ଏକଜିଟ ପୋଲ ରିପୋର୍ଟ ମିଛ ବୋଲି କହିଲେ ମମତା ବାନାର୍ଜି ଓ ଅନ୍ୟ ବିରୋଧୀ ନେତା

ନୂଆଦିଲ୍ଲୀ : ଆଜି ପ୍ରକାଶିତ ବିଭିନ୍ନ ସଂସ୍ଥାର ଏକଜିଟ ପୋଲରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ବହୁମତ ମିଳିବାକୁ ଥିବାବେଳେ ୟୁପିଏ ଗତ ଥର ତୁଳନାରେ ନିଜର ସଂଖ୍ୟାରେ ଉନ୍ନତି ଆଣିବାର ସମ୍ଭାବନା ରହିଛି । କିନ୍ତୁ ତଥାପି ୟୁପିଏ ବା ମହାଗଠବନ୍ଧନ କେହି କ୍ଷମତା ହାତେଇବା ସ୍ଥିତିରେ ନାହାନ୍ତି ।

ଅନ୍ୟପକ୍ଷରେ ଏକଜିଟ ପୋଲ ସମ୍ପର୍କରେ ନେତାମାନଙ୍କ ମତାମତ ହସ୍ତଗତ ରହିଛି । ଏକଜିଟ ପୋଲ ରିପୋର୍ଟ ସହ  ବିଜେପି ଓ ଏନଡିଏ ନେତାମାନେ ଏକମତ ଥିବାବେଳେ ବିରୋଧୀ ଦଳମାନେ ଏହା ଭୁଲ ବୋଲି କହିଛନ୍ତି । ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜି, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରମୁଖ ଏକଜିଟ ପୋଲରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି ।

 

ମମତା ବାନାର୍ଜି କହିଛନ୍ତି ଯେ ଏକଜିଟ ପୋଲରେ ସେ ବିଶ୍ୱାସ କରନ୍ତି ନାହିଁ । ଏକଜିଟ ପୋଲରେ ଏନଡିଏକୁ ଅଧିକ ସଂଖ୍ୟ ଦେଇ ସେହି ଅନୁସାରେ ଇଭିଏମ ବଦଳାଇବା ହେଉଛି ଶାସକ ଦଳର ରଣକୌଶଳ । ଏଣୁ ବିରୋଧୀ ଦଳମାନେ ଏକତ୍ରିତ ହୋଇ ରହିବା ଆବଶ୍ୟକ ।

ସେହିପରି ନାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ ପ୍ରତି ଏକଜିଟ ପୋଲ ଭୁଲ ହୋଇନପାରେ । କିନ୍ତୁ ଲୋକମାନେ ଟିଭି ଓ ସୋସିଆଲ ମିଡିଆ ବନ୍ଦ କରି ମେ ୨୩କୁ ଅପେକ୍ଷା କରିବା ଆବଶ୍ୟକ ।

ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସେ ଏକଜିଟ ପୋଲରେ ବିଶ୍ୱାସ କରନ୍ତି ନାହିଁ । କଂଗ୍ରେସ ଏହାଠାରୁ ଭଲ ଫଳାଫଳ  କରିବ ।

 

ସମ୍ବନ୍ଧିତ ଖବର