ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ଚଳିତ ମାସ ୧୯ ତାରିଖରେ ମତଦାନ ହେବ ନାହିଁ। ଭାରତୀୟ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଥିବା ସୋମବାର ଜଣାପଡ଼ିଛି। ସୂଚନା ଅନୁସାରେ ନିର୍ବାଚନ କମିସନ ପାଟକୁରା ବିଧାନିସଭା ନିର୍ବାଚନ ମଣ୍ଡଳୀରେ ୧୯ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ନିର୍ବାଚନକୁ ୬୦ ଦିନ ଯାଏଁ ଘୁଂଚାଇ ଦେଇଛନ୍ତି।

Advertisment

ଏନେଇ ରାଜ୍ୟ ନିର୍ବାର୍ଚନ ଅଧିକାରୀ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି । ବାତ୍ୟା ଫୋନିର ପ୍ରଭାବ କେନ୍ଦ୍ରାପଡାରେ ପଡିଥିବାରୁ ଏଠାରେ ସ୍ଥିତି ସଙ୍ଗୀନ ରହିଛି । ତେଣୁ ସ୍ଥିତି ସୁଧୁରିଲେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସୂଚନାଯୋଗ୍ୟ, ପାଟକୁରାରୁ ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପରଲୋକ ପରେ ଗତ ଏପ୍ରିଲ ୨୯ରେ ଏହି ଆସନରେ ମତଦାନକୁ ସ୍ଥଗିତ କରି ଦିଆଯାଇଥିଲା। ଏଠାରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିପକ୍ଷରେ ବିଜେଡିରୁ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ଧର୍ମପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

ମେ’ ମାସ ୩ ତାରିଖରେ ସମ୍ଭାବିତ ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୩୦ରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପାଟକୁରା ନିର୍ବାଚନ ତାରିଖ ଘୁଂଚାଇବା ପାଇଁ ନିର୍ବାଚନ କମିସନଙ୍କୁ ନିବେଦନ କରିଥିଲେ।