ପ୍ୟାରିସ : ପ୍ୟାରିସ ଅଲିମ୍ପିକ୍ସର ଭବ୍ୟ ଓ ରଙ୍ଗାରଙ୍ଗ ସମାରୋହ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଏହି ୧୨୯ ବର୍ଷ ପୁରୁଣା କ୍ରୀଡ଼ା ମହୋତ୍ସବରେ ଡଙ୍ଗାରେ ବିଭିନ୍ନ ଦେଶରୁ ଆସିଥିବା ଦଳମାନଙ୍କ ପରେଡ୍ ଆୟୋଜନ କରାଯାଉଛି।

Advertisment

ଫ୍ରାନ୍ସର ରାଜଧାନୀରେ ଚାଲିଥିବା ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ୨୦୬ଟି ଦେଶରୁ ମୋଟ ୧୦,୫୦୦ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଭାରତର ମୋଟ ୧୧୭ ଜଣ ଆଥଲେଟ୍ ରହିଛନ୍ତି। ଉଦଘାଟନୀ ସମାରୋହରେ ଗ୍ରୀସର ଆଥଲେଟମାନେ ପ୍ରଥମେ ପରେଡ ଆରମ୍ଭ କରିଥିଲେ। ସମସ୍ତ କ୍ରୀଡ଼ାବିତ୍ ସିନ୍ ନଦୀରେ ଡଙ୍ଗା ଧରି ସହର ପରିକ୍ରମା କରିବେ ଏବଂ ଟ୍ରକାଡାରୋ ଗାର୍ଡେନରେ ପହଞ୍ଚିବେ, ଯେଉଁଠାରେ ଉଦଘାଟନୀ ସମାରୋହର ଚୂଡ଼ାନ୍ତ ପ୍ରଦର୍ଶନ ଅନୁଷ୍ଠିତ ହେବ। ଭାରତର ଅଲିମ୍ପିକ୍ ଦଳ ୮୪ ନମ୍ବରସ୍ଥାନରେ ରହିବ। ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ଟେବୁଲ ଟେନିସ ଖେଳାଳି ଶରତ କମଲ ଭାରତୀୟ ଅଲିମ୍ପିକ୍ ଦଳର ପତାକାବାହକ ହୋଇଛନ୍ତି ।

ଏହି ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ।  ସେ ଏକ୍ସରେ ଲେଖିଛନ୍ତି "ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହେଉଥିବାବେଳେ ଭାରତୀୟ ଦଳକୁ ମୋର ଶୁଭେଚ୍ଛା। ପ୍ରତ୍ୟେକ ଖେଳାଳି ଭାରତର ଗର୍ବ। ସେମାନେ ସମସ୍ତେ ଉଜ୍ଜ୍ୱଳ ହୁଅନ୍ତୁ ଏବଂ କ୍ରୀଡ଼ାମନୋଭାବକୁ ପ୍ରତିଫଳିତ କରନ୍ତୁ, ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଦ୍ୱାରା ଆମକୁ ପ୍ରେରଣା ଦିଅନ୍ତୁ।"