ରାଉରକେଲା: ବିକାଶ ନାଁରେ ସୁନ୍ଦରଗଡ଼ର ବିନାଶ ହେଉଛି। ଜିଲ୍ଲାରେ ଗଢ଼ି ଉଠିଛି ଶହଶହ ଛୋଟବଡ଼ କଳକାରଖାନା। ୮୦% କାରଖାନା ଆଞ୍ଚଳିକ ପ୍ରଦୂଷଣ ନିୟମ ପାଳନ କରୁନାହାନ୍ତି। ଜିଲ୍ଲାରେ ୫୬୫ରୁ ଅଧିକ ଛୋଟବଡ଼ ଶିଳ୍ପ କାରଖାନା, ପଥର ଖାଦାନ ପଞ୍ଜିକୃତ ହୋଇଛି। ଏଥିରୁ ୩୫୫ରୁ ଅଧିକ ଶିଳ୍ପ କାରଖାନା ଜିଲ୍ଲାକୁ ପ୍ରଦୂଷିତ କରୁଛନ୍ତି। କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ସହ ବିନା ଲାଇସେନ୍ସରେ ଚାଲିଥିବା ପଥରଖାଦାନ ସ୍ଥାନୀୟ ଅଞ୍ଚଳକୁ ଅଧିକ ପ୍ରଦୂଷିତ କରୁଛି। ୧୩୬ ଶିଳ୍ପ ଓ ପଥର ଖାଦାନ ଅତ୍ୟଧିକ ପ୍ରଦୂଷଣକାରୀ ବୋଲି ଚିହ୍ନଟ ହୋଇଛି। ଏଥି ମଧ୍ୟରେ ରହିଛି ଗ୍ୟାସ୍‌ କାରଖାନା, ଖଣି, ପଥର ଖାଦାନ, ଇଟାଭାଟି ଓ ରାଇସ୍‌ ମିଲ୍‌। କଳକାରଖାନାରୁ ନିଷ୍କାସିତ କେମିକାଲଯୁକ୍ତ ପାଣି ଯୋଗୁ ଏକରଏକର ଜମିର ଫସଳ ଉଜୁଡ଼ିଯାଉଛି। ସବୁଠୁ ବେଶି ପ୍ରଦୂଷିତ ହେଉଛି କଲୁଙ୍ଗା ଶିଳ୍ପାଞ୍ଚଳ।

Advertisment

ଏହାଛଡ଼ା ରାଜଗାଙ୍ଗପୁର ବ୍ଲକ୍‌ର କାଂଶବାହାଲ, କୋଇଡ଼ା ବ୍ଲକ୍‌ର ତୋଡ଼ା, ସାଇନବାହାଲ, ଲହୁଣିପଡ଼ା ବ୍ଲକର ସାନଟିକାୟତପାଲି, ଦର୍ଜିଂ, ଜମିରଡିହି, ଲାଠିକଟା ବ୍ଲକର ବଲଣ୍ଡା, ବିରକେରା, ଗର୍ଜନ, ଝରାବାହାଲ, ବିଶ୍ରାର କୁର୍ଡାବାହାଲ, ଜାମସେରା, ବହିବେର୍ଣ୍ଣା, ସୁନ୍ଦରଗଡ଼ ନିକଟବର୍ତ୍ତୀ ବିଭିନ୍ନ ବ୍ଲକ୍‌ର ଚନ୍ଦ୍ରପୁର, ରାଇଡିହି, ତରକେରା, କୋହ୍ଲାସାହି, ପେରୁଆଭାଡି ଆଦି ସ୍ଥାନରେ ପଥର ଖାଦାନଗୁଡ଼ିକ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ପଥର ଖାଦାନ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ନୀତି ନିୟମକୁ ଫୁ କରି ଉଡ଼ାଇ ଦେଉଛନ୍ତି। ନିକଟରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା ପ୍ରଦୂଷଣକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ଲାଠିକଟାସ୍ଥ ‌ଗୋଟିଧରା ପଥରଖାଦାନ ଅତ୍ୟଧିକ ପ୍ରଦୂଷଣ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବିଡ଼ମ୍ବନା ଯେ ନିୟମଭଙ୍ଗକାରୀ ପଥରଖାଦାନଗୁଡ଼ିକ ଉପରେ କୌଣସି ଅଙ୍କୁଶ ଲାଗୁନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା କିଛି ପଥର ଖାଦାନ ସ୍ଥାନୀୟ ତହସିଲ, ପ୍ରଦୂଷଣ ବିଭାଗର ବିନା ଅନୁମତିରେ ବର୍ଷବର୍ଷ ଧରି ସେମିତି ଚାଲିଛି। ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ପଥର ମାଫିଆଙ୍କ ମଧ୍ୟରେ ଭିତିରି ସମ୍ପର୍କ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଅଭିଯୋଗ ହେଉଛି। ସେପଟେ ରେଡ୍‌ କାଟାଗୋରିରେ ଆସୁଥିବା ଶିଳ୍ପ, ପଥର ଖାଦାନଗୁଡ଼ିକୁ ପ୍ରଦୂଷଣ ବିଭାଗ ବିଭାଗୀୟ ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି ବୋଲି ସଫେଇ ଦେଉଛନ୍ତି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଇଂ ଅନୁପ କୁମାର ମଲ୍ଲିକ କହିଛନ୍ତି, କୁଆରମୁଣ୍ଡା, କଲୁଙ୍ଗା ଶିଳ୍ପାଞ୍ଚଳରେ କିଛି କାରଖାନାକୁ ସିଲ୍‌ କରାଯାଇଛି। ରାଜଗାଙ୍ଗପୁରରେ ଟାୟାର କାରଖାନାକୁ ମଧ୍ୟ ବନ୍ଦ କରାଯାଇଛି। ଯେଉଁମାନେ ପ୍ରଦୂଷଣ ସୃଷ୍ଟି କରୁଛନ୍ତି, ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଉଛି। ସନ୍ତୋଷଜନକ ଉତ୍ତର ନମିଳିଲେ ସିଲ୍‌ କରି ଦିଆଯାଉଛି। ପଥର ଖାଦାନଗୁଡ଼ିକୁ ମଧ୍ୟ ତାଗିଦ କରାଯାଉଛି। ଯେଉଁମାନେ ନିୟମଭଙ୍ଗ କରୁଛନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯାଉଛି।