୨୪ ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରୁ ୧୭ ଜଣଙ୍କର କରୋନା ହେତୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣଙ୍କର ଅନ୍ୟ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା। ଏହି ୭ ଜଣ କରୋନା ଭାଇରସରେ ସଂକ୍ରମିତ ଥିଲେ। କିନ୍ତୁ ସୁସ୍ଥ ହୋଇ ପରେ ମୃତ୍ୟୁବରଣ କରିଥିଲେ। କୋଭିଡ-୧୯ରେ ମୃତ୍ୟୁ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୯ ଜଣଙ୍କର ବୟସ ୬୦ରୁ ଅଧିକ। ୧୭ ଜଣଙ୍କର ମଧ୍ୟରୁ ୧୧ ଜଣ ଲୋକ ଏକାଧିକ ରୋଗରେ ପୀଡ଼ିତ ଥିଲେ। ୬ ଜଣ ବାହାରକୁ ଯାଇ ନଥିଲେ।

ଶ୍ରୀ ବାଗ୍‌ଚୀ କହିଛନ୍ତି, ବର୍ତ୍ତମାନ ଘରେ ଯେଉଁ ବୟସ୍କମାନେ ଅଛନ୍ତି, ସେମାନଙ୍କ ଉପରେ କରୋନା ପ୍ରଭାବ ପକାଇବାର ଆଶଙ୍କା ରହିଛି। କୋଭିଡ-୧୯ରେ ବୟସ୍କମାନେ ଭଲ ହୋଇଯାଉଛନ୍ତି, ତଥାପି ଏହି ସଂକ୍ରମଣ ସବୁଦିନ ପାଇଁ ଫୁସଫୁସକୁ କ୍ଷତିଗ୍ରସ୍ତ କରିଦେବାର ଆଶଙ୍କା ରହିଛି। ଏପରିକି ଶ୍ୱାସକ୍ରିୟା ଓ ଶରୀରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ କ୍ଷତିକରିଦେବାର ଆଶଙ୍କା ରହିଛି। ତେଣୁ ଆମ୍ଭମାନଙ୍କୁ ସାବଧାନ ରହିବାକୁ ହେବ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାର ଆବ୍ୟାକତା ନାହିଁ। ବୁଝିବା ଓ ଯୁଝିବାରେ ସାମାନ୍ୟ ତ୍ରୁଟି ରହିଲେ ଏହାର ପରିଣାମ ଭୟାବହ ହେବ। କରୋନା ସଂକ୍ରମିତ ଅନେକ ଲୋକଙ୍କର ଯାତ୍ରା ବିବରଣୀ ନ ଥିଲା। କିନ୍ତୁ ମୃତ୍ୟୁ ହେଲା। ତାଙ୍କ ପରିବାରର ଲୋକେ ବାହାରକୁ ଯାଇ ପ୍ରତିରୋଧକ ଚିନ୍ତା କଲେ ନାହିଁ। ପରିବାର ଲୋକେ ବାହାରକୁ ଯାଇ କରୋନା ନେଇ ଆସିଥିଲେ। ସେମାନେ ଭଲ ହୋଇଗଲେ କିନ୍ତୁ ତାଙ୍କର ନିଜ ଲୋକ ଜୀବନ ହରାଇଲେ। କାହାର ଅବହେଳାରୁ ତାଙ୍କର ଜୀବନ ଗଲା। କରୋନା କେତେ ଦାୟୀ। ଦ୍ୱିତୀୟତଃ ପରିବାର ଲୋକେ କେତେ ଦାୟୀ।

ଭାରତ ବର୍ଷ ଚତୁର୍ଥ ମହାସଂକ୍ରମିତ ଦେଶ ଭାବରେ ଗଣାଯାଉଛି। ଆଗାମୀ ସପ୍ତାହ ମଧ୍ୟରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିବ ବୋଲି କୋଭିଡ୍‌ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗ୍‌ଚୀ କହିଛନ୍ତି। ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରେ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଜୁଲାଇ ଶେଷ ବେଳକୁ ଭାରତରେ ଓ ଓଡ଼ିଶାରେ ସ୍ଥିତି କ’ଣ ହେବ ତାହା କହିହେବ ନାହିଁ।

ସମ୍ବନ୍ଧିତ ଖବର