ନୂଆଦିଲ୍ଲୀ: ଜର୍ମାନୀରେ ବାହାଘର ଆଉ ଦିଲ୍ଲୀରେ ଦେଲେ ରିସେପ୍ସନ | ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମଇତ୍ର ଗତକାଲି ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇଛନ୍ତି | ଏହି ଭୋଜିରେ ଦଳମତ ନିର୍ବିଶେଷରେ ଅନେକ ନେତା/ନେତ୍ରୀ ଯୋଗ ଦେଇଥିଲେ | ବିଶେଷ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଯୋଗ ଦେଇଥିଲେ | ସେହିପରି ମହୁଆଙ୍କ ସହକର୍ମୀ ଭାବେ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ |
ଉଲ୍ଲେଖ ଥାଉ କି ପୁରୀର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଜର୍ମାନୀରେ ତୃଣମୂଳ କଂଗ୍ରେସର ବହୁଚର୍ଚ୍ଚିତ ସାଂସଦ ମହୁଆ ମୈତ୍ରଙ୍କୁ ବିବାହ କରିଥିଲେ । କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଜୁନ ୩ ତାରିଖରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।
୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ବିତୀୟ ବିବାହ ଥିଲା । ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। ପିନାକୀ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । ପିନାକୀଙ୍କର ରାଜନୈତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ୧୯୯୬ରେ ସେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟ୍ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇ ତିନି ଥର ପୁରୀରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ୨୦୨୪ ନିର୍ବାଚନରେ ସେ ଲଢ଼ି ନଥିଲେ। ତାହା ପରଠାରୁ ରାଜ୍ୟ ରାଜନୀତିରେ ସେ ସକ୍ରିୟ ନାହାନ୍ତି।
ଅପରପକ୍ଷରେ,୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିଅର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ରୂପେ ଆରମ୍ଭ କରିଥିଲେ। ବିଦେଶରୁ ଚାକିରି ଛାଡ଼ି ସେ ଭାରତ ଫେରିବା ପରେ ରାଜନୀତିରେ ପାଦ ଦେଇ କଂଗ୍ରେସରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୦ରେ ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ୨୦୧୬ରେ ମହୁଆ କରିମପୁର ବିଧାନସଭା କ୍ଷେତ୍ରରୁ ଏବଂ ୨୦୧୯ରେ ସେ ପ୍ରଥମଥର ପାଇଁ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୋଦୀ ସରକାରଙ୍କ ଦୃଢ଼ ସମାଲୋଚକ ଭାବେ ପରିଚିତ ମହୁଆ ତାଙ୍କ ଭାଷଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ହେଲେ ଡିସେମ୍ବର ୮,୨୦୨୩ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନୈତିକତା କମିଟିର ସୁପାରିସ ଆଧାରରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ତେବେ ୨୦୨୪ରେ ସେ ପୁନଃ ନିର୍ବାଚିତ ହୋଇଥିଲେ। ପ୍ରଥମ ସ୍ବାମୀ ଲାର୍ସ ବ୍ରରସନଙ୍କୁ ଛାଡ଼ପତ୍ର ଦେବା ପରେ ଜଣେ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ସହ ମହୁଆଙ୍କର ପ୍ରେମ ସଂପର୍କ ରହିଥିଲା। ହେଲେ ତାଙ୍କ ଠାରୁ କିଛି ବର୍ଷ ତଳେ ମହୁଆ ଅଲଗା ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/06/gggg-2025-08-06-11-49-37.jpg)