ରାଉରକେଲା: ରାଉରକେଲାରୁ ଦୈନିକ ଭୁବନେଶ୍ବର ଯାତାୟତ କରୁଥିବା ବିମାନସେବା ଦୁଇ ଦିନ ବାତିଲ ହୋଇଛି। ପଅରଦିନ ଓ ଗତକାଲି ବିମାନ ବାତିଲ ହୋଇଥିବାରୁ ଶତାଧିକ ଯାତ୍ରୀଙ୍କୁ ନାହିଁନଥିବା ଅସୁବିଧା ‌‌ଭୋଗିବାକୁ ପଡ଼ିଥିଲା। ପାଇଲଟ୍‌ ପାର୍ଶ୍ବ କାଚ ଭାଙ୍ଗିଯାଇଥିବାରୁ ବିମାନକୁ ଦୁଇ ଦିନ ବାତିଲ କରାଯାଇଥିବା କୁହାଯାଉଛି। ମରାମତି କାମ ସରିନଥିବାରୁ ଆଜି (ଶୁକ୍ରବାର) ବିମାନ ଉଡ଼ିବ କି ନାହିଁ କୌଣସି ସ୍ପଷ୍ଟ ସୂଚନା ନାହିଁ। ବାରମ୍ବାର ଏମିତି ତ୍ରୁଟି ହେଉଥିଲେ ହେଁ, କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ।

Advertisment

ରାଉରକେଲାରୁ ଭୁବନେଶ୍ବର ଓ ରାଉରକେଲାରୁ କୋଲାକାତା ବିମାନ ସେବାରେ ଅଧିକାଂଶ ସମୟରେ ତ୍ରୁଟି ପରିଲକ୍ଷିତ ହେଉଛି। ସାମାନ୍ୟ ପାଗ କୋହଲା ହେଲେ ବିମାନ ରାଉରକେଲାରେ ଅବତରଣ  କି ଉଡାଣ କରିପାରୁନାହିଁ। ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଛି। ସ୍ଥାନୀୟ ବାସିନ୍ଦା, ବିଭିନ୍ନ ସଙ୍ଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରୀୟମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳ ଶୂନ। ବିମାନ ବନ୍ଦରରେ ସଠିକ୍‌ ଦୃଶ୍ୟମାନ ପାଇଁ ଆବଶ୍ୟକ ଯନ୍ତ୍ର ଲାଗୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ନିକଟରେ ରାଜ୍ୟପାଳଙ୍କ ରାଉରକେଲା ଗସ୍ତ ଥିଲା। ରାଜ୍ୟପାଳ ଭୁବନେଶ୍ବରରୁ ରାଉରକେଲା ପର୍ଯ୍ୟନ୍ତ ଆସିଥିଲେ। ପାଗ କୋହଲା ହେବାରୁ ରାଜ୍ୟପାଳଙ୍କ ବିମାନ ଅବତରଣ କରି ନପାରି ଫେରିଯାଇଥିଲା।