ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ହେବାକୁ ଯାଉଛି। ଯାହାକୁ ପାକିସ୍ତାନ ଆୟୋଜନ କରିବ | ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମୁମତାଜ ଜହରା ବଲୁଚ କହିଛନ୍ତି ଯେ ୧୫-୧୬ ଅକ୍ଟୋବରରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାଗ ନେବାକୁ ଅନେକ ଦେଶକୁ ନିମନ୍ତ୍ରଣ ପଠାଯାଇଛି। ସେ କହିଛନ୍ତି ଯେ କେତେକ ଦେଶ ଏସସିଓ ବୈଠକରେ ଅଂଶଗ୍ରହଣ ନିଶ୍ଚିତ କରିସାରିଛନ୍ତି। ରିପୋର୍ଟ ଅନୁଯାୟୀ ମୁମତାଜ ଜହରା କହିଛନ୍ତି ଯେ ସାଂଘାଇ ସହଯୋଗ ସଂଗଠନ ବୈଠକ ପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ସେ କହିଛନ୍ତି ଯେ ଯେତେବେଳେ ଉପଯୁକ୍ତ ସମୟ ଆସିବ, ତାହା କୁହାଯିବ କେଉଁ ଦେଶ ଏଥିରେ ଅଂଶଗ୍ରହଣ କରିଥିବା ନିଶ୍ଚିତ କରିଛନ୍ତି। ଯେତେବେଳେ ଭାରତ ସହ ସମ୍ପର୍କ ବିଷୟରେ ପଚରାଗଲା, ମୁଖପାତ୍ର କହିଛନ୍ତି ଯେ ଭାରତ ସହ ପାକିସ୍ତାନର ସିଧାସଳଖ ଦ୍ୱିପାକ୍ଷିକ ବାଣିଜ୍ୟ ନାହିଁ।
ମୁମତାଜ ଜହରା ବଲୁଚ କହିଛନ୍ତି ଯେ ଏସସିଓ ଶିଖର ସମ୍ମିଳନୀ ପୂର୍ବରୁ ବିଭିନ୍ନ ରାଉଣ୍ଡ ମନ୍ତ୍ରୀସ୍ତରୀୟ ଆଲୋଚନା ଏବଂ ବରିଷ୍ଠ ଅଧିକାରୀଙ୍କ ବୈଠକ ହେବ, ଯାହା ଏସସିଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆର୍ଥିକ, ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଧ୍ୟାନ ଦେବ। ମୁମତାଜ ଜହରା ବଲୁଚ କହିଛନ୍ତି ଯେ ୨୯ରୁ ୩୦ ଅଗଷ୍ଟ ମଧ୍ୟରେ କାମେରୁନର ୟାଉଣ୍ଡେରେ ଆୟୋଜିତ ବୈଦେଶିକ ମନ୍ତ୍ରୀ ପରିଷଦର ୫୦ ତମ ଅଧିବେଶନରେ ପାକିସ୍ତାନର ବୈଦେଶିକ ସଚିବ ଯୋଗଦେବେ ଏବଂ ସେଠାରେ ସେ ଗାଜା, ଜମ୍ମୁକଶ୍ମୀର ଉପରେ ପାକିସ୍ତାନର ମତ ଉପସ୍ଥାପନ କରିବେ। ଗତ ବର୍ଷ ମେ ମାସରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଦୁଇ ଦିନିଆ ବୈଠକରେ ଭାଗ ନେବାକୁ ଭାରତ ଆସିଥିଲେ। ଏସସିଓ ହେଉଛି ଭାରତ, ଚୀନ୍, ରୁଷ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ଏକ ପ୍ରଭାବଶାଳୀ ଅର୍ଥନୈତିକ ଏବଂ ସୁରକ୍ଷା ଗୋଷ୍ଠୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/V2VX4XDsF85YwohNkrA5.jpg)