ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଗତକାଲି ସକାଳୁ ଚର୍ଚ୍ଚା ହୋଇଥିଲେ ଯେ ଜଣେ ଯୁବକଙ୍କୁ ହତ୍ୟା କରି ନଈରେ ଭସାଇ ଦେଇଛନ୍ତି କିମ୍ବା ଯୁବକଙ୍କୁ ଅପହରଣ କରିନେଇଛନ୍ତି। ଉକ୍ତ ଖବର ପ୍ରଚାରିତ ହେବା ପରେ ରାଇରଙ୍ଗପୁର ଟାଉନ ଥାନା ପୁଲିସ୍, ଦମକଳ ବାହିନୀ ଓ ବାରପଦାର ଡଗ୍ ସ୍କ୍ବାଡ୍ ଟିମ୍ ଉକ୍ତ ଘଟଣା ପାଇଁ ନାକେଦମ୍ ହୋଇଥିଲେ।

Advertisment

ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ନାଗଭଣ ଗ୍ରାମର ସହିଦ୍ ଆନୱାର୍ (୨୨) ରାଇରଙ୍ଗପୁର ସହରର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ତାସହିତ ପାର୍ଟ ଟାଇମ୍ ମଧ୍ୟ କରୁଥିଲେ। ସେ ପ୍ରତ୍ୟେକ ଦିନ କାମ ସାରି ରାତି ୧୧ଟା ପରେ ଘରକୁ ଯାଉଥିଲେ। ତେବେ ୧୯ ତାରିଖ ରାତିରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ବାରମ୍ବାର ଆନୱାରଙ୍କ ମୋବାଇଲ୍ କୁ କଲ୍ କରିଥିଲେ ମଧ୍ୟ ସୁଇଚ୍ ଅଫ୍ ଆସୁଥିଲା। ପରେ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ମିଶି ନାଗଭଣରୁ ରାଇରଙ୍ଗପୁରକୁ ଆସିବା ସମୟରେ ସହର ମଧ୍ୟ ଦେଇ ଯାଇଥିବା ଖଡଖାଇ ନଦୀ ପୋଲ ଉପରେ ତାଙ୍କ ବ୍ୟାଗ୍ , ଚପଲ୍ ଓ ଛିଣ୍ଡା ଟି ସାର୍ଟ ପାଇଥିଲେ। ଆନୱାର୍ ଙ୍କ ସାଇକେଲ୍ ମଧ୍ୟ ସେଠାରେ ନଥିଲା । ସେଥିରୁ ସନ୍ଦେହ ହୋଇଥିଲା ଯେ ତାଙ୍କୁ କେହି ହତ୍ୟା କରି ନଦୀରେ ଭସାଇ ଦେଇଛନ୍ତି । ଏଣୁ ତାଙ୍କୁ ରାତି ୨ ଘଟିକାରୁ ପୁଲିସ୍, ଦମକଳ ବାହିନୀଙ୍କ ସହିତ ମିଶି ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ। ଗତକାଲି ସକାଳୁ ମଧ୍ୟ ନଦୀ ଗର୍ଭ ଓ ନଦୀ ପାର୍ଶ୍ବରେ ଥିବା ଘଞ୍ଚ ବୁଦାରେ ମଧ୍ୟ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ନପାଇବାରୁ ବାରିପଦାର ଡଗ୍ ସ୍କ୍ୱାଡ୍ କୁ ଖବର ଦେବା ପରେ ପହଂଚି ଛାନଭିନ୍ ଆରମ୍ଭ କରିଥିଲେ ମଧ୍ୟ କୌଣସି ସୂଚନା ପାଇପାରିନଥିଲେ । କେବଳ ତାଙ୍କ ସାଇକେଲ୍ କୁ ପୋଲତଳୁ ଉଦ୍ଧାର କରିଥିଲେ। ଏପରିକି ସହରର ଅଧିକାଂଶ ସିସି ଟିଭିର ଫୁଟେଜ୍ ମଧ୍ୟ ଯାଂଚ କରିଥିଲେ। ତାସହିତ ଫୋନର ସିଡିଆର୍ ବାହାର କରିବା ପରେ ମଧ୍ୟ ସନ୍ଧାନ ମିଳିନଥିଲା। ଯାହାପଳରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ହଠାତ୍ ରାତ୍ରି ୮.୩୦ ମିନିଟ୍ ସମୟରେ ନିଖୋଜ ଯୁବକଙ୍କ ମାଆଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ ରିସିଭ୍ କରିବା ପରେ ସେ ଆନୱାର୍ କହୁଛି ଏବଂ ସେ ପଡୋଶୀ ଝାଡଖଣ୍ଡ ରାଜ୍ୟର ଟାଟା ନଗରରେ ଅଛି ଏବଂ ସୁରକ୍ଷିତ ଅଛି ବୋଲି ମାଆଙ୍କୁ ଜଣାଇଥିଲେ। ସେ ସକାଳ ସୁଦ୍ଧା ଘରେ ପହଞ୍ଚିବେ ବୋଲି ମାଆଙ୍କୁ କହିଥିଲେ। ତେବେ ପରବର୍ତ୍ତୀ ସମୟରରେ ଫୋନ୍ ଆସିଥିବା ନମ୍ବରକୁ ଫୋନ୍ କଲେ ମଧ୍ୟ କେହି ରିସିଭ୍ କରିନଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସେ ହଠାତ୍ ରାଇରଙ୍ଗପୁରରୁ କେମିତି ନିଖୋଜ୍ ହେଲେ ? ତାଙ୍କ ସାଇକେଲ୍ ପୋଲ ତଳକୁ କେମିତି ଗଲା, ତାଙ୍କ ବ୍ୟାଗ ଓ ଚପଲକୁ ପୋଲ ଉପରେ କିଏ ଫିଙ୍ଗିଲା ଏବଂ ତାଙ୍କ ଟି-ସାର୍ଟକୁ ଛିଡାଇ କିଏ ଫୋପାଡିଲା ? ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି।

 ତେବେ ଆନୱାର୍ ଘରକୁ ଫେରିବା ପରେ ସମସ୍ତ ସତ୍ୟ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି ଏବଂ ଏଯାଏ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି। ତେବେ ସେ ଜୀବିତ ଜାଣି ପରିବାର ଲୋକଙ୍କ ସମେତ ସର୍ମ୍ପକୀୟମାନେ ବହୁତ ଖୁସି ଥିବା କହିଛନ୍ତି।