ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଟୋକିଓ ଅଲିମ୍ପିକ୍ସରେ ସାମିଲ ହୋଇଥିବା ଖେଳାଳିଙ୍କୁ ଭେଟି ସେମାନଙ୍କ ସହିତ ଏକାଠି ବସି ଖାଇଛନ୍ତି। ଏହି ସମୟରେ ଟୋକିଓ ଅଲିମ୍ପିକ୍ସରୁ ସୁନା ଜିତି ଆସିଥିବା ନୀରଜ ଚୋପ୍ରାଙ୍କୁ ଚୁରମା ଖୁଆଇବା ସହିତ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କୁ ଆଇସ୍କ୍ରିମ ବି ଖୁଆଇଛନ୍ତି ମୋଦୀ।
ଟୋକିଓରୁ ନୀରଜ ଚୋପ୍ରା ଫେରିବା ପରେ ଖେଳମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରଜଙ୍କୁ ଚୁରମା ଖୁଆଇବେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ଯିବା ପୂର୍ବରୁ ସିନ୍ଧୁଙ୍କୁ କଥା ଦେଇଥିଲେ କି ଟୋକିଓରୁ ଫେରିବା ପରେ ସେ ତାଙ୍କ ସହିତ ମିଶି ଆଇସକ୍ରିମ ଖାଇବେ। ଖେଳାଳିଙ୍କୁ ଦେଇଥିବା ଏହି ଦୁଇଟି କଥାକୁ ଆଜି ମୋଦୀ ପୂରଣ କରିଛନ୍ତି।
ଅଲିମ୍ପିକ୍ସ ଖେଳାଳିଙ୍କୁ ସମ୍ମାନ ଦେବା ପାଇଁ ସୋମବାର ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ମୋଦୀ ସାମିଲ ହୋଇ ଖେଳାଳିଙ୍କ ସହିତ ଖାଇଥିଲେ। କେବଳ ଏତିକି ନୁହେଁ ଟୋକିଓରୁ ସୁନା ଜିତି ଆସିଥିବା ନୀରଜ ଚୋପ୍ରାଙ୍କ ସହିତ କଥା ବି ହୋଇଥିଲେ। ନୀରଜଙ୍କ ବ୍ୟତୀତ ମୋଦୀ ପିଭି ସିନ୍ଧୁ, ରବି ଦହିୟା, ଦୀପକ ପୁନିୟା ସମେତ ଅନ୍ୟ ଖେଳାଳିଙ୍କ ସହିତ ବି କଥା ହୋଇଥିଲେ, ଆଉ ଫଟୋ ବି ଉଠାଇଥିଲେ।
କେବଳ ଏତିକି ନୁହେଁ, ସ୍ବାଧୀନତା ଦିବସ ଅବସରରେ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ତାଳି ବଜାଇ ଅଲିମ୍ପିକ୍ସ ଖେଳାଳିଙ୍କୁ ସମ୍ମାନୀତ କରିଥିଲେ।