ଭୁବନେଶ୍ୱର: ଆସନ୍ତାକାଲି ୫ ଲୋକସଭା ଓ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟର ୯୧୧୭ଟି  ପୋଲିଂ ଷ୍ଟେସନରେ ପୋଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।  ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଲାଗି ୬୦,୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା,ଏହି  ପର୍ଯ୍ୟାୟ ନିର୍ବାଚନରେ ୩୭୦୧ ସମ୍ବେଦନଶୀଳ ବୁଥ୍ ରହିଛି । ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି  କରାଯାଇଛି । ୭୩୯ଟି ବୁଥରେ ସିଏପିଏଫ୍ ନିୟୋଜିତ .ହୋଇଛନ୍ତି । ସେହିଭଳି ୬୨୩ ବୁଥରେ ସିସିସିଟିଭି ଲାଗିଛି । ୮୯୨ ମାଇକ୍ରୋ ଅବଜର୍ଭର ନିୟୋଜିତ ରହିଛନ୍ତି । ଅନ୍ୟପଟେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ୧୬ ହଜାର ୮୮୨ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।

publive-image Telanganaheadlines.in

ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସହ ଏହା ଅଧୀନସ୍ଥ ୩୫ ଗୋଟି ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରିବେ ଭୋଟର । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୩୫ ଜଣ ସାଂସଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଜାତୀୟ ଦଳର, ୫ ଜଣ ରାଜ୍ୟସ୍ତରୀୟ ଦଳର, ୯ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିବେ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ । ଏମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୭ ଜଣ ଜାତୀୟ ଦଳର, ୩୫ ଜଣ ରାଜ୍ୟସ୍ତରୀୟ ଦଳ, ୪୨ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭୦ ଜଣ ସ୍ୱାଧୀନ ପ୍ରାର୍ଥୀ  ନିର୍ବାଚନରେ ଅଂଶଗ୍ରହଣ କରିବେ।

ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯ ହଜାର ୧୧୭ ବୁଥରେ ୩୯ ଲକ୍ଷ ୪୫ ହଜାର ୦୨୫ ପୁରୁଷ ଭୋଟର, ୩୭ ଲକ୍ଷ ୪୭ ହଜାର ୪୯୩ ମହିଳା ଭୋଟର ଓ ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।