ଉତ୍ତର ପ୍ରଦେଶ ଓ ପଞ୍ଜାବରେ ଭୋଟ୍‌ ଆରମ୍ଭ; ବହୁସଂଖ୍ୟାରେ ମତଦାନ ପାଇଁ ଯୁବଭୋଟର୍‌ଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସକାଳୁ ପଞ୍ଜାବ ଓ ତୃତୀୟ ପର୍ଯ୍ୟାୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟ୍‌ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଯୁବ ଭୋଟର୍‌ମାନଙ୍କୁ ଅନୁରୋଧ କରିଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ପଞ୍ଜାବ ନିର୍ବାଚନ ଏବଂ ତୃତୀୟ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନ ଅନୁଷ୍ଠିତ ହେଉଛି। ଆଜି ଭୋଟ୍‌ ଦେବାକୁ ଥିବା ବ୍ୟକ୍ତିବିଶେଷଙ୍କୁ, ବିଶେଷକରି ଯୁବ ତଥା ପ୍ରଥମ ଥର ପାଇଁ ଭୋଟ୍‌ ଦେବାକୁ ଥିବା ତରୁଣମାନଙ୍କୁ ଅନୁରୋଧ ସେମାନେ ବହୁସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ।

ସୂଚନାଯୋଗ୍ୟ, ଆଜି ସକାଳ ୭ଟା ବେଳେ ତୃତୀୟ ପର୍ଯ୍ୟାୟ ଉତ୍ତର ପ୍ରଦେଶ ନିର୍ବାଚନରେ ୫୯ଟି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଚାଲିବ। ୧୬ଟି ଜିଲ୍ଲାରେ ହେଉଥିବା ଆଜିର ନିର୍ବାଚନରେ ୨.୧୫ କୋଟି ଜନତା ୬୨୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Image Courtesy of India Today

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ‘ବିଜେପି’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ପ୍ରସାଦ ନଡ୍ଡା ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସେହିପରି, ସକାଳ ୮ଟା ବେଳେ ପଞ୍ଜାବ ବିଧାନସଭାର ୧୧୭ଟି ଆସନ ନିମନ୍ତେ ଆଜି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଚାଲିବ। ଏଥିରେ ୨.୧୪ କୋଟିରୁ ଊର୍ଦ୍ଧ୍ବ ଭୋଟର୍‌ ୯୩ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧,୩୦୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମାର୍ଚ ୧୦ରେ ଭୋଟ୍‌ ଗଣନା ହେବ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ମଧ୍ୟ ଭୋଟର୍‌ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ, ପ୍ରଗତିଶୀଳ ପରିବର୍ତ୍ତନ ନିମନ୍ତେ ସେମାନଙ୍କର ମୂଲ୍ୟବାନ୍‌ ଭୋଟ୍‌ ପ୍ରଦାନ କରି ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚନ୍ନୀ ଖରାରସ୍ଥିତ ଗୁରଦ୍ବାର ଶ୍ରୀକତାଲଗଡ଼ ସାହିବ ଯାଇ ପ୍ରାର୍ଥନା କରିବା ପରେ କହିଥିଲେ, ଏହା ହେଉଛି ଦଳର ନେତୃତ୍ବ। ଆମେ ସବୁ‌ମତେ ଉଦ୍ୟମ କରିଛୁ, ତେଣିକି ଈଶ୍ବର ଓ ଜନସାଧାରଣଙ୍କ ଇଚ୍ଛା।

ସମ୍ବନ୍ଧିତ ଖବର