ବେଙ୍ଗାଲୁର: ଭୋଟ୍ ପାଇଁ ନେତାମାନେ କ’ଣ ସବୁ ନ କରନ୍ତି! ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ଗୋଟିଏ ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି ଏକ ଭିଡିଓ। ଭିଡିଓଟିରେ କର୍ଣ୍ଣାଟକର ଗୃହ ନିର୍ମାଣ ମନ୍ତ୍ରୀ ଏମ୍ଟିବି ନାଗାର୍ଜନ ‘ନାଗିନ୍ ଡ୍ୟାନ୍ସ’ କରୁଥିବାର ଦେଖିବାକୁ ମିଳିଛନ୍ତି। ହୋସ୍କୋଟେ ଅଞ୍ଚଳରେ ଦଳେ ଲୋକଙ୍କ ସମ୍ମୁଖରେ ନାଗାର୍ଜୁନ ତାଙ୍କ ସପକ୍ଷରେ ଭୋଟ୍ ପାଇଁ ଏପରି ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ନାଗାର୍ଜନ ମଙ୍ଗଳବାର ଅପରାହ୍ନରେ ତାଙ୍କର ସମର୍ଥକମାନଙ୍କୁ ନେଇ ହୋସ୍କୋଟେର କାଟିଗେନାହାଲି ଅଞ୍ଚଳକୁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ। ସେ ସେଠାକୁ ଯାଇ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କହିଥିଲେ।
ସାଥିରେ ସେ ଏକ ମ୍ୟୁଜିକ୍ ବ୍ୟାଣ୍ଡ୍ ନେଇ ଯାଇଥିବାର ନଜର ଆସିଥିଲେ। ସେଠାକାର ଲୋକମାନଙ୍କ ମନ ଜିଣିବାକୁ ନିଜେ ‘ନାଗିନ୍’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସଭିଙ୍କୁ ଚମକାଇ ଦେଇଥିଲେ। ‘ନାଗିନ୍ ଡ୍ୟାନ୍ସ’ ବ୍ୟତୀତ ୬୭ ବର୍ଷିଅ ଏହି କଂଗ୍ରେସ ନେତା ‘ମନ ଡୋଲେ ମେରା ତନ ଡୋଲେ’ ଗୀତରେ ବି ନୃତ୍ୟ ପ୍ରଦର୍ଶନ କରିଥିଲେ।
ନାଗାର୍ଜନଙ୍କ ସହ ତାଙ୍କର କିଛି ସମର୍ଥକ ମିଶି ୧୦ ମିନିଟ୍ ପର୍ଯ୍ୟନ୍ତ ରାସ୍ତା ମଝିରେ ନୃତ୍ୟ ପ୍ରଦର୍ଶନ କରି ଲେକଙ୍କ ମନୋରଞ୍ଜନ କରାଇଥିଲେ।