ମୁଁ କୌଣସି ଦଳରେ ନାହିଁ କି ବିଜେଡିରେ ମିଶିନାହିଁ, ଜଣେ କବି ସବୁ ଦଳର : ପଦ୍ମଶ୍ରୀ ହଳଧର ନାଗ

ଭୁବନେଶ୍ୱର: ନବୀନ ନିବାସରେ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗଙ୍କ ଉପସ୍ଥତି ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ସେ କହିଛନ୍ତି ଯେ, ନିକଟରେ ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେବା ସହ ହଳଧର ଗବେଷଣା କେନ୍ଦ୍ର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇଟି ଦାବିକୁ ପୂରଣ କରିବାକୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲି । ମୁଁ କୌଣସି ଦଳରେ ନାହିଁ କି ବିଜେଡିରେ ମୁଁ ମିଶିନାହିଁ । ଜଣେ କବି ସବୁ ଦଳର ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡ଼ିଶାରୁ ଲଢ଼ିବା ଚର୍ଚ୍ଚା ନେଇ ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି ଯେ, ଏହା ତାଙ୍କ ବ୍ୟକ୍ତିଗତ ରାଜନୈତିକ ନିଷ୍ପତି । ସେ କେଉଁଠାରୁ ଲଢ଼ିବେ ସେ ବିଷୟରେ ମୁଁ ଜାଣି ନାହିଁ । ମୁଁ କେବଳ ଜଣେ କବି ଏବଂ ପଶ୍ଚିମ ଓଡ଼ିଶା ପାଇଁ ମୋର ୨ଟି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । କାରଣ ଭାରତର ଦ୍ୱିତୀୟ ସର୍ବାଧିକ କ୍ୟାନସର ରୋଗୀ ବରଗଡରେ ପିଡ଼ୀତ ତେଣୁ ସେଠାରେ ତୁରନ୍ତ କ୍ୟାନସର ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛି । ଏହାକୁ ଯଥାଶୀଘ୍ର ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

ସମ୍ବନ୍ଧିତ ଖବର