କୋରାପୁଟ: ରାଜ୍ୟ ସରକାର ଓଡିଶା ମିଲେଟ ମିଶନ ଜରିଆରେ ଆରମ୍ଭ କରିଛନ୍ତି ଶ୍ରୀ ଅନ୍ନ ଅଭିଯାନ । ଜିଲ୍ଲାରେ ଗତ ବର୍ଷ ତୁଳନାରେ ଏହି ବର୍ଷ ୮୨୩ହେକ୍ଟର ଜମିର ଚାଷ କମିଯାଇଛି। ଜିଲ୍ଲାରେ ଧିରେ ଧିରେ କ୍ଷୁଦ୍ର ଶସ୍ୟ ଚାଷ କମି କମି ଆସିଲାଣି। କିଛି ବ୍ଲକରେ ଚାଷୀ ମକା ଓ ଆଉ କିଛି ବ୍ଲକରେ ଲେମନ୍ ଗ୍ରାସ୍ ଚାଷ ଆଡକୁ ମୁହାଁଇଛନ୍ତି।
ଜିଲ୍ଲାର ମୋଟ ୩ଲକ୍ଷ ୧ହଜାର ୫୦୦ହେକ୍ଟର ଚାଷ ଜମି ରହିଥିବା ବେଳେ ଚାଷ ୨ଲକ୍ଷ ୯୭ହଜାର ୫୫୦ହେକ୍ଟରରେ କରାଯାଉଛି। ୧ଲକ୍ଷ ୮୫ହଜାର ୫୪୦ହେକ୍ଟର ଉଚ୍ଚଜମି, ୭୮ହଜାର ୫୩୦ହେକ୍ଟର ମଧ୍ୟମ ଓ ୩୩ହଜାର ୪୮୦ହେକ୍ଟର ଖାଲୁଆ ଜମି ରହିଛି। ମଧ୍ୟମ ଓ ଖାଲୁଆ ଜମିରେ ବେଶି ପରିମାଣର ଧାନ ଚାଷ ଓ ଆଖୁଚାଷ କରାଯାଉଛି। ସେଭଳି ଉଚ୍ଚ ଜମି ଓକିଛିକାଂଶ ମଧ୍ୟମ ଜମିରେ ମକା, ଡାଲିଜାତୀୟ, ପନିପରିବା, ମାଣ୍ଡିଆ ଓ ତୈଳବଜୀ ଚାଷ ହେଉଛି। ପୂର୍ବରୁ ଲୋକେ ଜଙ୍ଗଲ ଜମି ଗୁଡିକରେ ମାଣ୍ଡିଆ, ବାଜ୍ରା, କୋଳଥ, ମୁଗ, ବିରି, ସୁଆଁ, କାଙ୍ଗୁ ଚାଉଳ ଆଦି ଚାଷ କରାଯାଉଥିଲା। ଧାନ ଚାଷ ୯୫ହଜାର ହେକ୍ଟର ଜମିରେ କରାଯାଉଥିବା ବେଳେ ଡାଲି ଜାତୀୟ ୧୮୨୧୫ହେକ୍ଟର, ତୈଳବୀଜ ୧୫ହଜାର ୩୪, ତନ୍ତୁ ଜାତୀୟ ୧୨୩୧ହେକ୍ଟରରେ ଚାଷ ହେଉଛି। ସେହିପରି ଓଡିଶା ମିଲେଟ ମିଶନ ଶ୍ରୀ ଅନ୍ନ ଅଭିଯାନରେ ଗତ ୨୦୨୩-୨୪ରେ ୧୬୭୬୬ହେକ୍ଟର ଜମିରେ ଚାଷ ହୋଇଥିଲା। ୨୦୨୪-୨୫ଖରିଫରେ ତାହା କମି ୧୫୯୪୩ହେକ୍ଟରେ କରାଯାଉଛି। ଏଥିରେ ମାଣ୍ଡିଆ ୧୩୭୬୦ ହେକ୍ଟର ଓ ସୁଆଁ , କାଙ୍ଗୁ ଆଦି ୨୧୮୩ ହେକ୍ଟର କରାଯାଉଛି। ଗତ ବର୍ଷ ତୁଳନାରେ ୮୨୩ହେକ୍ଟର କମିଯାଇଛି।
ଗୋଟିଏ ପଟେ ଧାନ, ମାଣ୍ଡିଆ ଓ ମକାକୁ ବାଦ୍ ଦେଇ ସରକାର ଅନ୍ୟ କ୍ଷୁଦ୍ରଶସ୍ୟ ବିକ୍ରୀ ପାଇଁ ମଣ୍ଡି ଆରମ୍ଭ କରିନାହାନ୍ତି। ଜୈବିକଶ୍ରୀ ସଂସ୍ଥା କିଛି ମାତ୍ରାରେ ବଜାର ଯୋଗାଉଛି। ଏସବୁକୁ ଉତ୍ପାଦନ କରିବା ପରେ ତେବେ ବହୁଳ ଭାବେ ବିକ୍ରୀବଟାର ସୁବିଧା ନଥିବାରୁ ଆଗ ଭଳି ଚାଷୀ କ୍ଷୁଦ୍ର ଶସ୍ୟ ଚାଷ କରିବା ବଦଳରେ ହଳଦୀ, ଅଦା, ଲେମନଗ୍ରାସ, ମକା ଓ ପନିପରିବା ଆଦିର ଚାଷ କରୁଛନ୍ତି। ପୂର୍ବରୁ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ କାଳକ୍ରମେ ସଂପୁର୍ଣ୍ଣ ରୁପେ ରାସୟନିକ ସାର ଓ ହାଇବ୍ରୀଡ୍ ବିହନ ଉପରେ ନିର୍ଭର। ଏହି ସ୍ଥିତିରେ ରାସାୟନିକ ୟୁରିଆ ସାର୍ ଅଧିକା ଜମିରେ ପକାଇବା ଫଳରେ ଜମିର ଉର୍ବରତା ଆଉ ପୂର୍ବଭଳି ନାର୍ହି।
ଏହି ସ୍ଥିତିରେ ଦିନକୁ ଦିନ ପୂର୍ବଭଳି ଜିଲ୍ଲାରେ ଉତ୍ପାଦିତ କାନ୍ଦୁଲ ମଂଜି ଓ ଡାଲି, ମସୁର, ମୁଗ ଓ ବିରୀ ଡାଲି, ସୁଆଁ, ବାଜ୍ରା, କାଙ୍ଗୁ ଚାଉଳ ଆଉ ମିଳୁ ନାହିଁ। ପାରମ୍ପରିକ ଚାଷ ଧିରେ ଧିରେ ଲୋପ ପାଇବାକୁ ବସିଥିବା ବେଳେ ବିଶ୍ବ ବଜାରରେ ଏବେ ପାରମ୍ପରିକ କ୍ଷୁଦ୍ର ଖାଦ୍ୟ ଶସ୍ୟର ନାହିଁ ନଥିବା ଚାହିଦା ରହିଛି। ଶ୍ରୀ ଅନ୍ନରେ ଥିବା ସୁଆଁ, କାଙ୍ଗୁ, କଦ ଆଦିକୁ ବିଶ୍ବଦରବାର ଓଡାକ୍ତରମାନେ ସ୍ବାସ୍ଥ୍ୟ ପାଇଁ ରାମବାଣ ବୋଲି କହୁଛନ୍ତି। ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଚାଷୀଙ୍କୁ ପୁଣି ପାରମ୍ପରିକ ଚାଷ, ଜୈବିକ ଖତ ଦିଆ ଚାଷ, କ୍ଷୁଦ୍ର ଖାଦ୍ୟ ଶସ୍ୟ ଚାଷ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ତମ ବଜାର ଯୋଗାଇବା ସହ ଓ ସଚେତନତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।