ବାଲିପାଟଣା: ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ଜିରୋ ନାଇଟ ପାଳନକୁ ଦୃଷ୍ଟି ରେ ରଖି ପୁଲିସ ପେଟ୍ରୋଲିଙ୍ଗ କଡାକଡି କରାଯାଇଥିଲା | ଥାନା ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କ ନେତୃତ୍ୱରେ ଗାଁ ଗଣ୍ଡା ବଜାର ଘାଟରେ ପୁଲିସ ପଇଁତରା ମାରିଥିଲା | ବିଳମ୍ବିତ ରାତିରେ ସରଦେଇପୁର ନିମାପଡା ରାସ୍ତାର ବାଲିପାଟଣା ଛକ ନିକଟରେ ପୁଲିସ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା |

Advertisment

ପୁଲିସ ଗାଡିର ଆଗ ଚକାର ଏକ ଅଂଶ ହଠାତ ଭାଙ୍ଗି ଯିବାରୁ ହଠାତ ରାସ୍ତାରେ ଗାଡି ଅଟକି ଯାଇଥିଲା | ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିବା କୁହାଯାଉଛି | ରାତି ପ୍ରାୟ ଗୋଟାଏରେ ମଧୁବନରୁ ବାଲିପାଟଣା ଅଭିମୁଖେ ଆସୁଥିବା ଗାଡି ନଂ OD 02 AZ 7090 ଗାଡିରେ ଚାଳକଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ବସିଥିଲେ | ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି | 

ଶେଷରେ ଅନ୍ୟ ଏକ ଗାଡ଼ିରେ କର୍ମଚାରୀମାନେ ଥାନାକୁ ଫେରିଥିବା ବେଳେ ଗାଡିଟି ରାସ୍ତାରେ ଏବେବି ଅଚଳ ଅବସ୍ଥାରେ ଠିଆ ହୋଇଛି | ତେବେ ବହୁ ଦିନରୁ ଏହି ପୁରୁଣା ଗାଡ଼ିରେ ସ୍ଥାନୀୟ ପୁଲିସ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି |