ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳ ଆଜିକାଲି ପଡ଼ିଆରେ ନିମ୍ନ ମନର ପ୍ରଦର୍ଶନ ଦେଖାଉଛି । ପାକିସ୍ତାନ ଦଳ କେତେବେଳେ ବାଂଲାଦେଶଠାରୁ ହାରୁଛି ତ କେତେବେଳେ ୱେଷ୍ଟଇଣ୍ଡିଜ୍ ଭଳି ନିମ୍ନ ର଼୍ୟାଙ୍କିଂ ଦଳଠାରୁ ପଛରେ ପଡିଯାଉଛି | ଏହି କ୍ରମ ନିରନ୍ତର ଜାରି ରହିଛି। ଫଳସ୍ୱରୂପ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବେ ଖେଳାଳିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ହୋଇଛି ଯେ ବୋର୍ଡ ଖୁବ୍ ଶୀଘ୍ର ବରିଷ୍ଠ କ୍ରିକେଟରଙ୍କ ଦରମା କାଟିବାକୁ ଯାଉଛି, ଯାହା ଯୋଗୁଁ ବାବର ଆଜମ ଏବଂ ଶାହିନ ଶାହ ଆଫ୍ରିଦିଙ୍କ ଭଳି ଷ୍ଟାର ଖେଳାଳିଙ୍କୁ କୋଟି କୋଟି ଟଙ୍କାର ଝଟକା ଲାଗିପାରେ। ପିସିବି ଭିତରେ ବହୁତ ଦିନ ଧରି ଆଲୋଚନା ହେଉଛି ଯେ ଖେଳାଳିମାନଙ୍କୁ ଦିଆଯାଉଥିବା ବିପୁଳ ଦରମା ଦଳର ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପକାଉନାହିଁ। ବିପରୀତରେ, ଗତ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ର ଗ୍ରାଫ୍ ଆହୁରି ତଳକୁ ଖସିଯାଇଛି। ଏହି କାରଣରୁ ବୋର୍ଡ ଏବେ ଚୁକ୍ତିଭିତ୍ତିକ ଖେଳାଳିଙ୍କ ଦରମା କାଟିବା ପାଇଁ ଯୋଜନା କରୁଛି।
କୁହାଯାଉଛି ଯେ ଆଇସିସି ରାଜସ୍ୱର ୩ ପ୍ରତିଶତ ପିସିବିର କେନ୍ଦ୍ରୀୟ ଚୁକ୍ତିରୁ ଖେଳାଳିମାନଙ୍କୁ ଦିଆଯାଏ, ଯାହା ଦ୍ୱାରା ଖେଳାଳିମାନେ ଅଧିକ ରୋଜଗାର କରିପାରିବେ, କିନ୍ତୁ ଏବେ ଏହାକୁ ପାକିସ୍ତାନ ବୋର୍ଡ ବନ୍ଦ କରିପାରିବ। ଯଦି ଏହା ହୁଏ, ତେବେ ବରିଷ୍ଠ ଖେଳାଳିଙ୍କ ରୋଜଗାର ସିଧାସଳଖ ପ୍ରଭାବିତ ହେବ ଏବଂ ସେମାନଙ୍କ ଦରମା କୋଟି କୋଟି ଟଙ୍କା ହ୍ରାସ ପାଇପାରେ।
ବର୍ତ୍ତମାନର କେନ୍ଦ୍ରୀୟ ଚୁକ୍ତି ଅନୁଯାୟୀ, ଖେଳାଳିଙ୍କୁ ଏକ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ମିଳିଥାଏ। ଦିନିକିଆ ପାଇଁ ୬ ଲକ୍ଷ ଟଙ୍କା ଦିଆଯାଏ। ଟି-୨୦ ଖେଳିବା ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ଦିଆଯାଏ | ଏହା ବ୍ୟତୀତ ଏ ବର୍ଗର କ୍ରିକେଟରମାନେ ପ୍ରତି ମାସରେ ୬.୫୭ ଲକ୍ଷ ପାକିସ୍ତାନୀ ଟଙ୍କା ପାଆନ୍ତି। ବର୍ତ୍ତମାନ କେବଳ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ଏପରି ପରିସ୍ଥିତିରେ, ଯଦି ଆଇସିସି ଅଂଶଧନ ହଟାଯାଏ, ତେବେ ଏହି ଦୁଇ ଖେଳାଳି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ।
ବି ବର୍ଗର ଖେଳାଳିମାନେ ପ୍ରାୟ ୪.୫୫ ମିଲିୟନ ଟଙ୍କା, ସି ବର୍ଗର ଖେଳାଳିମାନେ ୨.୦୩ ମିଲିୟନ ଟଙ୍କା ଏବଂ ଡି ବର୍ଗର ଖେଳାଳିମାନେ ୧.୨୬ ମିଲିୟନ ଟଙ୍କା ପାଆନ୍ତି। ଏହାର ଏକ ବଡ଼ ଅଂଶ ଆଇସିସି ରାଜସ୍ୱରୁ ଆସିଥାଏ, ଯାହା ୧.୦୩୫ ମିଲିୟନ। ଏବେ ଏହାକୁ ହଟାଯିବା ପରେ, ସମସ୍ତ ବର୍ଗର ଖେଳାଳିଙ୍କ ଆୟ ହ୍ରାସ ପାଇବ। ଖେଳାଳିଙ୍କ ଦରମା ହ୍ରାସର ସବୁଠାରୁ ବଡ଼ କାରଣ ହେଉଛି ସେମାନଙ୍କର ଦୁର୍ବଳ ପ୍ରଦର୍ଶନ।ଏହି ବର୍ଷ ପାକିସ୍ତାନ ତିନୋଟିରୁ କେବଳ ଗୋଟିଏ ଟେଷ୍ଟ ଜିତିଛି। ୧୧ ଟି ଦିନିକିଆରୁ କେବଳ ୨ଟି ଜିତିଛି। ଟି-୨୦ରେ, ସେମାନେ ସାତଟି ମ୍ୟାଚ୍ ଜିତିଛନ୍ତି ଏବଂ ସାତଟି ହାରିଛନ୍ତି।ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସମ୍ପ୍ରତି ପରାଜୟ ପିସିବିର ଅସନ୍ତୋଷକୁ ଆହୁରି ବୃଦ୍ଧି କରିଛି।