ଦେଓଗାଁ : ପିଆଜ ଚାଷ କରି ତାକୁ ସାଇତି ରଖିବା ପାଇଁ ସବସିଡ଼ିରେ ଚାଷୀଙ୍କୁ ପିଆଜ ଘର ଯୋଗାଇ ଦିଆଯାଉଛି। ହେଲେ ଦେଓଗାଁ ବ୍ଲକ୍‌ରେ ତିଆରି ହୋଇଥିବା ପିଆଜ ଘରଗୁଡ଼ିକ କିଭଳି ବ୍ୟବହାର ହେଉଛି ତାକୁ ଦେଖିଲେ ତାଜୁବ ଲାଗୁଛି। ଏହି ପିଆଜ ଘର କେଉଁଠି ଗାଈ ଗୁହାଳ ପାଲଟିଛି ତ ପୁଣି କେଉଁଠି ଶଗଡ଼ ଗାଡ଼ି ଓ ପାୱାର ଟିଲର୍ ରଖିବା ଘର ପାଲଟିଛି। ଏପରିକି କିଛି ପିଆଜ ଘରେ ରାସ୍ତା କାମରେ ବ୍ୟବହୃତ ସିମେଣ୍ଟ, ଖୁଣ୍ଟ ଆଦି ରଖାଯାଉଛି। ଅନ୍ୟପକ୍ଷରେ ପ୍ରକୃତ ଚାଷୀ ପ୍ରୋତ୍ସାହନ ପାଇବାରୁ ବ‌ଞ୍ଚିତ ହେଉଥିବା ବେଳେ ରାଜନୀତି କରୁଥିବା ଓ ରାଜନେତାଙ୍କ ଛତ୍ରଛାୟା ତଳେ ଥିବା ଲୋକେ ପ୍ରୋତ୍ସାହନ ରାଶି ହଡ଼ପ କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ଦେଓଗାଁ ବ୍ଲକ୍‌ରେ ଗତ ୩ ବର୍ଷ ମଧ୍ୟରେ ପିଆଜ ଚାଷକୁ ନେଇ ଅନୁଧ୍ୟାନ କରାଯିବାରୁ ଅନେକ ଭିତିରି କଥା ଜଣାପଡ଼ଛି। ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସରକାର ପିଆଜ ଘର ଓ ମାଗଣାରେ ବିହନ ଯୋଗାଇଦେବା ବ୍ୟବସ୍ଥା କରିଛନ୍ତି।

Advertisment

୨୦୧୮-୧୯ରେ ବ୍ଲକ୍‌କୁ ୫୦କେଜି ପିଆଜ ବିହନ ଆସିଥିଲା। ତାହାକୁ ୧୦ଜଣ ଚାଷୀଙ୍କୁ ମାଗଣାରେ ଦିଆଯାଇଥିଲା। ସେହି ବର୍ଷ ବଛା ବଛା ୪ଜଣ ଚାଷୀଙ୍କୁ ୨୫ମେଟ୍ରିକ ଟନ୍‌ ପିଆଜ ରହିବାର କ୍ଷମତା ଥିବା ପିଆଜ ଘର ୫୦ ପ୍ରତିଶତ ରିହାତିରେ ନିର୍ମାଣ କରିବାକୁ ୧ଲକ୍ଷ ୭୫ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା। ସେହିପରି ୨୦୧୯-୨୦ରେ ପୂର୍ବ ପରି ୫୦ କେଜି ପିଆଜ ବିହନ ୯ଜଣ ଚାଷୀଙ୍କୁ ଦିଆଯାଇଥିଲା। ସେହି ବର୍ଷ ସାଢେ଼ ୧୨ ଟନ୍‌ ପିଆଜ ରଖିବା କ୍ଷମତା ଥିବା ୯ଟି ପିଆଜ ଘର ୮୭ହଜାର ୫ ଶହ ଟଙ୍କାର ୫୦ପ୍ରତିଶତ ରିହାତିରେ ଯୋଗାଇ ଦିଆଯାଇଥିଲା। ଚଳିତ ବର୍ଷ ୪୦ଜଣ ଚାଷୀଙ୍କୁ ୫୦ କେଜି ପିଆଜ ବିହନ ଯୋଗାଇ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ୫୦କେଜି ବିହନରୁ କେତେ ଚାଷୀ କେତେ ପିଆଜ ଉତ୍ପାଦନ କଲେ, ପିଆଜ ଘର ପାଇ ନଥିବା ଚାଷୀ କେଉଁ ଶୀତଳଭଣ୍ତାରରେ ଗଚ୍ଛିତ ରଖିଲେ କିଂବା କେଉଁ ବଜାରରେ ଉତ୍ପାଦିତ ପିଆଜ ବିକ୍ରି କରାଗଲା ତାହାର କୌଣସି ତଥ୍ୟ ନାହିଁ। ତେଣୁ ଉଦ୍ୟାନ ବିଭାଗର କାରବାର ସନ୍ଦେହ ଘେରକୁ ଆସୁଛି। ଦେଓଗାଁ ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୮-୧୯ରେ ଉପରଝର, କୁଲୁତାପଡ଼ା, ସାଲେପାଲି ଓ ଅର୍ଜୁନପୁର ଗାଁରେ ଓ ୨୦୧୯-୨୦ରେ ସତୀଘାଟ, ପରୁଆଭାଡ଼ି, କୁବ୍ରିମହୁଲ, ମୁଣ୍ତପଲା, ବନ୍ଧପଡ଼ା, କୁମୁରିଆ, ଟେପ୍ରେନ, ଅନ୍ତର୍ଲା ଓ ସାଲେପାଲିରେ ପିଆଜ ଘର ଦିଆଯାଇଥିବା କହୁଛନ୍ତି। ହେଲେ ପିଆଜ ଘର ନିର୍ମାଣ ଓ ବ୍ୟବହାରକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ପ୍ରତିବର୍ଷ ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟ କରି ପିଆଜ ଘର ଯୋଗାଇ ଦିଆଯାଉଛି ତାହେଲେ ପିଆଜ ସଂଗୃହୀତ ହୋଇ ରହୁନି କାହିଁକି ବୋଲି ଆଲୋଚନା ହେଉଛି।