ଆସନ୍ତା ନଭେମ୍ବର ୨୯ ତାରିଖରେ ଆମ ରାଜ୍ୟର ତିର୍ତ୍ତୋଲ ଓ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ। ନଭେମ୍ବର ୨୯ ତାରିଖ ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୬୫ଟି ଲୋକସଭା କିମ୍ବା ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେଉଛି। ଓଡ଼ିଶା ଭଳି ପ୍ରାୟ ସବୁସ୍ଥାନରେ ଉପନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।
ପ୍ରଶ୍ନଉଠେ, ପ୍ରକୃତରେ ଉପନିର୍ବାଚନ କ’ଣ ସେତିକି ଗୁରୁତ୍ବପୂର୍ଣ୍ଣ, ରାଜନୈତିକ ଦଳଗୁଡ଼ିକ ଯେତିକି ଗୁରୁତ୍ବ ଦେଇଥା’ନ୍ତି? କୁହାଯାଏ, ସାଧାରଣ ନିର୍ବାଚନ ଅପେକ୍ଷା ଉପନିର୍ବାଚନରେ ଅଧିକ ରାଜନୈତିକ ରଣକୌଶଳ, ସର୍ବାଧିକ ଅର୍ଥ ବ୍ୟୟ ସାଙ୍ଗକୁ ରାଜନୈତିକ ନେତାଙ୍କ ପ୍ରଭାବଶାଳୀ ସମ୍ପୃକ୍ତି ରହିଥାଏ। ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି, ଯାହା ପ୍ରାୟତଃ ଜଣାଶୁଣା। ଗୋଟିଏ ପଟେ, ସରକାର ପକ୍ଷ ବିଜୟ ହାସଲ କରି ନିଜର ଲୋକପ୍ରିୟତା ବଜାୟ ରହିଛି ବୋଲି ଦାବି କରିଥା’ନ୍ତି। ଅପରପେକ୍ଷ, ବିରୋଧୀ ଦଳ ବିଜୟ ମାଧ୍ୟମରେ ସରକାରୀ ଦଳ ବିରୋଧରେ ଜନମତ ସୃଷ୍ଟି ହୋଇଥିବା ପ୍ରମାଣିତ କରିବାକୁ ଚାହିଁଥା’ନ୍ତି। ଯେଉଁଥିପାଇଁ, ଉପନିର୍ବାଚନରେ ପ୍ରମୁଖ ଦଳମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହୋଇଥାଏ।
କିନ୍ତୁ, ଏହାସତ ଯେ ଉପନିର୍ବାଚନରେ ବିଜୟ କିମ୍ବା ପରାଜୟର ପ୍ରାୟତଃ କୌଣସି ରାଜନୈତିକ ଆବଶ୍ୟକତା ନଥାଏ। ସଂଖ୍ୟାଗଣିତ ଦୃଷ୍ଟିକୋଣରୁ ଆବଶ୍ୟକୀୟ ଦ୍ବରତ୍ବରେ ରହିଥିବା ସରକାରୀ ଦଳ ଉପରେ ବି ଏହାର କୌଣସି ପ୍ରଭାବ ନଥାଏ। ତେବେ, ନିକଟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୭ଟି ଆସନରେ ହେବାକୁ ଥିବା ଉପନିର୍ବାଚନ ଭଳି ପରିସ୍ଥିତି ସୃଷ୍ଟି ହେଲେ, ଭିନ୍ନ କଥା। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ସହ କଂଗ୍ରେସ ବିଧାୟକ ଦଳରେ ବିଭାଜନ ଘଟି ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାରର କେବଳ ପତନ ଘଟିଲାନି, ରାଜନୈତିକ ଉଷ୍ମତା ଏଯାବତ୍ ଲାଗିରହିଛି। ବୋଧହୁଏ, ଉପନିର୍ବାଚନ ହିଁ ଏହି ଉଷ୍ମତାକୁ ଆହୁରି ଦ୍ବିଗୁଣିତ କରିଦେଇଛି କେବଳ ବିଜୟ କି ପରାଜୟକୁ ନେଇ ନୁହେଁ, ଶାସକ ଦଳର ପ୍ରତିଷ୍ଠା ଓ ବିରୋଧୀ ପକ୍ଷର ପ୍ରତିଶୋଧ ପାଇଁ ଜାଗତିଆର ଦୃଷ୍ଟିରୁ। ମଧ୍ୟପ୍ରଦେଶର ୨୩୦ରୁ ଆସନ ମଧ୍ୟରୁ ମ୍ୟାଜିକ୍ ନମ୍ବର ୧୧୭। ପରିବର୍ତ୍ତିତ ରାଜନୀତିରେ ଶାସନର ରୂପରେଖ ବଦଳିବା ପରେ ଏବେ କ୍ଷମତାସୀନ ବିଜେପି ଝୁଲାରେ ରହିଛି ୧୦୭ ବିଧାୟକଙ୍କ ସମର୍ଥନ। େତଣୁ, ଆଉ ୯ଟି ଆସନରେ ବିଜେପି ବିଜୟ ହାସଲ କରିବା ଅବଶ୍ୟମ୍ଭାବୀ ହୋଇଥିବାରୁ ଏହି ରାଜ୍ୟରେ ଉପନିର୍ବାଚନର ଉଷ୍ମତା ନିଶ୍ଚିତ ଭାବେ ପ୍ରଖର।
ତେବେ, ଉପ-ନିର୍ବାଚନ ପରେ ସରକାର ଉପରେ ସିଧାସଳଖ ପ୍ରଭାବ ପକାଇବାର କମ୍ ଦୃଷ୍ଟାନ୍ତ ରହିଛି ଆମ ଦେଶର ରାଜନୈତିକ ଇତିହାସରେ। ନିକଟ ଅତୀତରେ ଅର୍ଥାତ୍ ୨୦୧୯ ମସିହାରେ କର୍ଣ୍ଣାଟକରେ ଗୋଟିଏ ଘଟଣା ଘଟିଥିଲା। ଉପନିର୍ବାଚନର ଫଳାଫଳକୁ ଭିତ୍ତିକରି ଏହି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲା, ଯଦିଓ ଏହା ଆଶ୍ଚର୍ଯ୍ୟଜନକ ନଥିଲା ବରଂ ଅବଧାରିତ ଥିଲା ବୋଲି କୁହାଯାଇପାରେ। କଂଗ୍ରେସ ଓ ଜେଡି (ଏସ୍)ର ୧୭ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଏଚ୍. ଡି. କୁମାରସ୍ବାମୀଙ୍କ ସରକାର ପତନ ହୋଇଥିବାବେଳେ ବିଜେପିର ବିଏସ୍ ୟେଡ୍ଡୁୟୁରପ୍ପା ସରକାର ଗଠନ ପାଇଁ ସର୍ବନିମ୍ନ ୬ ଜଣ ବିଧାୟକଙ୍କ ଆବଶ୍ୟକତା ଥିଲା। ମାତ୍ର, ଉପନିର୍ବାଚନ ହୋଇଥିବା ୧୫ଟି ଆସନ ମଧ୍ୟରୁ ୧୨ଟି ଆସନରେ ବିଜୟ ହାସଲ କରିବା ସହିତ ବିଜେପି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା।
ଭାରତୀୟ ରାଜନୀତିକୁ ଦୃଷ୍ଟିକୁ ଆଣିଲେ, ଏହିଭଳି ପରିସ୍ଥିତି କ୍ବଚିତ୍ ପରିସ୍ଥିତି ସୃଷ୍ଟି ହୋଇଥାଏ ସିନା ଉପନିର୍ବାଚନର ଉଷ୍ମତା ଗୋଟିଏ ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ସୀମିତ ନରହି ତାହା ରାଜ୍ୟ ରାଜନୀତି ଏବଂ ବେଳେେବଳେ ଜାତୀୟ ସ୍ତରରେ ବି ଦୃଷ୍ଟି ଆକର୍ଷଣ କରିଥାଏ। ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଏମିତି ଏକ ଉପନିର୍ବାଚନକୁ ନେଇ ଢେର୍ ଚର୍ଚ୍ଚା ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ୬ ମାସ ମଧ୍ୟରେ ତାଙ୍କୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାର ସାମ୍ବିଧାନିକ ଆବଶ୍ୟକତା ଥିଲା। ସେତେବେଳେ ଆସ୍କା ଓ କଟକ ମଧ୍ୟରୁ ଶ୍ରୀମତୀ ଶତପଥୀ କଟକ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ମନସ୍ଥ କରିଥିଲେ। ଏବଂ, ବିଧାୟକ ଥିବା ଭୈରବ ଚନ୍ଦ୍ର ମହାନ୍ତିଙ୍କୁ ରାଜ୍ୟସଭାକୁ ପଠାଇ ତାଙ୍କ ସ୍ଥାନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ନିର୍ବାଚନର ଦୃଶ୍ୟପଟ୍ଟ କିଭଳି ଥିଲା ତାହା ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆତ୍ମଜୀବନୀ ‘ସ୍ମୃତି ଓ ଅନୁଭୂତି’ରୁ ବିସ୍ତୃତ ଭାବେ ଜାଣିହେବ। ତେବେ, ଦୁଇଟି କାରଣ ପାଇଁ ଏହି ଉପନିର୍ବାଚନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଗୋଟିଏ ହେଉଛି, ନନ୍ଦିନୀ ଶତପଥୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବୀରେନ ମିତ୍ରଙ୍କୁ ହରେକୃଷ୍ଠ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଭଳି ନେତା ସମର୍ଥନ କରିଥିଲେ। ସେତେବେଳେ ଡ. ମହତାବ ଓ ବିଜୁବାବୁଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କ ମଧୁର ନଥିଲେ ମଧ୍ୟ ଶ୍ରୀମତୀ ଶତପଥୀଙ୍କୁ ପରାସ୍ତ କରିବା ପାଇଁ ପରୋକ୍ଷରେ ହାତ ମିଳାଇଥିଲେ। ଦ୍ବିତୀୟ ହେଉଛି ନିର୍ବାଚନୀ ଖର୍ଚ୍ଚ, ଯାହାକୁ ନେଇ ଜାତୀୟ ସ୍ତରରେ ବି ଚର୍ଚ୍ଚା ହୋଇଥିଲା। ନିର୍ବାଚନରେ ଶ୍ରୀମତୀ ଶତପଥୀ କୁଆଡ଼େ ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଲୋକନାୟକ ଜୟପ୍ରକାଶ ନାରାୟଣ ଏକ ନିର୍ବାଚନୀ ସଭାରେ କହିଥିଲେ। ଏପରିକି, ଜୟପ୍ରକାଶଙ୍କ ଏହି ଉକ୍ତିକୁ ଉଦ୍ଧୃତ କରି ପ୍ରଖ୍ୟାତ ସାମ୍ବାଦିକ କୁଳଦୀପ ନାୟାର ନିଜର ପୁସ୍ତକ India after Nehru ପୁସ୍ତକରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେତେବେଳେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ବହୁତ ବଡ଼ କଥା ଥିଲା ଏବଂ ଏହି ଅର୍ଥ ବଳରେ ଶ୍ରୀମତୀ ଶତପଥୀ ନିର୍ବାଚନରେ ବିଜୟ ହାସଲ କରିଥିଲେ ବୋଲି କୁହାଯାଏ।
ବର୍ତ୍ତମାନ ଉପନିର୍ବାଚନରେ ବିପୁଳ ପରିମାଣରେ ଖର୍ଚ୍ଚ ହେବାର ସମ୍ଭାବନାକୁ ଏଡ଼ାଇ ଦିଅାଯାଇନପାରେ। ଏପରିକି, କୋଭିଡ୍-୧୯ ପରିସ୍ଥିତି ସତ୍ତ୍ବେ ପ୍ରତିଦ୍ବନ୍ଦ୍ବିତା ବି ତୀବ୍ର ହେବ। ହେଲେ, ଉପନିର୍ବାଚନ ଏକ ରାଜନୈତିକ ତଥା ସାମ୍ବିଧାନିକ ଆବଶ୍ୟକତା ଥାଇପାରେ। ମାତ୍ର, ଏହାର ଫଳାଫଳକୁ ନେଇ ଏତେ ବ୍ୟଗ୍ରତା କାହିଁକି? ଉଷ୍ମତା କାହିଁକି?? ଯେତେବେଳେ, ଏହାର ନିର୍ବାଚନମଣ୍ଡଳୀରେ ପ୍ରତିନିଧି ବାଛିବା ଛଡ଼ା ରାଜନୀତିକୁ କିମ୍ବା ସରକାରକୁ ପ୍ରଭାବିତ କରିବାର ତିଳେ ମାତ୍ର ସଙ୍କେତ କି ସମ୍ଭାବନା ନାହିଁ!!
(ଲେଖକ ‘ସମ୍ବାଦ’ର ସଂପାଦନା ବିଭାଗରେ କାର୍ଯ୍ୟରତ। ୦୯୪୩୭୪୪୯୬୪୪, ଇମେଲ୍: [email protected]/ କିମ୍ବା / https://twitter.com/chittachiranjitରେ ଯୋଗାଯୋଗ କରାଯାଇପାରିବ)