ଆମର ଧର୍ମ, କଳା, ସାହିତ୍ୟ, ସଂସ୍କୃତି, ବିଜ୍ଞାନ ଓ ସାମାଜିକ ପରମ୍ପରାରେ ସଂଖ୍ୟା ‘୬୪’ର ବିଶେଷ ତାତ୍ପର୍ଯ୍ୟ ରହିଛି। କେବଳ ହିନ୍ଦୁ ଧର୍ମଧାରା ନୁହେଁ, ବୌଦ୍ଧ ଧର୍ମରେ ବି ୬୪ର ଗୁରୁତ୍ବ ରହିଛି। ୬୪ ଦେବତା ବୁଦ୍ଧଙ୍କ ଜ୍ଞାନ ଓ କରୁଣାର ବହୁମୁଖୀ ଦିଗକୁ ପ୍ରତୀକିତ କରନ୍ତି। ଅନେକ ମନ୍ଦିର ଏବଂ ଧାର୍ମିକ ସଂରଚନାରେ ୬୪ ସ୍ତମ୍ଭ, ୬୪ ପ୍ରତିମା ଓ ସାଜସଜ୍ଜା ଉପାଦାନ ସ୍ଥାନିତ ହୋଇଛି। ଏଥିସହ ୬୪ ସଂଖ୍ୟାଟି ଅନେକ ଏସୀୟ ରାଷ୍ଟ୍ରର ଜୀବନଧାରାରେ ଏକ ମହତ୍ତ୍ବପୂର୍ଣ୍ଣ ତଥା ଶୁଭ ସଂଖ୍ୟା ଭାବରେ ବିବେଚନା କରାଯାଏ। ଭାରତୀୟ ସଂସ୍କୃତିର ଅନ୍ୟତମ ପ୍ରାଣକେନ୍ଦ୍ର ଓଡ଼ିଶାରେ ରହିଛି ଦୁଇଟି ଚଉଷଠି ଯୋଗିନୀ ତନ୍ତ୍ରପୀଠ। ପୁଣି ମନ୍ଦିର ଗାତ୍ରରେ ଖୋଦିତ ହୋଇଛି ମହର୍ଷି ବାତ୍ସାୟନକୃତ ‘କାମସୂତ୍ର’ର ୬୪ ରତିବନ୍ଧର ନିର୍ବାଚିତ ଭଙ୍ଗିମା। ଏହି ୬୪ ସଂଖ୍ୟାର କଳା ଓ ସାହିତ୍ୟ ସହ ଅନ୍ତରଙ୍ଗ ସଂପର୍କ ରହିଛି।
ସଫଳ ଜୀବନ ପାଇଁ ଚଉଷଠି କଳା
ଭାରତୀୟ ଜନଜୀବନ ଓ ପରମ୍ପରା ବହୁ ଭାବରେ ପ୍ରାଚୀନ ଗ୍ରନ୍ଥ ଓ ଶାସ୍ତ୍ର ଦ୍ବାରା ଅନୁପ୍ରେରିତ। ଏକାଧିକ ଶାସ୍ତ୍ରରେ ଉଲ୍ଲେଖ ରହିଛି, ୬୪ ପ୍ରକାର କଳାବିଦ୍ୟା ପ୍ରତ୍ୟେକ ବ୍ୟକ୍ତିର ଶିକ୍ଷା କରିବା କର୍ତ୍ତବ୍ୟ । ଯଦିଓ ଶୈବତନ୍ତ୍ରମ୍, ମହାଭାରତ, କାମସୂତ୍ର, ନାଟ୍ୟଶାସ୍ତ୍ର, ଭାଗବତ, ଶୁକ୍ରନୀତି, ଶିବତତ୍ତ୍ବରତ୍ନାକର ଗ୍ରନ୍ଥରେ ଏହି କଳାର ସଂଖ୍ୟାରେ କିଛି ପ୍ରଭେଦ ରହିଛି, ତେବେ ଅଧିକାଂଶରେ ଚଉଷଠି ପ୍ରକାର କଳାବିଦ୍ୟା ଆହରଣ ଜୀବନରେ ଜରୁରି ବୋଲି ମତ ରହିଛି। ଏଗୁଡ଼ିକ ହେଲା-୧- ସଙ୍ଗୀତ, ୨- ନୃତ୍ୟ, ୩- ବାଦ୍ୟ, ୪- ଉଦକ ବାଦ୍ୟ, ୫- ନାଟ୍ୟାଭିନୟ, ୬- ରୂପ-ବିଧାନ, ୭- ତିଳକ ରଚନା, ୮- ବେଶ ରଚନା, ୯- ଅଙ୍ଗରଞ୍ଜନ, ୧୦- ମୁଣ୍ଡରେ ପୁଷ୍ପବିନ୍ୟାସ, ୧୧- କେଶବିନ୍ୟାସ, ୧୨- ପୁଷ୍ପଶଯ୍ୟା ରଚନା, ୧୩- ମାଳ ଗୁନ୍ଥିବା, ୧୪- ଗନ୍ଧଦ୍ରବ୍ୟ ପ୍ରସ୍ତୁତ କରିବା, ୧୫- ଚିତ୍ରବିଦ୍ୟା, ୧୬- ପ୍ରତିମା ନିର୍ମାଣ, ୧୭- ବୈଜୟକୀ ବିଦ୍ୟା, ୧୮- ବୃକ୍ଷାୟୁର୍ବେଦ ବିଦ୍ୟା, ୧୯- ପାକକ୍ରିୟା, ୨୦- ପାନୀୟରଚନା, ୨୧- ବଢ଼େଇ କର୍ମ, ୨୨- ସୂତା କାଟିବା, ୨୩- ବେତ ବାଉଁଶ ବୁଣିବା, ୨୪- ଶୟନରଚନା, ୨୫- ସୂଚୀକର୍ମ, ୨୬- ଅଳଙ୍କାର ପିନ୍ଧିବା, ୨୭- ଶିଶୁ କ୍ରୀଡ଼ନକ, ୨୮- ଅଳଙ୍କାର ନିର୍ମାଣ, ୨୯- ତଣ୍ଡୂଳକୁସୁମବିକାର, ୩୦- ହୀରା କାଟିବା, ୩୧- ମଣିଭୂମିକା, ୩୨- ବାସ୍ତୁବିଦ୍ୟା, ୩୩- ମଣିରାଗ ବିଜ୍ଞାନ, ୩୪- ସ୍ୱର୍ଣ୍ଣ ରୌପ୍ୟ ପରୀକ୍ଷା, ୩୫- ଖନି ବିଦ୍ୟା, ୩୬- ଧାତୁ ରସାୟନ, ୩୭- ଇନ୍ଦ୍ରଜାଲ, ୩୮- ବସ୍ତ୍ର ଗୋପନ, ୩୯- ଚିତ୍ର ପ୍ରଦର୍ଶନ, ୪୦- ହସ୍ତଲାଘବ ପଢ଼ାଇବା, ୪୧- ସୂତ୍ରକ୍ରୀଡ଼ା, ୪୨- ମେଷ କୁକ୍କୁଟ ଯୁଦ୍ଧ, ୪୩- ଶୁକସାରୀକା ପଢ଼ାଇବା, ୪୪- ଦ୍ୟୁତ କ୍ରୀଡ଼ା, ୪୫- ଆକର୍ଷ କ୍ରୀଡ଼ା, ୪୬- ଅଭିଧାନ, ୪୭- ଦେଶ ଭାଷା, ୪୮- ବିବିଧ ଭାଷା, ୪୯- ବୈନାୟକୀ ବିଦ୍ୟା, ୫ କାବ୍ୟସମସ୍ୟା. ୫୧- ଅକ୍ଷର- ମୁଷ୍ଟିକା କଥନ, ୫୨- ଗ୍ରନ୍ଥ ପାଠ, ୫୩- ନାଟକ ଜ୍ଞାନ, ୫୪- ମାନସୀ କାର୍ଯ୍ୟ, ୫୫- ପ୍ରହେଳିକା, ୫୬- ଯନ୍ତ୍ରମାତୃକା, ୫୭- ଜଳସ୍ତମ୍ଭ ବିଦ୍ୟା, ୫୮- ବସ୍ତୁଚ୍ୟୁତ ବିଦ୍ୟା, ୫୯- ଦୁର୍ବାଚକ ଯୋଗ, ୬୦- ବାୟୁ ମେଘ ବିଦ୍ୟା, ୬୧- ଧାରଣ ମାତୃକା, ୬୨- କ୍ରିୟା କୌଶଳ, ୬୩- ଛଳିତକ (ନାଟକଭେଦ), ୬୪- ବୈତାଳିକ ଜ୍ଞାନ।
ଯଦିଓ ସାଂପ୍ରତିକ ଜୀବନଧାରାରେ ଜଣଙ୍କ ପକ୍ଷେ ଏହି କଳାସମୂହ ସଂପର୍କିତ ଜ୍ଞାନର ଆବଶ୍ୟକତା ମନେହୁଏନା, ମାତ୍ର ଏକଦା ଭାରତୀୟ ସମାଜରେ ଏହାର ମହତ୍ତ୍ବ ଥିଲା।
ଅଚ୍ୟୁତାନନ୍ଦ ଦାସ: ‘ଚଉଷଠି ପଟଳ’ ଓ ‘ହରିବଂଶ’
ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ସାହିତ୍ୟକୃତି ମଧ୍ୟରେ ‘ଚଉଷଠି ପଟଳ’ ଅନ୍ୟତମ। ଏଥିରେ ସେ ଶ୍ରୀଜଗନ୍ନାଥ ତତ୍ତ୍ବ ଓ ଦର୍ଶନକୁ ବର୍ଣ୍ଣନା କରି ଲେଖିଛନ୍ତି, ‘‘ଶ୍ବେତ, ପୀତ, ନୀଳ ଲୋହିତାଦି ବର୍ଣ୍ଣ ଜଗତ ମଧ୍ୟରେ, ସେହି ବ୍ରହ୍ମ ଜାଣ ବ୍ୟାପୀ ରହିଅଛି ସକଳ ସ୍ଥାନରେ। ତାହାଙ୍କର କିଛି ଭେଦାଭେଦ ନାହିଁ କି ଜାତି ଅଜାତି, ସେହି ଅନାଦି ଅନନ୍ତ ରୂପ ଧାରଣ କରିଅଛନ୍ତି।’’ ଏଥିରେ ମଧ୍ୟ ପ୍ରକୃତ ଯୋଗୀ କିଏ ତାହାର ଏଭଳି ବ୍ୟାଖ୍ୟା ରହିଛି- “ଆତ୍ମାରୂପୀ ନାରାୟଣ ଜ୍ଞାନକେ ସବୁ ପ୍ରାଣୀ ଯେହୁ, ଏ ବ୍ରହ୍ମାଣ୍ଡ ମଧ୍ୟରେ ପରମ ବୈଷ୍ଣବ ଅଟଇଟି ସେହୁ।’’ ଅଚ୍ୟୁତାନନ୍ଦ ଦାସ ବିରଚିତ ‘ହରିବଂଶ’ରେ ଶ୍ରୀକୃଷ୍ଣଙ୍କ ରାସଲୀଳା ବର୍ଣ୍ଣନାରେ ମଧ୍ୟ ଚଉଷଠି ବନ୍ଧର କଥା ଉଲ୍ଲେଖ ରହିଛି-
‘‘ବିବିଧ ବନ୍ଧରେ ପୁଣି କରାଇଲେ ରତି
ଏକା ପୁରୁଷରେ ବଶ ସମସ୍ତ ଯୁବତୀ।
ବତିଶ ଯେ ଆଲିଙ୍ଗନ ଷୋଳକଳା ରତି
ଚଉଷଠି ବନ୍ଧ କାମଶାସ୍ତ୍ରର ଯେ ରୀତି।
ବିଧାତା ବାଣ୍ଟିଲା ଏହା ଷୋଳଭାଗ କରି
ସ୍ତିରୀଙ୍କି ଦ୍ୱାଦଶଭାଗ ପୁରୁଷଙ୍କୁ ଚାରି।
ଏକ ସ୍ତିରୀକି ଯେ ଏକ ପୁରୁଷ ସଂସାରେ
ଆଗହୁଁ ଧାତା ନିର୍ମାଣି ଅଛି ଏ ପ୍ରକାରେ।
ଷୋଳସହସ୍ର ଅଟନ୍ତି ବ୍ରଜପୁର ନାରୀ
କେମନ୍ତେ ବିହାର କଲେ ଏକା ଦେବହରି।’’
ଓଡ଼ିଶାର ଦୁଇ ଚଉଷଠି ଯୋଗିନୀ ପୀଠ
ଭାରତରେ ହାତ ଗଣତି ଚଉଷଠି ଯୋଗିନୀ ପୀଠ ଥିବାବେଳେ ଓଡ଼ିଶାରେ ଦୁଇଟି ରହିଛି। ରାଜଧାନୀ ଭୁବନେଶ୍ବରଠାରୁ ମାତ୍ର ଦଶ କି.ମି. ଦୂରରେ ରହିଛି ହୀରାପୁରର ଚଉଷଠି ଯୋଗିନୀ ତନ୍ତ୍ରପୀଠ। ଏହି ମୁକ୍ତାକାଶ ଉପାସନା ପୀଠଟି ଲୋକଲୋଚନକୁ ଆସିବା ପ୍ରାୟ ସତୁରି ବର୍ଷ ହୋଇଗଲାଣି। ୧୯୫୩ ମସିହାରେ ପ୍ରତ୍ନତତ୍ତ୍ବବିତ୍ ତଥା ଐତିହାସିକ କେଦାରନାଥ ମହାପାତ୍ରଙ୍କ ଦ୍ବାରା ଲୋକଲୋଚନକୁ ଆସିଥିବା ହୀରାପୁର ଯୋଗିନୀ ମନ୍ଦିରର ପ୍ରତିଷ୍ଠା କାଳକୁ ନେଇ ବିଭିନ୍ନ ମତ ରହିଛି। କେହି କେହି କହନ୍ତି ଖ୍ରୀଷ୍ଟପୂର୍ବ ତୃତୀୟ ଶତକରେ ମହାମେଘବାହାନ ଐରଖାରବେଳଙ୍କ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଖାରବେଳଙ୍କ ପତ୍ନୀ ହୀରା ଯୋଗିନୀମାନଙ୍କୁ ପୂଜାର୍ଚ୍ଚନା କରୁଥିଲେ। ଏହି ପୀଠର ପ୍ରତିଷ୍ଠାତା ଖାରବେଳ କୁହାଯିବା ପଛରେ ସେମାନଙ୍କ ଯୁକ୍ତିହେଲା- ସମସାମୟିକ ଜୈନ କଳା ଭାସ୍କର୍ଯ୍ୟ ସହ ଏଠାରେ ଥିବା ମୂର୍ତ୍ତିଗୁଡ଼ିକର ଅନେକ ସାମଞ୍ଜସ୍ୟ ରହିଛି। ଅନ୍ୟ ମତରେ ହୀରାପୁରର ଚଉଷଠି ଯୋଗିନୀ ମନ୍ଦିରର ନିର୍ମାଣ ଭୌମକର ବା ଭୌମ୍ୟ ରାଜବ˚ଶ ସମୟରେ ହୋଇଥିଲା। ଓଡ଼ିଶାର ଅନ୍ୟତମ ଯୋଗିନୀ ପୀଠ ରାଣୀପୁର ଝରିଆଲର ଯୋଗିନୀ ମନ୍ଦିରଟି ସୋମବ˚ଶୀ ରାଜାଙ୍କ ଅମଳରେ କରାଯାଇଥିଲା। ବଲାଙ୍ଗୀରଠାରୁ ୧୧୦ କିଲୋମିଟର ଦୂର ରାଣୀପୁର ଝରିଆଲରେ ରହିଛି ଏହି ତନ୍ତ୍ରପୀଠ। ଏଠାରେ ଶିଳା ଦେହରେ ବୃତ୍ତାକାରରେ ଯୋଗିନୀମାନେ କେନ୍ଦ୍ରରେ ଥିବା ବ୍ରହ୍ମାଙ୍କୁ ଘେରି ରହିଛନ୍ତି । ସୋମବ˚ଶୀ ରାଜାମାନଙ୍କ ଦ୍ବାରା ଏସବୁ କୀର୍ତ୍ତିରାଜି ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦିଅନ୍ତି। ତେବେ ଏଠାରେ ଚଉଷଠି ଯୋଗିନୀଙ୍କ ସ˚ଖ୍ୟା ଏବେ ୬୨ରେ ପହଞ୍ଚିଛି। ୧୯୭୫-୭୬ରେ ରାଜ୍ୟର ପ୍ରତ୍ନତତ୍ତ୍ବ ବିଭାଗ ଏଠାରେ ଖୋଦନ କରି ଏକ ବୁଦ୍ଧମୂର୍ତ୍ତି ପାଇଥିଲା । ଏହି ପୀଠରେ ବୌଦ୍ଧ, ଶାକ୍ତ ଓ ଶୈବ ପରମ୍ପରାର ଅପୂର୍ବ ସମନ୍ବୟ ଘଟିଛି।
ଚଉଷଠି ପଛର ରହସ୍ୟ
ମହାକବି କାଳିଦାସ ସତେଇଶ ପ୍ରକାର କେଶବିନ୍ୟାସର ବର୍ଣ୍ଣନା କରିଥିବା ବେଳେ ଉପେନ୍ଦ୍ର ଭଞ୍ଜ ଷୋହଳ ପ୍ରକାରର କେଶବିନ୍ୟାସ କଥା ସେମାନଙ୍କ କାବ୍ୟକୃତିରେ ବର୍ଣ୍ଣନା କରିଛନ୍ତି। ତେବେ ଏଠାରେ ଏ ପ୍ରସଙ୍ଗ ଆଲୋଚନା କରିବାର ଉଦ୍ଦେଶ୍ୟ ହେଲା ଏହି ଯୋଗିନୀ ପୀଠର ଚଉଷଠି ଯୋଗିନୀ ୬୪ ପ୍ରକାର କେଶ ବିନ୍ୟାସ କରିଛନ୍ତି। ତେବେ ଏହି ଚଉଷଠି ସ˚ଖ୍ୟାକୁ ନେଇ ଆହୁରି ଅନେକ ଆଲୋଚନା ମଧୢ ବିଦ୍ବାନ୍ମାନେ କରିଛନ୍ତି। ଯେମିତିକି ଚଉଷଠି କଳାର ପ୍ରତୀକ ରୂପେ ଚଉଷଠି ଯୋଗିନୀ ଅବସ୍ଥାପିତ। ସେହିପରି ଏହା ଚଉଷଠି ଭୋଗର ପ୍ରତୀକ, ଚଉଷଠି ଗାୟତ୍ରୀର ପ୍ରତୀକ, ଚଉଷଠି କାମଶାସ୍ତ୍ରର ପ୍ରତୀକ ଓ ଚଉଷଠି ସିଦ୍ଧ ମହାପୁରୁଷଙ୍କର ପ୍ରତୀକ। ଯୋଗସ୍ଥା ନାରୀ ହିଁ ଯୋଗିନୀ ରୂପେ ପରିଚିତ। ଧାର୍ମିକ ଦୃଷ୍ଟିକୋଣରୁ ଚଉଷଠି ସଂଖ୍ୟାର ପବିତ୍ରତାର ପଟାନ୍ତର ନାହିଁ। ଚଉଷଠି ଯୋଗିନୀ ଉପାସନା କରିବା ଦ୍ୱାରା ଭକ୍ତମାନଙ୍କର ଅଶେଷ ଉପକାର ସାଧିତ ହୋଇଥାଏ। କୁହାଯାଏ ଚଉଷଠି ଯୋଗିନୀଙ୍କ ନାମ ଜପ କଲେ ଶରୀରରୁ ସର୍ବବ୍ୟାଧି ଦୂର ହୋଇଥାଏ। ଶିଶୁମାନଙ୍କର ରୋଗ ନାଶ ହୋଇଥାଏ। ଗର୍ଭବତୀ ନାରୀଙ୍କର ଗର୍ଭ ସମୟର ବେଦନା ଦୂର ହୋଇଥାଏ। ସର୍ବୋପରି ଭକ୍ତମାନଙ୍କର ମାନସିକ ପୂରଣ ହୋଇଥାଏ। ଯୋଗିନୀଙ୍କ ଅସ୍ତ୍ରଶସ୍ତ୍ର ସ˚ପର୍କରେ କୁହାଯାଏ ଯେ, ଦେବୀ ମହାମାୟା ଓ ଚଉଷଠି ଯୋଗିନୀମାନେ ଯେଉଁ ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି ସେସବୁ ଭିନ୍ନ ଭିନ୍ନ ପ୍ରକାର କ୍ରିୟାଶକ୍ତିର ପ୍ରତୀକ। ଯେମିତିକି ଦେବୀ ମହାମାୟା ଧାରଣ କରିଥିବା ପାଶ ଆସକ୍ତିର ପ୍ରତୀକ। ଅଙ୍କୁଶ ନିୟନ୍ତ୍ରଣର, ଧନୁ ଆନନ୍ଦ ରସ ପ୍ରତି ଆସକ୍ତ ଥିବା ମନର ପ୍ରତୀକ ବୋଲି କୁହାଯାଏ।
ଯୋଗିନୀଙ୍କ ପରିଚୟ
ବଜ୍ରଯାନ ବା ତନ୍ତ୍ରପୂଜାର ଏହି ମନ୍ଦିରଟିରେ ଯୋଗିନୀମାନଙ୍କ ମୂର୍ତ୍ତିସବୁ ସାଧାରଣତଃ ଉଲଙ୍ଗ ନାରୀମୂର୍ତ୍ତି। ଏହି ନାରୀ ବା ଯୋଗିନୀମାନେ ପଶୁ, ମଣିଷ କିମ୍ବା ଅସୁର ଉପରେ ଉପବେଶନ କରିଥିବାର ଦେଖିବାକୁ ମିଳିଥାଏ। ଏହା ନାରୀଶକ୍ତିର ପ୍ରତୀକ। ମୂର୍ତ୍ତିଗୁଡ଼ିକ ରାଗ, ଅନୁରାଗ, ସୁଖ, ଦୁଃଖ ଆଦି ଭାବକୁ ପ୍ରକାଶ କରିଥା’ନ୍ତି। ଯୋଗିନୀପୀଠରେ ବସିଥିବା ଏହି ଚଉଷଠି ଯୋଗିନୀଙ୍କ ପରିଚୟ ତେବେ କ’ଣ? ‘କାଳିକାପୁରାଣ’ରେ ଏମାନଙ୍କ ନାମ ଉଲ୍ଲେଖ ରହିଛି। ଏମାନେ ହେଲେ (୧) ନାରାୟଣୀ, (୨) ଗୌରୀ, (୩) ଶାକମ୍ବରୀ, (୪) ଭୀମା, (୫)ରକ୍ତଦନ୍ତିକା, (୬) ଭ୍ରାମରୀ, (୭) ପାର୍ବତୀ, (୮) ଦୁର୍ଗା, (୯) କାତ୍ୟାୟନୀ, (୧୦) ମହାଦେବୀ, (୧୧) ଚଣ୍ତଘଣ୍ଟା, (୧୨) ମହାବିଦ୍ୟା, (୧୩) ମହାତପା, (୧୪) ସାବିତ୍ରୀ, (୧୫) ବ୍ରହ୍ମବାଦିନୀ, (୧୬) ଭଦ୍ରକାଳୀ, (୧୭) ବିଶାଳାକ୍ଷୀ, (୧୮) କୃଷ୍ଣପିଙ୍ଗଳା, (୧୯) ରୁଦ୍ରାଣୀ, (୨୦) ଅଗ୍ନିଜ୍ବାଳା, (୨୧) ରୌଦ୍ରମୁଖୀ, (୨୨) କାଳରାତ୍ରୀ, (୨୩) ତପସ୍ବିନୀ, (୨୪) ମେଘସ୍କନା, (୨୫) ସହସ୍ରାକ୍ଷୀ, (୨୬) ବିଷ୍ଣୁମାୟା, (୨୭) ଜଳୋଦରୀ, (୨୮) ମହୋଦରୀ, (୨୯) ମୁକ୍ତକେଶୀ, (୩୦) ଘୋରରୂପା, (୩୧) ମହାବଳା, (୩୨) ଶ୍ରୁତି, (୩୩) ସ୍ମୃତି, (୩୪) ଧୃତି, (୩୫) ତୁଷ୍ଟି, (୩୬) ପୁଷ୍ଟି, (୩୭) ମେଧା, (୩୮) ବିଦ୍ୟା, (୩୯) ଲକ୍ଷ୍ମୀ, (୪୦)ସରସ୍ବତୀ, (୪୧) ଅପର୍ଣ୍ଣା, (୪୨) ଅମ୍ବିକା, (୪୩) ଯୋଗିନୀ, (୪୪) ଡାକିନୀ, (୪୫) ଶାକିନୀ, (୪୬)ହାକିନୀ, (୪୭) ଲାକିନୀ, (୪୮) ତ୍ରିଦଶେଶ୍ବରୀ, (୪୯) ମହାଷଷ୍ଠୀ, (୫୦) ସର୍ବମଙ୍ଗଳା, (୫୧) ଲଜ୍ଜା, (୫୨) କୌଶିକୀ, (୫୩) ବ୍ରାହ୍ମଣୀ, (୫୪) ମାହେଶ୍ବରୀ, (୫୫) କୌମାରୀ, (୫୬) ବୈଷ୍ଣବୀ, (୫୭) ଐନ୍ଦ୍ରୀ, (୫୮) ନାରସି˚ହୀ, (୫୯) ବରାହୀ, (୬୦) ଚାମୁଣ୍ତା, (୬୧)ଶିବଦୂତୀ, (୬୨) ବିଷ୍ଣୁଦୂତୀ, (୬୩) ଚଣ୍ତିକା, (୬୪) ମାତୃକା।
ବାତ୍ସାୟନଙ୍କ ଚଉଷଠି ରତିବନ୍ଧ
ଖ୍ରୀଷ୍ଟାବ୍ଦ ଦ୍ବିତୀୟରୁ ତୃତୀୟ ଶତାବ୍ଦୀ ମଧ୍ୟରେ ସଂସ୍କୃତରେ ରଚିତ ଭାରତୀୟ ଦାର୍ଶନିକ ବାତ୍ସାୟନଙ୍କ ଲିଖିତ ଗ୍ରନ୍ଥ ‘କାମସୂତ୍ର’ ବିଶ୍ବପ୍ରସିଦ୍ଧ। ଏଥିରେ ଯୌନଜୀବନକୁ ସରସ କରିବା ଲାଗି ଚଉଷଠି ରତିବନ୍ଧର ଅବତାରଣା କରାଯାଇଛି। ଏହା ହେଉଛି ବର୍ଣ୍ଣିତ ସ୍ତ୍ରୀ-ପୁରୁଷ ସଙ୍ଗମର ଚଉଷଠି ପ୍ରକାର ବିଧି ବା ଅବସ୍ଥାନ। ସେହିପରି ‘ସ୍ମରଦୀପିକା’ ଓ ‘ରତିମଞ୍ଜରୀ’ ଗ୍ରନ୍ଥରେ ଏଭଳି କିଛି ପ୍ରମୁଖ ରତି ବନ୍ଧର କଥା ଉଲ୍ଲେଖ ରହିଛି। ସେମଧ୍ୟରୁ ପ୍ରମୁଖ ୧୬ଟି ହେଉଛି (୧) ପଦ୍ମବନ୍ଧ ବା ପଦ୍ମାସନବନ୍ଧ, (୨) ନାଗପଦ, ନାଗପାଶ ବା ନାଗବନ୍ଧ, (୩) ଲତାବେଷ୍ଟ, ଲତାବେଷ୍ଟିତ ବା ଲତାବେଷ୍ଟିତକ, (୪) ଅର୍ଦ୍ଧସମ୍ପୂଟ ବା ସମ୍ପୂଟ, (୫) କୁଳିଶ ବା କୁଳୁଶ ନାୟକ, (୬) ରତିସୁନ୍ଦର ବା ସୁନ୍ଦର, (୭) କେଶବ(ର)ବନ୍ଧ ବା ବିରାମ (ଆରାମ) ବନ୍ଧ, (୮) ହିଲ୍ଲୋଳ ବନ୍ଧ, (୯) ନରସିଂହ ବା ନୃସିଂହ, (୧୦) ବିପରୀତ ବା ବିପରୀତକ, (୧୧) କ୍ଷୁବ୍ଧବନ୍ଧ, (୧୨) ଧେନୁକ ବନ୍ଧ, (୧୩) ଉତ୍କଣ୍ଠ ବନ୍ଧ, (୧୪) ସିଂହାସନ ବନ୍ଧ, (୧୫) ରତି ନାଗ ବନ୍ଧ ଓ ରତି ପାଶ ବା ରତିପାଶକ ବନ୍ଧ, (୧୬) ବିଦ୍ୟାଧର ବନ୍ଧ। ଏହାବାଦ୍ ସିଂହଲୀଳା, ମୃଗାଦି ପଶୁପକ୍ଷୀଙ୍କର ସଙ୍ଗମରୀତି ଓ ଅବସ୍ଥିତି ଅନୁକରଣରେ ମୃଗବନ୍ଧ, ପଶୁବନ୍ଧ, ଶ୍ୱାନବନ୍ଧ, ପକ୍ଷୀବନ୍ଧ, ବୃଷବନ୍ଧ, ସର୍ପବନ୍ଧ ଆଦି ନାନା ପ୍ରକାରର ବନ୍ଧର ଉଲ୍ଲେଖ ଭିନ୍ନ ଭିନ୍ନ ଗ୍ରନ୍ଥରେ ଦେଖାଯାଏ।
ଚଉଷଠି ସିଦ୍ଧ
ଓଡ଼ିଶାର ସ୍ବକୀୟ ଧର୍ମଧାରା ମହିମା ଧର୍ମରେ ଚଉଷଠି ସିଦ୍ଧଙ୍କ କଥା ଉଲ୍ଲେଖ ଅଛି। ଏହି ସିଦ୍ଧପୁରୁଷମାନେ ଅଲେଖ ବ୍ରହ୍ମଅବଧୂତ ଗୁରୁ ମହିମା ଗୋସାଇଁଙ୍କ ଦ୍ୱାରା ସ୍ଥାପିତ ସିଦ୍ଧାଶ୍ରମରେ ଅବସ୍ଥାନ କରୁଥିଲେ। ସତ୍ୟମହିମାଧର୍ମୀ ଅବଧୂତାଶ୍ରମୀ ବଳ୍କଳଧାରୀ ପରି ସନ୍ନ୍ୟାସୀମାନଙ୍କ ପନ୍ଥାକୁ ସିଦ୍ଧାଶ୍ରମ ପନ୍ଥା ବୋଲାଯାଏ। ଅବଧୂତ ବିଶ୍ୱନାଥ ବାବା ତାଙ୍କର ଏକ ଲେଖାରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମେ ସିଦ୍ଧଗୋବିନ୍ଦ ବାବା, ତତ୍ପରେ ନୃସିଂହ ବାବା ପ୍ରଭୃତି ସିଦ୍ଧ ନନ୍ଦବାବାଙ୍କ ପର୍ଯ୍ୟନ୍ତ ବୟାନବେ ମୂର୍ତ୍ତି ଉକ୍ତ ପନ୍ଥାରେ ଅନ୍ତର୍ଭୁକ୍ତ ହୋଇଥିଲେ। ତହିଁ ମଧ୍ୟରୁ ଚଉଷଠି ମୂର୍ତ୍ତି ସିଦ୍ଧଯୋଗୀ ପଦବାଚ୍ୟ ଅଟନ୍ତି। ଉକ୍ତ ସିଦ୍ଧପୁରୁଷମାନଙ୍କର ଅଲୌକିକ ମାହାତ୍ମ୍ୟ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରକଟିତ ହୋଇଅଛି। ପୁନଶ୍ଚ ଏହି ସିଦ୍ଧାଶ୍ରମ ପନ୍ଥା ଗୁରୁ ମହିମା ଗୋସାଇଁଙ୍କ ଆଜ୍ଞାନୁସାରେ ସିଦ୍ଧ ନନ୍ଦବାବା ପ୍ରଭୃତିଙ୍କ ଦ୍ୱାରା ମହିମା ଗାଦିଠାରେ ପ୍ରଚାରିତ ହୋଇ ସମୃଦ୍ଧି ଲାଭ କରିଅଛି।