ଭୁବନେଶ୍ବରର ଯୋଜନାବଦ୍ଧ ବିକାଶ ଲାଇନଚ୍ୟୁତ; ଜବର ଦଖଲ ଉଚ୍ଛେଦ ସ୍ମାର୍ଟ ସିଟି ପାଇଁ ମୁଖ୍ୟ ଚାଲେଞ୍ଜ

ପଚାଶ ଦଶକରେ ଚଣ୍ଡିଗଡ଼ ସାଂଗକୁ ଦେଶର ଏକ ଯୋଜନାବଦ୍ଧ ନଗରୀ ଭାବେ ଗଢି ଉଠିଥିଲା ଭୁବନେଶ୍ୱର । ଓଡ଼ିଶାର ରାଜଧାନୀ  ଭୁବନେଶ୍ୱର ଏବେ ଏକ ଅବ୍ୟବସ୍ଥିତ ସହରରେ ପରିଣତ ହୋଇଛି। ଏକଦା ‘ମନ୍ଦିର ମାଳିନୀ’ ଭୁବନେଶ୍ୱର ଏବେ ‘ବସ୍ତିମାଳିନୀ ସହର’ ପାଲଟିଛି । ସହରର ପ୍ରାକୃତିକ ନାଳଗୁଡ଼ିକ ଜବରଦଖଲ ଯୋଗୁଁ ଅସରାଏ ବର୍ଷା ହେଲେ ରାଜଧାନୀରେ ସୃଷ୍ଟି ହେଉଛି ବନ୍ୟା ଭଳି ପରିସ୍ଥିତି। ୨୦୧୬ ମସିହାରେ ଦେଶର ପ୍ରଥମ ସ୍ମାର୍ଟ ସିଟି ରୂପେ ମନୋନୀତ ଭୁବନେଶ୍ୱର ଆଗରେ ଏବେ ଜବରଦଖଲ ଏକ ମୁଖ୍ୟସମସ୍ୟା ରୂପେ ଛିଡା ହୋଇଛି ।
ଆଚାର୍ଯ୍ୟ ବିହାର ହେଉ କି ବମିଖାଲ, ଇସ୍କନ୍ ମନ୍ଦିର ନିକଟ ଜାତୀୟ ରାଜପଥ ପାର୍ଶ୍ବ ହେଉ କି ସୁନ୍ଦରପଦା-ଅସରାଏ ବର୍ଷା ହେଲେ ଏସବୁ ଅଂଚଳ ଭାସୁଛି, ଘର ନିକଟରେ ପାର୍କିଂ ହୋଇଥିବା ଯାନବାହନ ପାଣିରେ ବୁଡୁଛି । ଗତବର୍ଷ ଏକ ଯାତ୍ରୀବାହୀ ବସ୍ ଇସ୍କନ୍ ମନ୍ଦିର ନିକଟରେ ‘ବନ୍ୟା’ ଜଳରେ ଫସି ଯାଇଥିବାର ଦୃଶ୍ୟ ଟିଭିରେ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ଏବେ ବି ବିରଳ ନୁହେଁ।
ସହର ପରିକଳ୍ପନା ବିଶାରଦଙ୍କ ମତରେ ଜବରଦଖଲ ଯୋଗୁଁ ରାଜଧାନୀରେ ପ୍ରାକୃତିକ ନାଳଗୁଡିକ ଅବରୁଦ୍ଧ ହୋଇଯାଇଛି, ଯାହାଫଳରେ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ତେଣୁ ସହରରେ ସୃଷ୍ଟି ହେଉଛି କୃତ୍ରିମ ବନ୍ୟା।
ଭୁବନେଶ୍ୱରରେ ୧୦ଟି ପ୍ରାକୃତିକ ନାଳ ରହିଛି, ଯାହା ମଧ୍ୟ ଦେଇ ନର୍ଦ୍ଦମା ଓ ବର୍ଷା ଜଳ ନିଷ୍କାସିତ ହୋଇଥାଏ ରାଜଧାନୀ ଉପକଣ୍ଠରେ ଥିବା ଗଙ୍ଗୁଆ ନାଳରେ । ସେଠାରୁ ବର୍ଷା ଓ ନର୍ଦ୍ଦମା ଜଳ ଖଲାସ ହୋଇଥାଏ ନିକଟସ୍ଥ ଦୟା ନଦୀରେ । କିନ୍ତୁ ଏହି ପ୍ରାକୃତିକ ନାଳଗୁଡିକ ଉପରେ ବର୍ତ୍ତମାନ କୋଠାବାଡ଼ି ଗଢିଉଠିଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । କେବେ କେମିତି ଖବରକାଗଜରେ ଖବର ପ୍ରକାଶ ପାଇଲେ ବା ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କଲେ ପ୍ରଶାସନ ହଠାତ ତତ୍ପର ହୋଇଉଠେ । ଜବରଦଖଲ ଉଚ୍ଛେଦ କରାଯାଏ । ତେବେ ପରବର୍ତ୍ତୀ କାଳରେ ପୁଣି ସ୍ଥାନୀୟ ପ୍ରଶାସନ ଶୋଇପଡ଼େ ଆଉ  ପୁଣି ଜବରଦଖଲ ମୁଣ୍ଡ ଟେକେ।
୧୯୪୬ ମସିହାରେ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସହର ନିର୍ମାଣ ପାଇଁ ପରିକଳ୍ପନା କରାଗଲା । ବିଶିଷ୍ଟ ଜର୍ମାନ ସ୍ଥପତି ଅଟୋ କୋଏନିକ୍ସ ବର୍ଗର ଏହାର ନକ୍ସା ପ୍ରସ୍ତୁତ କରିଥିଲେ ଆଉ ଏହାର ଭିତ୍ତି କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଳାଲ ନେହେରୁ। ନଅଟି ୟୁନିଟକୁ ନେଇ ଏକ ଯୋଜନାବଦ୍ଧ ଓ ଅତ୍ୟାଧୁନିକ ସହର ଗଢି ଉଠିଲା । ଭୁବନେଶ୍ୱର ସହର ପାଇଁ  ୧୯୪୬ରେ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପରେ ଏକ ପୌର ପରିଷଦ ଏବଂ ଶେଷରେ ୧୯୯୪ ମସିହାରେ ଏକ ମହାନଗର ନିଗମ ରୂପେ ଗଠନ କରାଗଲା । ପ୍ଲାନ୍ ଅନୁମୋଦନ ପାଇଁ ଗଢାଗଲା ଭୁବନେଶ୍ୱର ଉନ୍ନୟନ ସଂସ୍ଥା ବା ବିଡିଏ । ଭୁବନେଶ୍ୱର ପାଇଁ ଏକ ସହର ପରିଯୋଜନା ସଂସ୍ଥା ମଧ୍ୟ ଗଠନ କରାଗଲା । କିନ୍ତୁ କାଳକ୍ରମେ ରାଜଧାନୀ ସହରର ଯୋଜନାବଦ୍ଧ ବିକାଶ ପ୍ରକ୍ରିୟା ଧିମେଇଗଲା । ସହରରରେ  ଖାଲିଥିବା ଅଂଚଳରେ ଜନବସତି ଓ ସରକାରୀ କୋଠାବାଡ଼ି ନିର୍ମାଣ ପାଇଁ ଅନୁମୋଦନ ଦେବା ବେଳେ ସଂପୃକ୍ତ  କର୍ତୃପକ୍ଷ ସମୁଚିତ ଦୃଷ୍ଟି ଦେଲେ ନାହିଁ ଏବଂ ଏଥିପାଇଁ ସହରର ବେଢଙ୍ଗ  ଓ ଏକପାଖିଆ ସଂପ୍ରସାରଣ ହୋଇଛି ବୋଲି ପରିବେଶ ପ୍ରେମୀ  ଓ ସହର ପରିକଳ୍ପନା ବିଶାରଦମାନଙ୍କର ଅଭିଯୋଗ । କୋଠାବାଡି ନିର୍ମାଣ ବେଳେ  ନଦୀ ପଠା ଏବଂ ପ୍ରାକୃତିକ ନାଳ ମଧ୍ୟ ଜବରଦଖଲକାରୀଙ୍କ କବଳରୁ ମଧ୍ୟ ରକ୍ଷା ପାଇଲା ନାହିଁ, ଯାହାର କୁପରିଣାମ ଏବେ ରାଜଧାନୀବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି ସେମାନଙ୍କର ମତ ।

ଏକଦା ଯୋଜନାବଦ୍ଧ ନଗରୀ ରୂପେ ଜଣାଶୁଣା ଭୁବନେଶ୍ୱର ଏବେ ‘ବସ୍ତିମାଳିନୀ’ ସହରରେ ପରିଣତ ହୋଇଛି । ୧୯୯୫ ମସିହା ବେଳକୁ ରାଜଧାନୀରେ ବସ୍ତି ସଂଖ୍ୟା ପ୍ରାୟ ୧୦୦ ଥିବା ବେଳେ ଏବେ ତାହା ୩୦୦ ଟପିଯାଇଛି । ବସ୍ତି ବାସିନ୍ଦା ପ୍ରମୁଖ ଭୋଟବ୍ୟାଙ୍କ ହୋଇଥିବା ଦୃଷ୍ଟିରୁ କ୍ଷମତାରେ ଥିବା କୌଣସି ରାଜନୈତିକ ଦଳ ସେମାନଙ୍କ ଦେହରେ ହାତ ମାରିବା ପାଇଁ ସାହସ କରିନାହାନ୍ତି । ବରଂ ବସ୍ତିବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ସାଂଗକୁ ସେମାନଙ୍କୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି ।
ଉଦବେଗର ବିଷୟ ଯେ, ଅନେକ ବସ୍ତି ସର୍ବସାଧାରଣ ରାସ୍ତା ଓ ପାର୍କ ପାଇଁ ଚିହ୍ନଟ ହୋଇଥିବା ଜମି ଉପରେ ଗଢି ଉଠିଛି । ଏହିସବୁ ସର୍ବସାଧାରଣ ସ୍ଥାନରୁ ଜବରଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ନୟାନ୍ତ ହେବାକୁ ପଡୁଛି । ଉଚ୍ଛେଦ କଲା ବେଳକୁ ବସ୍ତିବାସିନ୍ଦାମାନେ ଅଦାଲତର ଆଶ୍ରୟ ନେଉଛନ୍ତି । ମୋକଦ୍ଦମା  ଅଦାଲତରେ ବର୍ଷ ବର୍ଷ ଧରି ଗଡୁଛି । ବସ୍ତିରେ ଘର ତିଆରି କରି ଭଡା ଲଗାଉଥିବା ଦାଦାମାନଙ୍କର ରୋଜଗାର ବଢୁଛି । ଇତିମଧ୍ୟରେ ବସ୍ତିର କଳେବର ବୃଦ୍ଧି ପାଉଛି । କୋର୍ଟର ରହିତାଦେଶ ଉଠିବା ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ମନ୍ଥର ଗତିରେ ଆରମ୍ଭ ହେଉଛି । ଉଚ୍ଛେଦ ପ୍ରକ୍ରିୟାରେ ମଧ୍ୟ ଏକାଧିକ ସଂସ୍ଥା ଭାଗୀଦାର । ଭୁବନେଶ୍ୱର ମହାନଗର ନିଗମ,ଭୁବନେଶ୍ୱର ଉନ୍ନୟନ ସଂସ୍ଥା,ସାଧାରଣ ପ୍ରଶାସନ ବିଭାଗ ଏବଂ କମିଶନରେଟ୍ ପୋଲିସର ମିଳିତ ବୈଠକ ବସିଲେ ଉଚ୍ଛେଦ ତାରିଖ ଧାର୍ଯ୍ୟ ହୁଏ । ଏଥିପାଇଁ ପୋଲିସ ଫୋର୍ସ ନ ମିଳିଲେ ଉଚ୍ଛେଦ ତାରିଖ ଆହୁରି ବିଳମ୍ବିତ ହୁଏ । ଉଚ୍ଛେଦ ତାରିଖ ପ୍ରଘଟ  ହୋଇଗଲେ ବସ୍ତି ବାସିନ୍ଦାମାନେ ଏହାର  ପ୍ରତିରୋଧ ପାଇଁ ଏକଜୁଟ ହୋଇଥାନ୍ତି । ଉଚ୍ଛେଦ ପାଇଁ ଗଲାବେଳକୁ ବୁଲଡୋଜର ଆଗରେ ସେମାନେ ଶୋଇଯାଆନ୍ତି। ମହିଳାମାନେ ପନିକି,କାତିଧରି ପ୍ରତିରୋଧ  କରିବାକୁ ବାହାରି ଆସନ୍ତି । ଏହାକୁ ଗଣମାଧ୍ୟମରେ ଜୋର‌ସୋର ପ୍ରଚାର କରାଯାଏ । ଶେଷରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ବନ୍ଦ କରାଯାଏ ।
ଏହି ସମସ୍ୟାର ଏକମାତ୍ର ସମାଧାନ ହେଲା ବସ୍ତିବାସିନ୍ଦାମାନଙ୍କର ଉପଯୁକ୍ତ ଥଇଥାନ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତକୁ ନେଇଥିବା ବସ୍ତିବାସିନ୍ଦା ଥଇଥାନ କାର୍ଯ୍ୟକ୍ରମ ପ୍ରଣିଧା ଯୋଗ୍ୟ । ତେବେ ଏହି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ବ୍ୟୟବହୁଳ ଏବଂ ସମୟ ସାପେକ୍ଷ । ଏଥିପାଇଁ ଅର୍ଥ ଲଗାଣ ସଂସ୍ଥା, ଗୃହ ନିର୍ମାଣକାରୀ ଏବଂ ଅନ୍ୟାନ୍ୟ ଭାଗିଦାରୀ ସଂସ୍ଥା ଆନ୍ତରିକତାର ସହିତ ଓ ତ୍ୱରାନ୍ୱିତ ଭାବେ କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ ।
ସମ୍ବନ୍ଧିତ ଖବର