ରୁପ୍ରା : ଫକୀର ମୋହନ କଲେଜ୍ ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମଦାହ ଘଟଣାକୁ ନେଇ ରାଜ୍ୟ ସରକାର ପ୍ଲାଷ୍ଟିକ୍ ବୋତଲ ଓ ପ୍ଲାଷ୍ଟିକ୍ ଜାରକିନରେ ତେଲ ଦେବା ବନ୍ଦ୍ ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ଚାଷୀମାନେ ଦାବୀ ଉପସ୍ଥାପନ କରିଛନ୍ତି। ବର୍ତ୍ତମାନ ଖରିଫ୍ ଚାଷ ପାଇଁ କଳ ଲଙ୍ଗଳ ତଥା ଟ୍ରାକ୍ଟର ବ୍ୟବହାର ହେଉଥିବା ବେଳେ ଇନ୍ଧନ ପାଇଁ ପେଟ୍ରୋଲ ଓ ଡିଜେଲର ଆବଶ୍ୟକ ହେଉଛି, ସେହିପରି ଡିଜେଲ୍ ପମ୍ପ୍ ଓ ଜେନେରେଟର ପାଇଁ ମଧ୍ୟ ଉକ୍ତ ଇନ୍ଧନର ଆବଶ୍ୟକ ହେଉଛି। ଏପରି ସ୍ଥଳେ ପେଟ୍ରୋଲ୍ ପମ୍ପକୁ ଯାଇ ଗ୍ରାହକ ହଟହଟା ହେଉଛନ୍ତି।

Advertisment

ତେଣୁ ପ୍ଲାଷ୍ଟିକ୍ ଜାରକିନ୍ ର ବିକଳ୍ପ ଭାବେ ଲୁହା ତଥା ଷ୍ଟିଲ୍ ଗରିଆ ବାଲଟି ନେଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଆଣୁଥିବାର ଦୃଶ୍ୟ ଆଜି ଏକ ପେଟ୍ରୋଲ୍ ପମ୍ପରେ ଦେଖିବାକୁ ମିଳିଥିଲା। ତେବେ ସରକାରଙ୍କ ଉକ୍ତ ତେଲ ବନ୍ଦ୍ ନିଷ୍ପତ୍ତିକୁ କଟାକ୍ଷ କରି ଲୋକେ କହୁଛନ୍ତି ଏଫଏମ କଲେଜ୍ ଛାତ୍ରୀ ପେଟ୍ରୋଲ୍ ଢାଳି ହୋଇ ଆତ୍ମଦାହ କରିଥିବା ଯୋଗୁଁ ଜାରକିନ୍ ଓ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ଓ ଡିଜେଲ୍ ଦେବା ବନ୍ଦ୍ କରିଥିବାବେଳେ ବିଷପିଇ, ଫାଶୀ ଲଗାଇ, ଚଳନ୍ତା ଟ୍ରେନ୍ ସାମନାକୁ ଡେଇଁ, ନଦୀ ଗର୍ଭକୁ ଡେଇଁ, ମାତ୍ରାଧିକ ଔଷଧ ସେବନ କରି ଇତ୍ୟାଦି ଅନେକ ପ୍ରକାରେ ଆତ୍ମହତ୍ୟା ବାଟ ଆପଣେଇ ଥାଆନ୍ତି, ଏବାବଦରେ ସରକାର କି ନିଷ୍ପତି ନେଉଛନ୍ତି  ? ଏଣୁ ଉକ୍ତ ତେଲ ବନ୍ଦ୍ ନିଷ୍ପତ୍ତିକୁ ଗ୍ରାହକମାନେ ବିରୋଧ କରିବା ସହିତ ଏହାର ପୁନଃ ପ୍ରଚଳନ କରିବା ପାଇଁ ଦାବି ହେଉଛି।