କେନ୍ଦୁଝର ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣା: ନିଜ ଆଡ଼ୁ ମାମଲା ରୁଜୁ କଲା ପୁଲିସ

କେନ୍ଦୁଝର: କେନ୍ଦୁଝରର ଜଣେ ମହିଳାଙ୍କୁ କେତେକ ଯୁବକ ଉଲଗ୍ନ କରି ଭିଡିଓ ସୁଟିଂ କରିବା ଏବଂ ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ କରିବା ହଇଚଇ ସୃଷ୍ଟି କରିଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଏହି ଘଟଣାର ତୁରନ୍ତ ତଦନ୍ତ କରି ଅପରାଧୀଙ୍କୁ ଧରିବା ଲାଗି କେନ୍ଦୁଝର ପୁଲିସକୁ ନିର୍ଦେଶ ଦେଇଛନ୍ତି। ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ମାମଲା ରୁଜୁ ପରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଇଥିବା ଏସପି ରାଜେଶ ପଣ୍ଡିତ କହିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ କେନ୍ଦୁଝର ନିକଟବର୍ତ୍ତୀ କୌଣସି ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ କେତେକ ଯୁବକ ଧମକାଇ ଉଲଗ୍ନ କରିବାର ଦୃଶ୍ୟ ରହିଛି। ଭିଡିଓରେ ଏହି ମହିଳାଙ୍କୁ କେତେକ ଯୁବକ ତାଙ୍କ ପରିଚୟ ପଚାରୁଥିବା ବେଳେ ସଂପୃକ୍ତ ମହିଳା କେନ୍ଦୁଝର କଲେଜ ରୋଡ୍‌ରେ ରହୁଥିବା ପ୍ରକାଶ କରିଛନ୍ତି। ପରେ ଯୁବକମାନଙ୍କ ଧମକରେ ଭୟଭୀତ ହୋଇ ମହିଳା ଜଣକ ତାଙ୍କ ପୋଷାକ ଖୋଲିବା ବେଳେ ଏହାର ଭିଡିଓ ରେକର୍ଡିଂ କରାଯାଉଛି। ଏମିତିକି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରି ସଂପୃକ୍ତ ଯୁବକମାନେ ଉକ୍ତ ମହିଳାଙ୍କୁ ଟଣାଓଟରା କରୁଥିବା ଭିଡ଼ିଓରେ ରହିଛି। ମହିଳା ଜଣକ ହାତରେ ଏକ ପରିବା ବ୍ୟାଗ ଧରିଛନ୍ତି। ପରିବା କିଣି ଘରକୁ ଫେରିବା ବେଳେ ଏକାଧିକ ଯୁବକ ତାଙ୍କୁ ଅଟକାଇ ଏଭଳି ଆଚରଣ ପ୍ରଦର୍ଶନ କରିବା ସହିତ ତାଙ୍କର ଅଶ୍ଳୀଳ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଛାଡି ଦେଇଥିବା କୁହାଯାଉଛି।
ଏ ସଂପର୍କରେ କେନ୍ଦୁଝର ଏସପି ରାଜେଶ ପଣ୍ଡିତଙ୍କୁ ପଚାରିବାରୁ ସେ କହିଥିଷଳ ଯେ ଏହି ଘଟଣାରେ ଏକ ମାମଲା ପୁଲିସ ପକ୍ଷରୁ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ତେବେ ପ୍ରାଥମିକ ତଦନ୍ତରୁ ଘଟଣା ଦୁଇ ବର୍ଷ ତଳର ବୋଲି ଏସପି ଶ୍ରୀ ପଣ୍ଡିତ କହିଛନ୍ତି। ସେ ଯାହାବି ହେଉ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡିତ କହିଛନ୍ତି।
ପ୍ରକାଶଥାଉକି, ଗତ କିଛି ଦିନ ତଳେ ତେଲକୋଇରୁ ଜଣେ ଯୁବତୀ ତାଙ୍କ ସଂପର୍କୀୟଙ୍କ ସହିତ ସାନଘାଘରା ଜଳପ୍ରପାତ ବୁଲିବାକୁ ଆସିଥିବା ବେଳେ କେତେକ ଯୁବକ ତାଙ୍କୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ସେତେବେଳେ କେନ୍ଦୁଝରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସଦର ଥାନା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର