ନୂଆଦିଲ୍ଲୀ (ନଇମ୍ ଅଖତାର): ଦିଲ୍ଲୀରେ ଲୋକସଭାର ସାତଟି ଆସନ ପାଇଁ ନିର୍ବାଚନ ମଇ ୧୨ରେ ହେବ। ମୁଖ୍ୟତଃ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟୀ (ଆପ୍) ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ରହିଛି। ଆସନ୍ତା କାଲି ନିର୍ବାଚନ ପ୍ରଚାର ସରିବ। ପ୍ରଚାର କାର୍ଯ୍ୟକ୍ରମରେ ତିନି ପ୍ରମୁଖ ଦଳଙ୍କ ଦ୍ବାରା ଓଡ଼ିଆ ଭୋଟରମାନଙ୍କ ସମର୍ଥନ ହାସଲ କରିବା ପାଇଁ ପ୍ରୟାସ ଜୋରସୋରରେ ଜାରି ରହିଛି। ରାଜଧାନୀ ଦିଲ୍ଲୀରେ ଶତାଧିକ ସଂଖ୍ୟାରେ ଓଡ଼ିଆମାନେ ବସବାସ କରୁଥିବା ବେଳେ ସେମାନଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ ଯଦିବା କୌଣସି ସଠିକ ତଥ୍ୟ ମିଳିପାରୁ ନାହିଁ କିନ୍ତୁ ଅନୁମାନ ଅନୁସାରେ ପାଖାପାଖି ୧୦ ଲକ୍ଷ ଓଡ଼ିଆ ଦିଲ୍ଲୀରେ ରହୁଛନ୍ତି। ଉତ୍ତର ପ୍ରଦେଶ, ବିହାର, ହରିୟାଣା, ରାଜସ୍ତାନ, ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଆମାନଙ୍କ ସଂଖ୍ୟା ଏଠାରେ କମ୍ ରହିଛି।
ଦିଲ୍ଲୀର ସମୁଦାୟ ୧,୪୩,୧୬,୪୫୩ ଭୋଟରମାନଙ୍କ ମଧ୍ୟରୁ ପାଖାପାଖି ୨୦ ହଜାର ଓଡ଼ିଆ ଭୋଟର ଥିବାର ଜଣାପଡ଼ିଛି। ବିଡ଼ମ୍ବନାର କଥା ହେଉଛି ଦିଲ୍ଲୀର କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଓଡ଼ିଆମାନେ ବସବାସ କରୁନାହାନ୍ତି। ଅପରପକ୍ଷରେ ଓଡ଼ିଆ ଭୋଟରମାନେ ବିଶେଷଭାବେ ହଉଜଖାସ, ମୁନିରିକା, ସାକେତ, ମାଲବ୍ୟନଗର, ଶାହପୁରଜାଟ୍, କଟଵାରିଆସରାଏ, ବେରସରାଏ, ଲାଡୁସରାଏ, ଜିଆସରାଏ, ଜେଏନୟୁ କ୍ୟାମ୍ପସ୍, ସଙ୍ଗମ ବିହାର, ପାଲମ ଆଦି ସ୍ଥାନରେ ରହିଥାନ୍ତି ଏବଂ ସେମାନଙ୍କର ନିର୍ବାଚନ ମଣ୍ଡଳୀ ଅନୁସାରେ ଭୋଟଦାନରେ ଭାଗ ନେଇଥାନ୍ତି।
/sambad/media/post_attachments/wp-content/uploads/2019/05/bjp-aap-cong.jpg)
ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଆ ଭୋଟରମାନେ ସେମାନଙ୍କର ଭୋଟଦାନ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏଥର ତିନୋଟି ପ୍ରମୁଖ ଦଳଙ୍କ ଦ୍ବାରା ପ୍ରତିଦ୍ବନ୍ଦିତା ଅତ୍ୟନ୍ତ ରୋଚକ ହେବାର ସମ୍ଭାବନା ଥିବାରୁ ଓଡ଼ିଆ ଭୋଟରମାନଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିବାର ଜଣାପଡ଼ିଛ। ଦିଲ୍ଲୀର ‘ମିନି ଓଡ଼ିଶା’ ରୂପେ ପରିଚିତ କଟଓ୍ୱାରିୟା ସରାଏରେ ବିଭିନ୍ନ ରାଜନୈତିକ ନେତାମାନେ ଜୋରସୋର ସେମାନଙ୍କର ପ୍ରଚାର ଅଭିଯାନ ଚଳାଇଛନ୍ତି। କଟଓ୍ୱାରିୟା ସରାଏରେ ଶତାଧିକ ସଂଖ୍ୟାରେ ଓଡ଼ିଆମାନେ ରହୁଥିବାରୁ ସେମାନଙ୍କର ଭୋଟ ହାତେଇବା ପାଇଁ ତିନି ରାଜାନୈତିକ ନେତାମାନଙ୍କର ପ୍ରୟାସ ଜାରି ରହିଛି। କେବଳ ଏତିକି ନୁହେଁ, ଦିଲ୍ଲୀର ଦୁଇ ପ୍ରମୁଖ ଜଗନ୍ନାଥ ମନ୍ଦିର (ହଉଜଖାସ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର)କୁ ତିନି ରାଜନୈତିକ ଦଳର ନେତାମାନେ ପରିଦର୍ଶନ କରି ଓଡ଼ିଆ ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ଭୋଟଦାନ ପାଇଁ ଅନୁରୋଧ କରୁଛନ୍ତି।
ସୂଚନାଯୋଗ୍ୟ ଦିଲ୍ଲୀର ଦୁଇ ପ୍ରମୁଖ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟେହ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ରହୁଥିବା ଓଡ଼ିଆମାନଙ୍କର ଜନ ସମାଗମ ହୋଇଥାଏ। ରଥଯାତ୍ରା ଏବଂ ଓଡ଼ିଆ ପର୍ବପର୍ବାଣିରେ ରାଜାନୈତିକ ଦଳର ନେତାମାନେ ମଧ୍ୟ ମୁଖ୍ୟ ଅତିଥତିଭାବେ ଯୋଗ ଦେଇଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ଏସବୁ ଦୃଷ୍ଟିରୁ ଓଡ଼ିଆ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ କୌଣସି ସୁଯୋଗଛଡ଼ା କରୁ ନାହାନ୍ତି। ଏତତ୍ ବ୍ୟତୀତ ରାଜନୈତିକ ନେତାମାନେ କେବଳ ପ୍ରତିଷ୍ଠିତ ମନ୍ଦିର ନୁହେଁ ଓଡ଼ିଆ ସାମାଜିକ ଓ ସାଂସ୍କୃତି ସଂଗଠନର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସେମାନଙ୍କର ନିର୍ବାଚନ ଏଜେଣ୍ଡା ତଥା ସମର୍ଥନ ହାସଲ କରିବାକୁ ନେଇ ଉଦ୍ୟମ କରୁଛନ୍ତି। ନିର୍ବାଚନରେ ଓଡ଼ିଆ ଭୋଟରମାନେ ଭୋଟଦାନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦିଲ୍ଲୀରେ ସେମାନଙ୍କ ସାମାଜିକ ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ପାଇଁ କିଭଳି ଉଚିତ୍ ବ୍ୟବସ୍ଥା ହେବ ସେ ନେଇ ଦୃଢ ପ୍ରତିଶ୍ରୁତି ଦଳ ମାନଙ୍କ ଠାରୁ ଲୋଡୁଛନ୍ତି ଓଡ଼ିଆ ଭୋଟରମାନେ। ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଆମାନଙ୍କ ପ୍ରତି ଦିଲ୍ଲୀରେ ସେଭଳି କିଛି କାର୍ଯ୍ୟ ହୋଇ ନାହିଁ ବୋଲି ଭୋଟ ଭିକ୍ଷା ପାଇଁ ଆସୁଥିବା ନେତାମାନ ନିକଟରେ ଅଭିଯୋଗ କରୁଛନ୍ତି।
/sambad/media/post_attachments/wp-content/uploads/2019/05/jagannath-templenew-delhi.jpg)
ଉଲ୍ଲେଖଯୋଗ୍ୟ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ସମୁଦାୟ ୧.୪୩ କୋଟି ଭୋଟର ଭାଗ ନେବେ। ଏଥିରୁ ମହିଳା ଭୋଟରମାନଙ୍କ ସଂଖ୍ୟା ୬୪,୪୨,୭୬୨ ଓ ପୁରୁଷ ଭୋଟରମାନଙ୍କ ସଂଖ୍ୟା ହେଉଛି ୧,୧୬,୭,୩୫୯ ଏବଂ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୬୬୯ ଜଣ। ୨୦୧୪ ସାଧାରଣ ନିର୍ବାଚନରେ ଭୋଟର ସଂଖ୍ୟା ୧,୨୭,୦୬,୩୬୬ ଥିଲା। ଏଥର ୧୬,୧୦,୦୮୭ ଭୋଟର ସଂଖ୍ୟା ବୃଦ୍ଧି ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିଲ୍ଲୀର ଯୁବ ବର୍ଗର ଭୋଟର ସଂଖ୍ୟ ହେଉଛି ୪୧,୯୬,୬୮୩ । ଏହି କାରଣରୁ ନିର୍ବାଚନ ପ୍ରଚାରରେ ସମସ୍ତ ଦଳ ଦ୍ବାରା ଯୁବବର୍ଗଙ୍କୁ ଅଧିକ ଫୋକସ୍ ଦିଆଯାଉଛି। ଏଥିରୁ ଓଡ଼ିଆ ଯୁବ ବର୍ଗ ଭୋଟର ମାନେ ମଧ୍ୟ ବାଦ ପଡ଼ି ନାହାନ୍ତି।