ବାଲିପାଟଣା : ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଫକୀରପଡା ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି | ମୃତକ ହେଲେ ତରବୋଇ ଗ୍ରାମର ଅମରେଶ ମହାରଣା ଓରଫ କୁକା | ସୂଚନା ଅନୁସାରେ ତରବୋଇ ଗ୍ରାମର ନରି ମହାରଣା ପରିବାର ସହ ଫକୀରପଡା ଗ୍ରାମରେ ଘର ଭଡା ନେଇ ରହୁଥିଲେ | କିଛି ବର୍ଷ ପୂର୍ବରୁ ତାଙ୍କ ବଡ଼ ପୁଅ ଆତ୍ମହତ୍ୟା କରିଥିଲେ | ସାନ ପୁଅ ଓ ବୋହୁ ନାତି ନାତୁଣୀ ପାଖରେ ରହୁଥିଲେ |
କୁକା ଏକ ଘରୋଇ ସଂସ୍ଥା ରେ କାମ କରନ୍ତି | ଗତକାଲି ପତ୍ନୀ ଏବଂ ପିଲା ମାନଙ୍କୁ ସାଙ୍ଗରେ ନେଇ ଦୋପଟି ମେଳଣ ବୁଲିବାକୁ ଯାଇଥିଲା | ରାତିରେ ଫେରିବା ପରେ ଘରେ କୌଣସି କଥାକୁ ନେଇ ପରିବାର ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା | ପତ୍ନୀ ଓ ପିଲାମାନଙ୍କୁ ଘର ବାହାରକୁ ତଡି କବାଟ କିଳି ଶୋଇଥିଲେ |
ଆଜି ସକାଳୁ ଉଠିବାରେ ବିଳମ୍ୱ ହେବାରୁ ଘର ଲୋକଙ୍କ ସନ୍ଦେହ ହୋଇଥିଲା | ଝରକା ଫାଙ୍କରେ ଦେଖିବା ବେଳକୁ କୁକା ଶୋଇବା ଘର ଫ୍ୟାନରେ ବେକରେ ଗାମୁଛା ବାନ୍ଧି ଝୁଲୁଥିବାର ଦେଖିବାକୁ ପାଇଥିଲେ | ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି | ତେବେ ଘରୋଇ ଋଣ ଭାର ଏବଂ ଅନ୍ୟ କିଛି କାରଣରୁ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି |