୫୭ ବର୍ଷରେ ମାଟ୍ରିକ୍ ପାସ୍ କଲେ ସ୍ବର୍ଣ୍ଣଲତା 

ଭଦ୍ରକ : ପ୍ରବଳ ଇଚ୍ଛାଶକ୍ତି ଥିଲେ ସବୁ ଥିରେ ସଫଳତା ମିଳେ। ବୟସ କି ଅର୍ଥ ବାଧା ଦିଏ ନି। ଏମିତି ଜଣେ ସଫଳ କାହାଣୀର ନାୟିକା ସାଜିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କୋରିଗାଁ ପଞ୍ଚାୟତର କଣ୍ଟି ଗାଁର ୫୭ ବର୍ଷ ବୟସର ମହିଳା ସ୍ବର୍ଣ୍ଣଲତା ପତି।

ସ୍ବର୍ଣ୍ଣଲତା ଚଳିତ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି। ଓଡିଆ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ବାଗୁରାଇ ସ୍କୁଲରେ ସେ ମାଟ୍ରିକ୍ ପରିକ୍ଷା ଦେଇଥିଲେ। ଗତକାଲି ପ୍ରକାଶିତ ପରୀକ୍ଷା ଫଳରେ ସେ ‌ ମୋଟ ୨୨୦ ନମ୍ବର ରଖି ମାଟ୍ରିକ୍ ପାସ୍ କରିଛନ୍ତି। ପାଠ ପଢିବାର ପ୍ରବଳ ଇଚ୍ଛାଶକ୍ତି ନିକଟରେ ତାଙ୍କ ବୟସ ତାଙ୍କୁ ଅଟକାଇ ପାରି ନାହିଁ। ସ୍ବର୍ଣ୍ଣଲତା ଜଣେ ୨୯ ବର୍ଷ ତଳେ ସ୍ବାମୀଙ୍କ ହରାଇଥିଲେ। ସ୍ବାମୀ ଯିବା ପରେ ସେ ଭାଙ୍ଗି ନପଡି ନିଜର ଦୁଇ ଝିଅ ଓ ଦୁଇ ପୁଅଙ୍କୁ ଉଚ୍ଚ ଶିକ୍ଷତ କରାଯାଇବାର ସ୍ବପ୍ନ ଦେଖିଥିଲେ। ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ। ୧୦୦ ଟଙ୍କା ମାସିକ ଦରମାରେ ରୋଷେର କରି ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ପରସୁଥିଲେ। ପରେ ସେ ସେହି ଗ୍ରାମରେ ଆଶା କର୍ମୀ ଭାବେ ନିଯୁକ୍ତି ପାଇଲେ। ଆଶା କର୍ମୀ ଭାବେ ଏ ଅଞ୍ଚଳରେ ସେ ସଫଳତାର ସହ ନିଜର କାମ ତୁଲାଇ ଆସୁଥିବା ବେଳେ ନିଜର ଦୁଇ ପୁଅ ଓ ଦୁଇ ଝିଅଙ୍କୁ ସବୁ ପୋଷ୍ଟ ଗ୍ରାଜୁଏଟ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିଛନ୍ତି। ପିଲାମାନେ ମଧ୍ୟ ନିଜ ଗୋଡରେ ଠିଆ ହୋଇ ରୋଜଗାର କରୁଛନ୍ତି। ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇଥିବା ବେଳେ ନିଜେ କିନ୍ତୁ ଉଚ୍ଚ ଶିକ୍ଷିତ ହେବାକୁ ପ୍ରବଳ ଇଚ୍ଛାଶକ୍ତି ରହିଥିଲା। ମାଟ୍ରିକ ପରୀକ୍ଷାରେ ପାସ କରିଥିବାରୁ ସେ ବେଶ୍ ଖୁସି ହୋଇଥିବା ବେଳେ ତାଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ସ୍ବର୍ଣ୍ଣଲତା ଏବେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର