କରାଚୀ: ଅଷ୍ଟ୍ରେଲିଆର ପାକିସ୍ତାନ ହକି ଦଳ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ବିବାଦ ପରେ ପାକିସ୍ତାନ ହକି ମହାସଂଘ ( ପିଏଚ୍ଏଫ୍)ର ସଭାପତି ତାରିକ୍ ବୁଗ୍ତି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପିଏଚ୍ଏଫ୍ର ପାଟ୍ରନ-ଇନ-ଚିଫ୍ (ମୁଖ୍ୟ ସଂରକ୍ଷକ) ଶେହବାଜ୍ ସରିଫ୍ଙ୍କ ନିକଟକୁ ପଠାଇଦେଇଛନ୍ତି। ନିଜ ଇସ୍ତଫା ପତ୍ରରେ ସେ ଅଷ୍ଟ୍ରେଲିଆରେ ଦଳ ସମ୍ମୁଖୀନ ହୋଇଥିବା ସମସ୍ୟା ସଂପର୍କରେ ଏକ ନିରପେକ୍ଷ ତଦନ୍ତ କରିବାକୁ ସରିଫ୍ ଓ ସେନାମୁଖ୍ୟ ଅସିମ୍ ମୁନୀର୍ଙ୍କୁ ଅନୁରୋଧ କରିଛନ୍ତି।
ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସୋସିଆଲ୍ ମିଡିଆରେ ପାକିସ୍ତାନ ହକି ଦଳ ରାସ୍ତାରେ ନିଜର ଲଗେଜ୍ ସହ ବସି ରହିଥିବାର ଏକ ଫଟୋ ଭାଇରାଲ୍ ହୋଇଥିଲା।
ଅଷ୍ଟ୍ରେଲିଆ ବିପକ୍ଷରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ହକି ଦଳ କିଛି ଦିନ ତଳେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା। ଅଷ୍ଟ୍ରେଲିଆର କାନ୍ବେରାରେ ପହଞ୍ଚି ପିଏଚ୍ଏଫ୍ କହିଥିବା ହୋଟେଲକୁ ଯିବା ବେଳକୁ ସେମାନଙ୍କ ପାଇଁ କୌଣସି ହୋଟେଲ ବୁକିଂ ହୋଇନାହିଁ ବୋଲି ଜଣାପଡ଼ିଥିଲା। ଖେଳାଳିମାନେ ଅସହାୟ ହୋଇ ରାସ୍ତା କଡ଼ରେ ବସିଥିଲା ବେଳେ କିଛି ପ୍ରବାସୀ ପାକିସ୍ତାନୀ ଓ ଅଷ୍ଟ୍ରେଲିଆ ହକି ସଂଘର ଅଧିକାରୀଙ୍କ ପ୍ରୟାସ ପାଇଁ ଶେଷରେ ହୋଟେଲ ବ୍ୟବସ୍ଥା କରାଯାଇଥିଲା। ପାକିସ୍ତାନ ଫେରିବା ପରେ ଏ ନେଇ କ୍ଷୋଭ ପ୍ରକାଶ କରି ପାକିସ୍ତାନ ହକି ଦଳର ଅଧିନାୟକ ସକିଲ୍ ଆମାଦ୍ ବଟ୍ ଏହି ହଟହଟା ନେଇ ମୁହଁ ଖୋଲିବା ସହ ଏହି ସମସ୍ୟା ପାଇଁ ପାକିସ୍ତାନ ହକି ମହାସଂଘକୁ ଦାୟୀ କରିଥିଲେ। କିନ୍ତୁ ଏହା ପରେ ମହାସଂଘ ପକ୍ଷରୁ ସକିଲ୍ଙ୍କ ଉପରେ ଦୁଇ ବର୍ଷ ପାଇଁ କଟକଣା ଲଗାଯାଇଥିଲା। ଏହା ସହିତ ବୁଗ୍ତି ଏହି ସମସ୍ୟା ପାଇଁ ପାକିସ୍ତାନ କ୍ରୀଡ଼ା ବୋର୍ଡକୁ ଦାୟୀ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/19/phf-president-2026-02-19-17-46-47.jpeg)