ଅଭିନେତ୍ରୀଙ୍କ ଜେଜେବାପା ମନ୍ତ୍ରୀ

ଭୋଟ ପେଡ଼ିର ପୁରୁଣା କଥା-୩୪/ସ୍ୱରାଜ ମିଶ୍ର

ଜନପ୍ରିୟ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ନିର୍ବାଚନ ରାଜନୀତିକୁ ଓହ୍ଲାଇବାର ପରମ୍ପରା ଓଡ଼ିଶାରେ ଅନେକ ଦିନ ତଳୁ ଆରମ୍ଭ ହୋଇସାରିଛି। କିନ୍ତୁ ଅନେକେ ହୁଏତ ଜାଣିନଥିବେ ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅତି ପରିଚିତା ଅଭିନେତ୍ରୀଙ୍କର ଜେଜେବାପା ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ। ସେ କେବଳ ବିଧାୟକ ହୋଇ ନଥିଲେ, କିଛି କାଳ ଓଡ଼ିଶା ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କ ନାଁ ଜନାବ୍‌ଶୋଭାନ୍‌ ଖାନ୍‌। ସେ ଥିଲେ ଜନପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କର ଜେଜେବାପା।
ଅଶୀଦଶକରେ ‘ଫୁଲଚନ୍ଦନ’ ଚଳଚ୍ଚିତ୍ରର ‘ଫୁଲ’ ଚରିତ୍ରରେ ଅଭିନୟ କରି ଓଡ଼ିଶାବାସୀଙ୍କ ମନ ଜିଣିନେଇଥିବା ଅପରାଜିତା ଆଜି ବି ଅଭିନୟ ଓ ରାଜନୀତି ଉଭୟରେ ସକ୍ରିୟ ଅଛନ୍ତି। ପ୍ରଖ୍ୟାତ ସାହିତ୍ୟିକ ରାଜକିଶୋର ରାୟଙ୍କ ଭଉଣୀ ହରପ୍ରିୟା ତାଙ୍କ ମାଆଏବଂ ମାଜିଷ୍ଟ୍ରେଟ ଅଜିଜ୍‌ ଖାନ୍‌ ତାଙ୍କ ବାପା। । ସାହିତ୍ୟ, କଳା ଓ ଅଭିନୟ ପ୍ରତି ଆଗ୍ରହ ସେ ତାଙ୍କ ମାମୁଘର ପଟୁ ପାଇଥିଲାବେଳେ, ରାଜନୀତି ପ୍ରତି ରୁଚି ତାଙ୍କ ପାଖକୁ ଆସିଛି ଜେଜେବାପାଙ୍କ ପାଖରୁ। କାରଣ ଅଜିଜ୍‌ ଖାନ୍‌ ଥିଲେ ପ୍ରଖ୍ୟାତ ଓକିଲ ତଥା ରାଜନୀତିଜ୍ଞ ଶୋଭାନ ଖାନ୍‌ଙ୍କ ପୁଅ।
ଶୋଭାନ୍‌ ଖାନ୍‌ ସାହେବ ଭଦ୍ରକର ମିର୍ଜାପୁରଠାରେ ଜନ୍ମଗ୍ରହଣ କରିଥିଲେ। ଆଇନ ଶିକ୍ଷା ପରେ ସେ କଟକରେ ଓକିଲାତି ଆରମ୍ଭ କରି ଆଲାମଚାନ୍ଦ ବଜାରରେ ଘରକରି ରହିଲେ। ତାଙ୍କର ବଡ଼ପୁଅ ଅଜିଜ୍‌ ଥିଲେ ଜଣେ ପ୍ରାଶାସନିକ ଅଧିକାରୀ। ସେ କରଞ୍ଜିଆରେ ଚାକିରି କରୁଥିବା ବେଳେ ତାଙ୍କର ତୃତୀୟ ଝିଅ ଅପରାଜିତା(ଟିକି)ଙ୍କ ଜନ୍ମ। ତାଙ୍କ ଜନ୍ମର ଅଳ୍ପଦିନ ପରେ ସେ ବଦଳି ହୋଇ ସମ୍ବଲପୁର ଆସିଥିଲେ। ମା ହରପ୍ରିୟା ଗଙ୍ଗାଧର ମେହେର କଲେଜରେ ଜୁଲୋଜି ଅଧ୍ୟାପିକା ଥିବାବେଳେ ଅଜିଜ୍‌ ଥିଲେ ସମ୍ବଲପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌।

ଅପରାଜିତାଙ୍କ ଜେଜେବାପା ଶୋଭାନ୍‌ ଖାନ୍‌ ୧୯୩୭ ମସିହାରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ ମୁସଲମାନବର୍ଗଙ୍କ ପାଇଁ ସଂରକ୍ଷିତ ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ। ସେତେବେଳେ ୬୦ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାର ୪ଟି ଆସନ ମୁସଲମାନ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ପ୍ରଥମ ନିର୍ବାଚନରେ ଯେଉଁ ଚାରି ଜଣ ନିର୍ବାଚିତ ହୋଇଆସିଥିଲେ ସେମାନେ ହେଲେ କଟକ ସଦରରୁ ସୟଦ ଅହମ୍ମଦ ବକ୍ସ୍‌, ଉତ୍ତର କଟକ-ଅନୁଗୁଳରୁ ସୟଦ ଫଜଲ ହକ୍‌, ବାଲେଶ୍ୱର-ସମ୍ବଲପୁରରୁ ଅବଦୁସ୍‌ ଶୋଭାନ୍‌ ଖାନ୍‌ଏବଂ ଦକ୍ଷିଣ ଓଡ଼ିଶାରୁ ମୌଲବି ଲତିଫୁର ରେହମାନ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ଵରେ ଗଠିତ ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳରେ ମୌଲବି ଲତିଫୁର ରେହମାନ ମନ୍ତ୍ରୀପଦ ପାଇଥିଲେ। ଏହି ସଂଖ୍ୟାଲଘୁ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାପରେ ଜୁଲାଇ ମାସ ୧୯ ତାରିଖରେ ବିଶ୍ୱନାଥ ଦାସଙ୍କ ନେତୃତ୍ଵରେ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହୋଇ ୧୯୩୯ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ୧୯୪୧ ନଭେମ୍ବରରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ଵରେ ଗଠିତ ଦ୍ଵିତୀୟ ସଂଖ୍ୟାଲଘୁ ମନ୍ତ୍ରିମଣ୍ଡଳରେ ଅବଦୁସ୍‌ ଶୋଭାନ୍‌ ଖାନ୍‌ ରାଜସ୍ୱ, ଆଇନ୍‌ ଓ ବାଣିଜ୍ୟ ବିଭାଗର ମନ୍ତ୍ରି ରୂପେ ଶପଥ ନେଇଥିଲେ। ଏହି ମନ୍ତ୍ରିମଣ୍ଡଳ ୧୯୪୪ ଜୁନ୍‌ ପର୍ଯ୍ୟନ୍ତ କ୍ଷମତାରେ ଥିଲା। ଜଣେ ପ୍ରବୀଣ ଓକିଲ ହିସାବରେ ସୁଖ୍ୟାତି ଅର୍ଜନ କରିଥିବା ଶୋଭାନ୍‌ ଖାନ୍‌ ଆଇନ ମନ୍ତ୍ରୀ ହିସାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶାରେ ହାଇକୋର୍ଟ ସ୍ଥାପନ କରିବାର ଉଦ୍ୟମ କରି ସଫଳ ହୋଇଥିଲେ। ତାଙ୍କ ଉଦ୍ୟମରେ ୧୯୪୨ ଅଗଷ୍ଟ ୧୯ ତାରିଖରେ ଓଡ଼ିଶା କ୍ୟାବିନେଟ୍‌ର ନିଷ୍ପତ୍ତିକ୍ରମେ ବୀରକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଓଡ଼ିଶାରେ ସ୍ୱତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା କରିବା ସପକ୍ଷରେ ସେହି କମିଟି ୧୯୪୩ ଡିସେମ୍ବର ୨୭ରେ ଦେଇଥିବା ରିପୋର୍ଟ ଆଧାରରେ ୧୯୪୮ରେ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ହେଲା।
ଭକ୍ତ ସାଲବେଗଙ୍କର ମାଟି ଓଡ଼ିଶା ରାଜ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବର ପରମ୍ପରା ରହିଆସିଛି ବହୁଦିନରୁ। ଓଡ଼ିଶା ରାଜନୀତିରେ ସଂଖ୍ୟାଲଘୁ ବର୍ଗଙ୍କୁ ଆଶାନୁରୂପ ପ୍ରତିନିଧିତ୍ଵ ମିଳିଛି ଆରମ୍ଭରୁ। କୃଷ୍ଣଚନ୍ଦ୍ର ଗଜପତିଙ୍କ ତିନିଜଣିଆ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ମୌଲବି ଲତିଫୁର ରେହମାନ ଓ ଦ୍ଵିତୀୟ ଥର ଶୋଭାନ୍‌ ଖାନ୍‌ଙ୍କ ଯୋଗଦାନ ଏହି ସାଂପ୍ରଦାୟିକ ସଂହତି ଓ ଭାଇଚାରାର ଏକ ଚମତ୍କାର ଉଦାହରଣ।

ସମ୍ବନ୍ଧିତ ଖବର