ଓଡ଼ିଶାକୁ ଓ ବିଜୁଙ୍କୁ ଖୁବ୍ ଭଲ ପାଉଥିଲେ ପ୍ରଣବ ଦା’

ଭୁବନେଶ୍ବର : ପୂର୍ବତନ ରାଷ୍ଟ୍ରପତି ତଥା ଭାରତୀୟ ରାଜନୀତିର ଭୀଷ୍ମ ପିତାମହ  ପ୍ରଣବ ମୁଖାର୍ଜ୍ଜୀ ଖୁବ ଭଲ ପାଉଥିଲେ ଓଡ଼ିଶାକୁ ଓ ଅଗ୍ରଜ ପ୍ରତିମ ବିଜୁ ପଟ୍ଟନାୟକଙ୍କୁ।  ପ୍ରବାଦ ପୁରୁଷ ବିଜୁଙ୍କ ଜୀବନୀ ଗ୍ରନ୍ଥ ‘ଟଲ୍ ମ୍ୟ‌ାନ’ର ଲୋକାର୍ପଣ ସମୟରେ ଏହା ସେ ପ୍ରକାଶ କରିଥିଲେ। ୨୦୧୮ ଜାନୁଆରିରେ ଭୁବନେଶ୍ବର ଆସିଥିଲେ ଦିବଂଗତ ପ୍ରଣବ ମୁଖାର୍ଜ୍ଜୀ। ‘ଟଲ୍ ମ୍ୟ‌ାନ’ ଲୋକାର୍ପଣ ଲାଗି ଆୟୋଜିତ  ବର୍ଣ୍ଣାଢ଼୍ୟ ସମାରୋହରେ ମୁଖ୍ୟ ଆକର୍ଷଣ ଥିଲେ ପୂର୍ବତନ ରାଷ୍ଟ୍ରପତି  ପ୍ରଣବ ମୁଖାର୍ଜ୍ଜୀ।

ଏହି ସମାରୋହରେ ସେ କହିଥିଲେ, ‘ମୋ ପରି ଜଣେ ‘ସର୍ଟ ମ୍ୟାନ୍‌’(କ୍ଷୁଦ୍ର ଲୋକ) ବିଜୁ ବାବୁଙ୍କ ପରି ‘ଟଲ୍‌ ମ୍ୟାନ୍‌’(ଡେଙ୍ଗା ଲୋକ)ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏକ ନିଆରା ଅନୁଭବ।’

ଏଥିସହ ସେ କହିଥିଲେ, ବିଜୁ ବାବୁ ବଡ଼ ସ୍ୱପ୍ନ ଦେଖୁଥିଲେ। ଆଉ ତାହାକୁ ପୂରଣ କରିବା ପାଇଁ ସାହସର ସହ ଆଗେଇ ଯାଉଥିଲେ। ଜାତୀୟ ରାଜନୀତିରେ ସବୁ ଦଳର ନେତାଙ୍କର
ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଥିଲା। ଯେତେବେଳେ କୌଣସି ଏକ ଜଟିଳ ଆନ୍ତର୍ଜାତିକ ପ୍ରସଙ୍ଗ ଆସେ, ସେତେବେଳେ ପରାମର୍ଶ ପାଇଁ ବିଜୁଙ୍କୁ ଦିଲ୍ଲୀ ଡାକରା ଆସେ। ଆନ୍ତର୍ଜାତିକ ସ୍ତରରେ ତାଙ୍କର ସ୍ୱତନ୍ତ୍ର ଖ୍ୟାତି ବି ରହିଛି।

ବିଜୁ ବାବୁଙ୍କ ସହ ନିଜ ଅନୁଭୂତି ବର୍ଣ୍ଣନା କରି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମୁଖାର୍ଜୀ କହିଥିଲେ, ରାଜନୈତିକ ଦୃଷ୍ଟିକୋଣରୁ ବିଜୁ ବାବୁ ଓ ମୁଁ ଭିନ୍ନ ଆଡ଼େ ଥିଲୁ। କିନ୍ତୁ ମାନସିକତା ଓ ଆଦର୍ଶରେ ଆମର ସମାନତା ରହିଥିଲା। ଦେଶର ବିକାଶ ପାଇଁ ଆମେ ବିଭିନ୍ନ ସମୟରେ ଏକାଠି କାମ କରିଛୁ। ୧୯୯୧ ମସିହାରେ ଦେଶର ଯୋଜନା କମିସନ୍‌ର ଉପାଧ୍ୟକ୍ଷ ଥିଲା ବେଳେ ବିଜୁ ବାବୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିଲେ। ସେହି ସମୟରେ ରାଜ୍ୟଗୁଡ଼ିକୁ କିପରି ଅନୁଦାନ ଦିଆଯିବ, ସେ ନେଇ ବିଜୁ ବାବୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ତାଙ୍କର ଲୋକପ୍ରିୟତା, ପ୍ରଶାସନିକ ଦକ୍ଷତା, ଅଭିଜ୍ଞତା ମୋ ଠାରୁ ବହୁ ଆଗରେ ଥିଲା। କିନ୍ତୁ ତାଙ୍କର ବିଶାଳ ହୃଦୟ ଥିବାରୁ ସେ ମୋତେ ବହୁତ ଶ୍ରଦ୍ଧା ଦେଇଥିଲେ। ଓଡ଼ିଶାରେ ନାଲ୍‌କୋ ପ୍ରତିଷ୍ଠା ଦିଗରେ ବିଜୁ ବାବୁଙ୍କ ଅବଦାନକୁ ଶ୍ରୀ ମୁଖାର୍ଜୀ ମନେ ପକାଇଥିଲେ।

ଆଜି ପ୍ରଣବ ମୁଖାର୍ଜ୍ଜୀଙ୍କ ବିୟୋଗରେ ତାଙ୍କର କଥା ସବୁ ମନେପଡ଼ିଯାଉଛି। ସେ କେବଳ ବିଜୁଙ୍କୁ ନୁହେଁ, ଓଡ଼ିଶାକୁ ବି ଭଲ ପାଉଥିଲେ। ଓଡ଼ିଶାର କଳା-ସଂସ୍କୃତିକୁ ସେ ଖୁବ୍ ପସନ୍ଦ କରୁଥିଲେ। ଓଡ଼ିଶା ଗସ୍ତରେ ଆସୁଥିବା ସମୟରେ ସେ ପ୍ରାୟତଃ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିଲେ। ମହାବାତ୍ୟା ପରେ ପ୍ରଣବ ମୁଖାର୍ଜ୍ଜୀ ଓଡ଼ିଶାର ପ୍ରଭାବିତ ଅଂଚଳରେ ବେଶ କିଛି ଦିନ ରହି ବାତ୍ୟା ପ୍ରଭାବିତଙ୍କ ଲାଗି କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର