ନକାରାତ୍ମକ ଓ ଉଦ୍ଦେଶ୍ୟମୂଳକ ରାଜନୀତିକୁ ଲୋକେ ପସନ୍ଦ କରୁ ନାହାନ୍ତି: ମୋଦି

ଉତ୍ତର-ପୂର୍ବାଞ୍ଚଳ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ତ୍ରିପୁରାରେ ଦୀର୍ଘ ୨୫ ବର୍ଷର ବାମପନ୍ଥୀ ଦୁର୍ଗ ଭାଙ୍ଗିଛି। ୬୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଲୋକମାନେ ନକାରାତ୍ମକ ଓ ଉଦ୍ଦେଶ୍ୟମୂଳକ ରାଜନୀତିକୁ ପସନ୍ଦ କରୁ ନାହାଁନ୍ତି। ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ବିଧାନସଭା ନିର୍ବାଚନ ଫଳାଫଳ ଏହାକୁ ପ୍ରମାଣିତ କରୁଛି ବୋଲି ମୋଦି କହିଛନ୍ତି।

ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ଓ ମେଘାଳୟରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଛନ୍ତି, ଆଜିର ଫଳାଫଳ ଭଲ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ‘ଆକ୍ଟ ଇଷ୍ଟ ପଲିସି’ ଯୋଗୁଁ ସମ୍ଭବ ହୋଇ ପାରିଛି।

ତ୍ରିପୁରା ଫଳାଫଳ ନେଇ ମୋଦି କହିଛନ୍ତି, ୨୫ ବର୍ଷର ବାମପନ୍ଥୀ ସରକାରର ପତନ ଘଟିଛି। ଏହି ଫଳାଫଳ ଦ୍ୱାରା ରାଜ୍ୟର ସ୍ଥିତିରେ ଐତିହାସିକ ପରିବର୍ତ୍ତନ ହେବ। ଏହି ଅବସରରେ ମୋଦି ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ଉଦ୍ୟମ ଯୋଗୁଁ ଦଳକୁ ସଫଳତା ମିଳିଛି। ରାଜ୍ୟରେ ବିଜେପିକୁ ୪୩ଟି ଆସନ ମିଳିଥିବା ବେଳେ ବାମପନ୍ଥୀ ଦଳ ମାତ୍ର ୧୬ଟି ଆସନ ପାଇଛି।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗାଲାଣ୍ଡର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଠାରେ ବିଜେପିକୁ ୩୧ଟି ଆସନ ମିଳିଛି। ନାଗାଲାଣ୍ଡରେ ସରକାର ଗଢ଼ି ବିଜେପି ଲୋକଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରିବ ବୋଲି ମୋଦି ଟୁଇଟରରେ କହିଛନ୍ତି।

ସମ୍ବନ୍ଧିତ ଖବର