ରାସ୍ତାରୁ ବରକୁ ଉଠାଇ ନେଲା ପୁଲିସ୍, ଦୁଇ ବର୍ଷ ତଳର ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲେ ଯୁବକ

ଆଠଗଡ଼: ବାହା ହେବାକୁ ଯାଉଥିବା ବରକୁ ରାସ୍ତାରୁ ସାଦା ପୋଷାକଧାରୀ ପୁଲିସ୍ ଉଠାଇ ନେଇଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲାର ଆଠଗଡ଼ ଥାନା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁଙ୍କର ଆଠଗଡ଼ ଅଞ୍ଚଳର ସମସରପୁରର ଜଣେ ଯୁବତୀଙ୍କ ସହ ବାହାଘର ହେବାର ଥିଲା। ଆଜି ବର ବେଶରେ ବରଯାତ୍ରୀଙ୍କୁ ଧରି ପ୍ରକାଶ ଆଠଗଡ଼ ଆସୁଥିଲେ। ଆଠଗଡ଼ ସହରର ବୀରକିଶୋରପୁର ଶିବ ମନ୍ଦିରରେ ବିବାହ ନିମନ୍ତେ ସବୁ ଆୟୋଜନ ମଧ୍ୟ ସରିଥିଲା।


କିନ୍ତୁ ବରଗାଡ଼ି ମନ୍ଦିରରେ ପହଞ୍ଚିବାର ମାତ୍ର କିଛି ବାଟ ପୂର୍ବରୁ ସାପୁଆ ପୋଲ ଉପରୁ ବରକୁ ସାଦା ପୋଷାକଧାରୀ ୭ରୁ ୮ ପୁଲିସ୍‌ କର୍ମଚାରୀ ଏକ ବୋଲେରୋରେ ଆସି ତାଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ଆଜି ୧୨ଟା ସମୟରେ ଏହି ଘଟଣା ଘଟିଛି।
ପରେ ଅନୁସନ୍ଧାନର ଜଣାଯାଇଛି ଯେ ପ୍ରକାଶ ସ୍ବାଇଁଙ୍କ ମାମୁଁ ଲକ୍ଷ୍ମୀଧର ସ୍ବାଇଁ ଏବଂ ଇନ୍ଦ୍ରମଣି ସ୍ବାଇଁଙ୍କ ଭିତରେ ଜମିଜମା ବିବାଦ ଦେଖା ଦେଇଥିଲା। ଏନେଇ ଇନ୍ଦ୍ରମଣିଙ୍କ ହୋମଗାର୍ଡ ଜ୍ବାଇଁ ମହେନ୍ଦ୍ର ପ୍ରଧାନ ବାଙ୍କୀ ଥାନା ଅନ୍ତର୍ଗତ ସରଣ୍ଡା ଫାଣ୍ଡିରେ ଏତଲା ଦେବାକୁ ଯିବା ବେଳେ ତାଙ୍କ ଉପରେ ପ୍ରକାଶ ସ୍ବାଇଁ ଆକ୍ରମଣ କରିଥିଲେ। ଏହାଫଳରେ ମହେନ୍ଦ୍ର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣା ୨୦୧୮ ମସିହା ଫେବ୍ରୁଆରି ୮ ତାରିଖରେ ଘଟିଥିଲା।
ପୁଲିସ ସେହିଦିନରୁ ପ୍ରକାଶଙ୍କୁ ଖୋଜୁଥିଲା। ଆଜି ତାଙ୍କର ବାହାଘର ହେଉଥିବା ସୂଚନା ପାଇ ବାଙ୍କୀ ପୁଲିସ୍ ପ୍ରକାଶଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର