ଦେଓଗାଁ : ଶହ ଶହ ବର୍ଷ ଧରି ଲୋକଙ୍କ ଗହଳୀରେ ଆଧ୍ୟତ୍ମିକ ଭାବାବେଗରେ ପାଳିତ ହୋଇ ଆସୁଥିବା ପାଟଖଣ୍ଡା ଯାତ୍ରା ସୋମବାର ଦିନ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆରମ୍ଭ ହୋଇଯାଇଛି। ଯାତ୍ରାର ପ୍ରଥମ ଦିନରେ ପ୍ରଶାସନର କଡ଼ା ପହରା ମଧ୍ୟରେ ପରମ୍ପରା ଓ ବିଧି ରକ୍ଷା ପାଇଁ ଜନଶୂନ୍ୟରେ ଯାତ୍ରା ପାଳିତ ହୋଇଥିବା ଜଣାପଡ଼ିଛି। ଏହି ଯାତ୍ରାରେ କୋଭିଡ଼ ନିୟମ ଉଲ୍ଲଙ୍ଘନ ନ ହେବା ପାଇଁ ପୂର୍ବରୁ ଲୋକଙ୍କୁ ସଚେତନ କରାଯାଇଥିଲା। ଯାହାଫଳରେ ସୋମବାର ଅପରାହ୍ନରେ ଗୁଡ଼ଭେଲା ବ୍ଳକ ନଅଗାଁ ମୌଜାରେ ଥିବା ଦେଝାରରୁ ପାଟଖଣ୍ଡା ଦେବୀ ବରୁଆ ଦେହରେ ଅବିର୍ଭାବ ହୋଇ ସାଲେପାଲି ସୋନଗଡ଼ ନଦୀ କୂଳରେ ଥିବା ଉଚ୍ଚବାହାଲି ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ। ପାରମ୍ପାରିକ ରୀତିନୀତି ଅନୁସାରେ ଉଚ୍ଚବାହାଲି ପୂଜା ଶେଷ ହେବା ପରେ ସାଲେପାଲି ଛକରେ ଥିବା ବଉରାପିଟାରେ ଦେବୀଙ୍କୁ ବିଶ୍ରାମ ଦିଆଯାଇଥିଲା । ପରମ୍ପରା ଅନୁସାରେ ୫ଦିନ ଧରି ହେଉଥିବା ଏହି ଯାତ୍ରାକୁ ଦୁଇ ଦିନ ମଧ୍ୟରେ ସମାପ୍ତ କରିବାକୁ ପ୍ରଶାସନ ଅନୁମତି ଦେଇଥିବାରୁ ସୋମବାର ରାତିରେ ବଉରାପିଟା, ଲିଙ୍ଗାବରଣ, ନିଶିଗୁଡ଼ି ପୂଜା ଅନୁଷ୍ଠିତ ହୋଇଯାଇଛି । ମାଜିଷ୍ଟ୍ରେଟ ଭାବେ ଦେଓଗାଁ ତହସିଲଦାର ନାରାୟଣ ସାହୁ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଭକ୍ତଙ୍କୁ ପୂଜାସ୍ଥଳୀକୁ ବାରଣ କରିବା ପାଇଁ ଦେଓଗାଁ ଥାନା ଓଆଇସି ରଞ୍ଜନ ବରିହାଙ୍କ ସମ୍ପୂର୍ଣ୍ଣ ତଦାରଖରେ ୨ସେକ୍ସନ ପୋଲିସ ବାହିନୀ ଯାତ୍ରା ପଡ଼ିଆକୁ ଜଗି ରହିଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ପାଟଖଣ୍ଡା ଦେବୀଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ବୋଲି ଜରାସିଂହା ବ୍ରଜେନ୍ଦ୍ର ନାରାୟଣ ଏଥଲେଟିକ ଆସୋସିଏସନ୍ ତରଫରୁ ସୂଚନା ଦିଆଯାଇଛି।
ଲୋକାରଣ୍ୟରେ ଫାଟି ପଡ଼ୁଥିବା ରାସ୍ତା ଶୁନଶାନ ରାସ୍ତା
ପ୍ରତିବର୍ଷ ପାଟଖଣ୍ଡା ଯାତ୍ର ଆରମ୍ଭ ହେବା ଦିନ ସାଲେପାଲି ମହିପୁର ରାସ୍ତାରେ ଥିବାସୋନଗଡ଼ ବ୍ରିଜ ଲୋକାରଣ୍ୟରେ ଫାଟି ପଡ଼ୁଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ଼ କଟକଣାରେ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଶୁନଶାନ ଦେଖା ଯାଉଥିଲା ଯାତ୍ରାସ୍ଥଳୀ ଓ ବ୍ରିଜ ଉପର। ପୋଲିସ ଓ ଯାତ୍ରା କମିଟି କର୍ମକର୍ତ୍ତା ରାସ୍ତା ଉପରେ ବ୍ୟାରିକେଟ କରି ଛକି ରହିଥିବାରୁ ଦେବୀ ଆବିର୍ଭାବ ହୋଇଥିବା ସ୍ଥଳକୁ ଜନସାଧାରଣ ତଥା ଦେବୀଙ୍କ ଭକ୍ତମାନେ ଯାଇ ପାରିନଥିଲେ। ଯାହାଫଳରେ ଉଚ୍ଚବାହାଳୀରୁ ବଉରାପିଟା ଆସୁଥିବା ସମୟରେ ସାଲେପାଲିର କିଛି ଲୋକ ଜମି, ବାହାଲ ଭିତରୁ ଓ ସରଗଡ଼ାର କିଛି ଲୋକେ ନଦୀ ଭିତରେ ରହି ଦେବୀଙ୍କ ଦର୍ଶନ କରିଥିବା ଦେଖାଯାଇଥିଲା ।
ନିୟମକୁ ସମ୍ମାନ ଦେଇ ଆସିଲେନି ରାଜନେତା
ପାଟଖଣ୍ଡା ଯାତ୍ରା ଆରମ୍ଭ ହେବା ଦିନ ଫୁଳମାଳ ଟିଏ ଧରି ଦେଝାର ପୂଜା ସ୍ଥଳୀରେ ପହଞ୍ଚି ଯାଉଥିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ବରୁଆ ଦେହରେ ଦେବୀଙ୍କ ଆର୍ବିଭାବ ପରେ ଦେବୀଙ୍କ ଠାରୁ ଆର୍ଶିବାଦ ନେଉଥିଲେ। କିନ୍ତୁ ଚଳିତ ବର୍ଷ କଟକଣା ଭିତରେ ଯାତ୍ରା ହେଉଥିବାରୁ ନିୟମକୁ ସମ୍ମାନ ଦେଇ ନେତା ଆସିଲେନି ବୋଲି ସାଧାରଣରେ ଆଲୋଚନା ହେଉଛି ।