ବୁଥ୍‌ରେ ଟଳିପଡ଼ିଲେ ପୋଲିଂ କର୍ମଚାରୀ, ହସ୍‌ପିଟାଲରେ ମୃତ୍ୟୁ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ମତଦାନ ଜାରି ଥିବା ବେଳେ ଜଣେ ପୋଲିଂ କର୍ମଚାରୀ ବୁଥ୍‌ରେ ଟଳିପଡ଼ିଛନ୍ତି। ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପର୍ଜଙ୍ଗ ବିଧାନସଭା ଆସନର କଣ୍ଟାପାଳ ୪୧ ନମ୍ବର ବୁଥରେ ନବକିଶୋର ନାୟକ ଆକସ୍ମିକ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଭାବେ କାମାକ୍ଷାନଗର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନବକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଦୁଇ ଦିନ ତଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ କେନ୍ଦ୍ରକୁ ପହଂଚିବା ପୂର୍ବରୁ ରବିବାର ଜଣେ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ୍‌ ନଂ ୧୪୯କୁ ଡ୍ୟୁଟି ପାଇଁ ଯିବା ପୂର୍ବରୁ ଅଭୟ କୁମାର ସେଠୀଙ୍କର ମୃତ୍ୟୁ ହୋଇଥିଲା।

ଡେସ୍‌ପାଚ ରୁମରେ ଅଭୟ ଅଚାନକ ବେହୋସ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଭାବେ ଆନନ୍ଦପୁର ଉପଖଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ହସ୍‌ପିଟାଲରେ ଭର୍ତ୍ତି କରିବାର ଅଳ୍ପ ସମୟ ପରେ ଅଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଆବଶ୍ୟକ ପଡ଼ିଲେ ସମୟକୁ ବଢ଼ାଇ ଦିଆଯାଇପାରେ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧିତ ଖବର