ରାଉରକେଲା: ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି ଦେବା ଆଳରେ ବେକାର ଯୁବକଯୁବତୀଙ୍କୁ ଠକିବା ଓ ବନ୍ଧକ ରଖୁଥିବା ଏକ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ବନ୍ଧମୁଣ୍ଡା ପୁଲିସ ଉଠାଇନେଇଛି। ଗୋଟିଏ ଘରେ ବନ୍ଧକ ଥିବା ପ୍ରାୟ ୩୦ରୁ ଅଧିକ ଯୁବକଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳର ଆଲର୍ବଟ କିଣ୍ଡୋ ଓ ତାଙ୍କ ସହଯୋଗୀ ରାଉରକେଲା ଏସ୍‌ପିଙ୍କୁ ସାକ୍ଷାତ କରିବାପରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଉଦ୍ଧାର ଯୁବକଯୁବତୀ ଛତିଶଗଡ, ଝାଡ଼ଖଣ୍ଡ ଓ ସୁନ୍ଦରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ବେକାର ଯୁବକଯୁବତୀଙ୍କଠାରୁ ଠକମାନେ ୯ରୁ ୧୨ ହଜାର ଟଙ୍କା ଅଗ୍ରିମ ନେଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଠକାମିର ଶିକାର ଯୁବକଯୁବତୀ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗ୍ୟାଙ୍ଗ୍‌ରେ କେତେ ଜଣ ଅଛନ୍ତି? ଚାକିରି ଦେବା ନାଁରେ କେତେ ଟଙ୍କା ଠକିଛନ୍ତି? ଏମାନଙ୍କ ଚେର କେତେବାଟ ଲମ୍ବିଛି? ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବନ୍ଧମୁଣ୍ଡା ପୁଲିସ ଟିମ୍‌ ଏସବୁର ଖୋଳତାଡ଼ ଆରମ୍ଭ କରିଛି। ଛତିଶଗଡ଼ ବସ୍ତର ଜିଲ୍ଲା ଅନ୍ତର୍ଗତ ଗୁଡ଼ିଆ ଗାଁର ସାହାଦେଇ ନାଗ(୧୯) ଓ ତାଙ୍କର କିଛି ସହଯୋଗୀଙ୍କୁ ଠକମାନେ ବିଭିନ୍ନ କମ୍ପାନିରେ ଚାକିରି କରାଇଦେବାକୁ କହି ସେମାନଙ୍କ ସମ୍ପର୍କୀୟଙ୍କ ଜରିଆରେ ରାଉରକେଲାକୁ ଡାକିଥିଲେ। ଚାକିରି ଅନୁଯାୟୀ ୯ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଦେବାକୁ କହିଥିଲେ। ଚାକିରି ଲୋଭରେ ସାହାଦେଇ ଓ ତାଙ୍କର ସହଯୋଗୀ ଗତ ଦୁଇମାସ ତଳେ ରାଉରକେଲାରେ ପହଞ୍ଚିଥିଲେ। ସମସ୍ତଙ୍କୁ ରାଉରକେଲା ଏନ୍‌ଆଇଟି ପଛପାର୍ଶ୍ବ ବରଟୋଲି ବସ୍ତିର କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଥିଲା। ପହଞ୍ଚିବା ପରେ ସମସ୍ତଙ୍କୁ ଠକମାନେ କାର୍ଯ୍ୟାଳୟ ନିକଟସ୍ଥ ଘରେ ରଖିଥିଲେ। ସମସ୍ତଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ୧୦ରୁ ୧୫ ଦିନ ସେଠାରେ ରହିବା ପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳର ୨/୩ ଜଣ ଲେଖାଏ ଯୁବକଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ରାଉରକେଲା ଆଣିବାକୁ କହାଯାଇଥିଲା। ଯେଉଁମାନେ ଆସୁଥିଲେ ତାଙ୍କଠୁ ମଧ୍ୟ ଟଙ୍କା ଆଦାୟ କରାଯାଉଥିଲା। ଚାକିରି ନ ମିଳିବାରୁ ସାହାଦେଇଙ୍କ ସମେତ ଅନ୍ୟ କିଛି ଯୁବତୀ ଦେଢ଼ମାସ ପରେ ଠକମାନଙ୍କୁ ଟଙ୍କା ଫେରାଇ ଦେବାକୁ କହିଥିଲେ। ଠକମାନେ ସେମାନଙ୍କ ଟଙ୍କା ଫେରାଇ ନଥିଲେ, ଓଲଟା ଧମକଚମକ ଦେଇଥିଲେ। ଶେଷରେ ସାହାଦେଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଆଲର୍ବଟ କିଣ୍ଡୋ ଓ ତାଙ୍କ ସହଯୋଗୀଙ୍କୁ ଭେଟି ସମସ୍ତ କଥା କହିଥିଲେ।

ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ଏଭଳି ଏକ ଠକଗ୍ୟାଙ୍ଗ୍‌କୁ ବୀରମିତ୍ରପୁର ପୁଲିସ କୁଆରମୁଣ୍ଡାରୁ ଗିରଫ କରିଥିଲା। ପ୍ରାୟ ୨୦ରୁ ଅଧିକ ଯୁବକଯୁବତୀଙ୍କୁ ଉଦ୍ଧାର କରିଥିଲା।