୪ ଅନାଥ ଶିଶୁଙ୍କ ସାହାରା ଜେଜେମା’ ଘଟଣା, ସହଯୋଗର ହାତ ବଢାଇଲେ ବିନୋଦ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବାଲିମେଳା ସଦର ମହକୁମାର ଡ୍ରଗ ଲାଇନରେ ବାସ କରୁଥିବା ୪ ଅନାଥ ଶିଶୁଙ୍କ ସାହାରା ବନିଛନ୍ତି ଜେଜେମା ରୁକୁଣୀ ପୂଜାରୀ।ଏହି ଖବର ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନ ପହଞ୍ଚିବା ପୂର୍ବରୁ ମାଲକାନଗିରିର ସମାଜସେବୀ ବିନୋଦ ଟାଵରୀ ବାଲିମେଳାରେ ପହଞ୍ଚି ସେହି ଚାରି ଅନାଥ ଶିଶୁଙ୍କୁ ଭେଟିଥିଲେ । ସେମାନଙ୍କ ସହ କିଛି ସମୟ କଟାଇବା ପରେ ସେମାନଙ୍କର ଦୁଃଖ ଶୁଣିଥିଲେ । ତୁରନ୍ତ ଚାରି ପିଲାଙ୍କ ସମସ୍ତ ବହି ଖାତା ଯୋଗାଇଦେବା ସହ ଏକ ମାସର ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଥିଲେ।ଏଥିସହ ୬ ହଜାର ଟଂକା ଜେଜେମାଙ୍କୁ ପ୍ରଦାନ କରିଥିଲେ ।

ଆଗାମୀ ଦିନରେ ମଧ୍ୟ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପିଲାମାନଙ୍କ ପାଠ ପଢାରେ ଯେପରି କୌଣସି ବାଧା ନଉପୁଜେ ସେନେଇ ସେ ସମସ୍ତ ବ୍ୟବସ୍ଥା କରିବେ ବୋଲି କହିଥିଲେ।ମାଲକାନଗିରି ଜିଲ୍ଲାର ଆଗଧାଡିର ସମାଜସେବୀ ଭାବେ ବିନୋଦ ବେଶ ପରିଚିତ।କେବଳ ଗରିବ,ନିଷ୍ପେସିତ ଏବଂ ଅସହାୟକଙ୍କୁ ହିଁ ସହଯୋଗ କରୁନାହାନ୍ତି।ଯେତେବେଳେ ବି ପ୍ରଶାସନ ବିନୋଦଙ୍କୁ ସହଯୋଗ କରିବା ନେଇ ଅନୁରୋଧ କରିଛି ସେତେବେଳେ ସେ ଆଗେଇ ଆସି ସହଯୋଗ କରିଛନ୍ତି।ଏପରିକି ପୁଲିସ ପ୍ରଶାସନକୁ ମଧ୍ୟ ସହଯୋଗ କରିଆସୁଛନ୍ତି।ନିଜ ଉଦ୍ୟମରେ ସେ ମାଲକାନଗିରିର ସମସ୍ତ ଛକରେ ସିସିଟିଭି ଲଗାଇଥିଲେ।ଯାହା ପୁଲିସ ପାଇଁ ଏକ ବଡ ସହଯୋଗ ହୋଇପାରିଛି । ସହରରେ ଚାଲୁଥିବା ଗୁଣ୍ଡାଗର୍ଦ୍ଦି ହେଉ ବା ଚୋରି ଡକାୟତି ହେଉ ଏହି ସିସିଟିଭି ପୁଲିସକୁ ବଡ ସଫଳତା ଆଣିବ।ସେହିପରି ଜିଲ୍ଲାର ଯେ କୌଣସି ସ୍ଥାନରେ ଗରିବ ପିଲା ପାଠ ପଢିବାକୁ ଚାହୁଁଥିଲେ ସେ ତୁରନ୍ତ ସହଯୋଗର ହାତ ବଢାଉଛନ୍ତି।ଯେଉଁଥିପାଇଁ ସେ ମାଲକାନଗିରି ସମେତ ବିଭିନ୍ନ ରାଜ୍ୟରୁ ପୁରସ୍କୁତ ହେବା ସହ ଛତିଶଗଡରେ ମଧ୍ୟ ସମ୍ମାନୀତ ହୋଇସାରିଛନ୍ତି।ତାଂକର ଏଭଲି ସେବା ଜାରି ରହୁ ଏତିକି କାମନା ।

ସମ୍ବନ୍ଧିତ ଖବର