ରାଉରକେଲା: ରାଜଧାନୀ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବାବେଳେ ଜଣେ ବୃଦ୍ଧା ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ  ରାଉରକେଲା ଗୋପବନ୍ଧୁପାଲୀର କେବଳା ଦେବୀ (୭୬)। ଆର୍‌ପିଏଫ୍‌ ଯବାନ ଟ୍ରେନ୍‌ରୁ ମହିଳାଙ୍କ ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶବ ସତ୍କାର ପାଇଁ ପରିବାର ଲୋକ ବିହାର ନେଇଯାଇଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ କେବଳା ଦେବୀ ନିଜ ପରିବାର ସହ ଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ (୨୦୮୧୮)ରେ ପ୍ରୟାଗରାଜରୁ ରାଉରକେଲା ଫେରୁଥିଲେ। ଟ୍ରେନ୍‌ଟି ଟାଟାନଗର ଷ୍ଟେସନ ଅତିକ୍ରମ କରିବା ପରେ ହଠାତ୍‌ କେବଳାଙ୍କ ସ୍ବାସ୍ଥ୍ୟଅବସ୍ଥା ଗୁରୁତର ହୋଇପଡିଥିଲା। ସାଥୀରେ ଥିବା ପରିବାର ଅନ୍ୟ ସଦସ୍ୟ ଡ୍ୟୁଟିରେ ଥିବା ଟିଟିଇଙ୍କୁ ଡାକି ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଟ୍ରେନ୍‌ଟି ଚକ୍ରଧରପୁର ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ ରେଳବାଇ ଡାକ୍ତରଟିମ୍‌ କେବଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ସେତେବେଳକୁ କେବଳାଙ୍କର ମୃତ୍ୟୁ ହୋଇଯାଇ ସାରିଥିଲା। ଡାକ୍ତରୀଟିମ୍‌ ମୃତ ଘୋଷଣା ପରେ କେବଳାଙ୍କ ଶବକୁ ଟ୍ରେନ୍‌ରୁ ଓହ୍ଲାଇବାକୁ ରେଳ ଅଧିକାରୀ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକ ରାଉରକେଲା ଷ୍ଟେସନ ପର୍ଯ୍ୟନ୍ତ ନେବାକୁ ରେଳବାଇ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସେହି କୋଚ୍‌ରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ମହିଳାଙ୍କ ଶବକୁ ରାଉରକେଲା ଷ୍ଟେସନ ପର୍ଯ୍ୟନ୍ତ ନେବାକୁ ଅନୁମତି ଦେବାକୁ ମଧ୍ୟ  ଅନୁରୋଧ କରିଥିଲେ।

ରାଉରକେଲା ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ଆର୍‌ପିଏଫ୍‌ ଅଧିକାରୀ କୋଚ୍‌ରୁ କେବଳାଙ୍କ ଶବକୁ ଓହ୍ଲାଇ ଦେଇଥିଲେ। ମୃତ ମହିଳାଙ୍କ ସ୍ବାମୀ ରାଉରକେଲା ଖାଲ୍‌ସା ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ। ରାଉରକେଲା ଷ୍ଟେସନରେ କେବଳାଙ୍କ ଶବ ଓହ୍ଲାଇବା ପରେ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ପୈତୃକ ଗାଁ ବିହାର ନେଇ ଯାଇଥିବା ଜଣାପଡ଼ିଛି।