ତାଲାବନ୍ଦରେ ବାହାରକୁ ଆସିଥିଲେ: ‘ମୁଁ ଲୋକଙ୍କ ଶତ୍ରୁ’ ଲେଖା ଥିବା ପ୍ଲାକାର୍ଡ ଧରାଇ ଯୁବକଙ୍କୁ ଲଜ୍ଜିତ କଲେ,ତାଗିଦ କରି ଛାଡ଼ିଲେ ପୁଲିସ୍

ଭୁବନେଶ୍ୱର: ସ୍ଥାନୀୟ କମିଶନରେଟ ପୁଲିସର ଆଜି ବିନା ଗୁରୁତ୍ବପୂର୍ଣ୍ଣ କାମରେ ବାହାରକୁ ବାହାରି ଥିବା ଲୋକଙ୍କୁ ବୁଦ୍ଧି ଶିଖାଉଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିନାକାରଣରେ ବୁଲି କିଛି ଯୁବକ ଆଜି ଲଜ୍ଜିତ ହୋଇଛନ୍ତି । ସଂପୃକ୍ତ ଯୁବକମାନଙ୍କୁ ପୁଲିସ ବିଭିନ୍ନ କଟାକ୍ଷ ଥିବା ପ୍ଲାକାର୍ଡ ଧରାଇ ରାଜରାସ୍ତାରେ ବସାଇବା ସହ ହିନସ୍ତା କରିଛି ।

ସୂଚନା ଅନୁସାରେ ଜୟଦେବ ବିହାର ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ପୁଲିସ ଲାଠିଚାର୍ଜ କରିଛି । ବିଜୁପଟ୍ଟନାୟକ କଲେଜ ନିକଟସ୍ଥ ଭଗବତୀ ମନ୍ଦିର ସମ୍ମୁଖରେ ପୁଲିସ ଲାଠିଚାର୍ଜ କରିଥିବା ବେଳେ ୫ ଜଣ ଯୁବକଙ୍କୁ ବସ-ଉଠ କରିଥିଲା । ପୁଲିସ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖାଥିବା ପ୍ଲାକାର୍ଡ ଧରାଇ ଦେଇ ହିନସ୍ତା କରିଥିଲା । କାରଣ ଥିଲା ଯେ, ସଂପୃକ୍ତ ଯୁବକମାନେ ସମଗ୍ର ଦେଶ ସହିତ ଓଡ଼ିଶାରେ କରୋନା ଭାଇରସ ପାଇଁ ଲକଡାଉନ ଘୋଷଣା ଥିଲେ ମଧ୍ୟ ଅଯଥାରେ ବୁଲାବୁଲି କରୁଥିଲେ ।

ଉପରୋକ୍ତ ଫଟୋକୁ ଭଲ ଭାବରେ ଦେଖନ୍ତୁ । ମନ୍ଦିର ନିକଟରେ ଥିବା ଏକ ଦୋକାନର ମାଲିକ ରାସ୍ତାରେ ଧଳା ରଙ୍ଗରେ ଗୋଲ ଆଙ୍କିଛନ୍ତି । ଏହି ଗୋଲ ଚିତ୍ରଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନ ରହିଛି । ଏହି ଗୋଲଗୁଡ଼ିକ ଗ୍ରାହକମାନଙ୍କ ପାଇଁ । ଗ୍ରାହକମାନେ ଯେତେବେଳେ ଦୋକାନକୁ ଆସିବେ ପ୍ରଥମେ ଗୋଲ ଚିତ୍ର ଉପରେ ଛିଡ଼ା ହେବା  । ପ୍ରଥମେ ଆସିଥିବା ଗ୍ରାହକ ଦୋକାନ ସମ୍ମୁଖର ଗୋଲରେ ଛିଡ଼ା ହେବେ । ତା’ ପରେ ଆସିଥିବା ଗ୍ରାହକ ପ୍ରଥମ ବ୍ୟକ୍ତିଙ୍କ ପରେ ଛିଡ଼ା ହୋଇ ଦୋକାନରୁ ଜିନିଷପତ୍ର କିଣିବେ । ଏହିପରି ଭାବରେ ଦୋକାନରୁ ସମସ୍ତେ ଜିନିଷପତ୍ର ନେଇପାରିବେ ।

ସମ୍ବନ୍ଧିତ ଖବର