ବୈଶିଙ୍ଗା: ସୋମବାର ପୂର୍ବାହ୍ନରେ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥରେ ଏକ ଗଞ୍ଜେଇ ଭର୍ତ୍ତି ଘରୋଇ କାରକୁ ପିଛା କରି ମହିଷାଶୋଳ ଛକରେ କାବୁ କରିଥିଲା ବୈଶିଙ୍ଗା ପୁଲିସ l ହେଲେ କୌଶଳକ୍ରମେ କାରକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ କାର ଚାଳକ l
ସୂଚନା ଅନୁଯାୟୀ ଆଜି ପ୍ରାୟ ସକାଳ ୧୦ଟା ସମୟରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ବିଶେଷ ସୂତ୍ରରୁ ଖବର ପାଇଥିଲେ କି ଏକ ଧଳା ରଙ୍ଗର ସେଦାନ କାର ବାଲେଶ୍ୱର ପଟରୁ ବାରିପଦା ପଟକୁ ସନ୍ଦେହଜନକ ଗତିରେ ଆସୁଛି l ପରେ ପଦ୍ମନାଭପୁର ଟୋଲ ଗେଟ ନିକଟରେ ଏସଆଇ ଦେବାଶିଷ ମଣ୍ଡଳ, ଏସଆଇ ବୋଇତ ବେହେରାଙ୍କ ସମେତ କିଛି ପୁଲିସ କର୍ମଚାରୀଙ୍କୁ ସେ ବାଲେଶ୍ୱର ପଟରୁ ଆସୁଥିବା ସବୁ କାରକୁ ତନତନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ l
ହେଲେ କିଛି ସମୟ ପରେ ଗୋଟେ ଧଳା ରଙ୍ଗର ଟୟୋଟା ଏଟିଓସ କାର ବାଲେଶ୍ୱର ପଟରୁ ଦ୍ରୁତ ଗତିରେ ଆସୁଥିବାର ଦେଖି ତାକୁ ଅଟକାଇବା ବେଳେ କାରଟି ଟୋଲଗେଟ ପୂର୍ବରୁ ବାଟ ଭାଙ୍ଗି ପୁଣି ବାଲେଶ୍ୱର ପଟକୁ ଦ୍ରୁତ ଗତିରେ ଖସିଯାଉଥିବାର ଦେଖି ପୁଲିସ ଭ୍ୟାନ ତାର ପିଛା କରିଥିଲା l କିଛି ବାଟ ଉକ୍ତ କାରର ପିଛା କରିବା ପରେ କାରଟିର ଦୁଇଟି ଚକା ପମ୍ପଚର ହୋଇଯାଇଥିଲା l
ପରେ ଅନ୍ୟ ଉପାୟ ନପାଇ କାର ଚାଳକ ରାସ୍ତା ପାର୍ଶ୍ୱରେ କାର ଛିଡା କରି ସ୍ଥାନୀୟ ଜଙ୍ଗଲ ପଟେ ଦୌଡ଼ି ଥିଲା l ପୁଲିସ ଗୋଡ଼ାଇ ଥିଲେ ବି କାର ଚାଳକର ପତ୍ତା ପାଇନଥିଲେ l ହେଲେ ଘଟଣା ସ୍ଥଳରୁ ଓଡି୦୨ଜି-୧୧୧୯ ନଂ ବିଶିଷ୍ଟ କାରକୁ ଜବତ କରିଥିଲା ଓ କାର ଡ଼ିକି ଖୋଲିବାରୁ ଦେଖିବାକୁ ପାଇଥିଲା କି ଦୁଇଟି ଗଞ୍ଜେଇ ଭର୍ତ୍ତି ଅଖା ଅଛି l
ପରେ ବେତନଟୀ ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ ଓ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ଗଞ୍ଜେଇ ଅଖାଗୁଡିକୁ ଓଜନ କରି ଜବତ କରିଥିଲେ l ତେବେ ଗୋଟେ ଅଖାରୁ ୧୯କିଲୋ ଗଞ୍ଜେଇ ଥିବାବେଳେ ଅନ୍ୟ ଗୋଟିଏରୁ ୧୭କିଲୋ ଗଞ୍ଜେଇ ଜବତ କରିଥିଲା ପୁଲିସ l ପ୍ରାଥମିକ ତଦନ୍ତରୁ କାରଟି ନୟାଗଡ ଅଞ୍ଚଳର ନିରଞ୍ଜନ ରାଉତ ନାମରେ ପଞ୍ଜିକୃତ ଥିବାବେଳେ ଏନେଇ ବୈଶିଙ୍ଗା ଥାନାରେ ୩୨୮/୨୪ନଂ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶ୍ରୀପ୍ରଧାନ ପ୍ରକାଶ କରିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/7CLGN2K7ImIv5BRRCbVV.jpeg)