ଗଂଜାମ: ପିଉସୀଙ୍କ ଘରେ ଯୁକ୍ତ ୩ ଛାତ୍ରଙ୍କ ଆତ୍ମହତ୍ୟା

ଭଂଜନଗର: ଗଂଜାମ ଜିଲ୍ଲାର ଭଂଜନଗର ଥାନା ଅନ୍ତର୍ଗତ ଜାମୁଳାଇ ଗାଁରେ ସୋମବାର ରାତି ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ଭଂଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଂଜ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଦୈତାରୀ ସାହୁ ଅନ୍ୟ ଦିନ ଭଳି ସୋମବାର ରାତି ମଧ୍ୟ ପୀଉଷିଙ୍କ ଘରକୁ ଶୋଇବାକୁ ଆସିଥିଲେ। ଦୈତାରୀଙ୍କ ସାଙ୍ଗମାନେ କୁଆଡେ ଯିବାକୁ ଡାକି ଆସିଥିଲେ। ମାତ୍ର ବିଳମ୍ବିତ ପର୍ଯ୍ୟନ୍ତ ଦୈତାରୀ ଶୋଇଥିବା ଘର କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବାରୁ ସେମାନଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା।

ପୁଲିସ ଘଟଣାସ୍ଥଳରେ ପହଂଚି ଘର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ଘର ଭିତରେ ଦୈତାରୀଙ୍କ ମୃତଦେହ ପଡ଼ିଥିଲା। ମୃତଦେହ ଉଦ୍ଧାର ହେବା ପରେ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୁଲିସ କହିଛି ଦୈତାରୀଙ୍କ ପୀଉଷିଙ୍କ ପୁଅମାନେ ବାହାରେ ରୁହନ୍ତି। ସେଥିପାଇଁ ତୁରୁମ ଗାଁର ଅମର ସାହୁଙ୍କ ପୁଅ ଦୈତାରୀ ରାତିରେ ଶୋଇବାକୁ ଯାଇଥାଏ। ସୂଚନାଯୋଗ୍ୟ କିଛି ଦିନ ତଳେ ଅମର ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ କଟକର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର