ଭୁବନେଶ୍ୱର: ତାରା ବାହିନୀପତିଙ୍କ ଉପରେ ନିଲମ୍ବନ ହଟାଇବାକୁ ବାଚସ୍ପତିଙ୍କୁ ନିବେଦନ କଲେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ | ଗତକାଲିର ଘଟଣାକୁ ନେଇ ପ୍ରସନ୍ନ କହିଛନ୍ତି ଯେ ଗତକାଲି ଅପ୍ରତ୍ୟାଶିତ ଘଟଣାରେ ଆମେ ସମସ୍ତେ ଉତ୍ତରଦାୟୀ | ଆଗରୁ ଏଭଳି ଘଟଣା କେବେ ଘଟି ନଥିଲା | ଆମେ ଜନସାଧାରଣ ଭାବେ ଉତ୍ତରଦାୟୀ ଏବଂ ସମ୍ବିଧାନ ପ୍ରତି ମଧ୍ୟ ଉତ୍ତରଦାୟୀ |
ଆଗାମୀ ଦିନରେ ସୁଚାରୁରୂପେ ନ୍ୟାୟପୁର୍ଣ ଭାବେ ଗୃହ ପରିଚାଳନା କରିବା ଆପଣଙ୍କ ଦାୟିତ୍ୱ ଏବଂ ଆମର ମଧ୍ୟ ଦାୟିତ୍ୱ | ଆମେ ସମସ୍ତେ ଲଜ୍ଜିତ | କଂଗ୍ରେସ ସଦସ୍ୟ ବର୍ତ୍ତମାନ ବାହାରେ ବସିଛନ୍ତି | ତେଣୁ ଗୃହ ଏବେ ଅସମ୍ପୂର୍ଣ | ଏଣୁ ନିବେଦନ କରୁଛୁ, କଂଗ୍ରେସ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟାଯାଉ | କଂଗ୍ରେସ ସଦସ୍ୟମାନଙ୍କୁ ଗୃହକୁ ଫେରାଇ ଅଣାଯାଉ |
ଏହା ନ ହେଲେ ଗୃହ ପରିପୂର୍ଣ୍ଣ ଦେଖାଯିବ ନାହିଁ | ନଚେତ ରାଜ୍ୟବାସୀ କ୍ଷମା ଦେବେ ନାହିଁ କିମ୍ବା ସମ୍ବିଧାନ କ୍ଷମା ଦେବ ନାହିଁ | ଏଥିପାଇଁ ସମସ୍ତ ରାଜ୍ୟବାସୀ ବିସ୍ମିତ, ସମସ୍ତଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଉଛି | ଏହା ପରେ ସରକାରୀ ମୁଖ୍ୟ ସଚେତକ ଓ ଉପ ମୁଖ୍ୟସଚେତକଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ଯେ କଂଗ୍ରେସ ବିଧାୟକଙ୍କୁ ବୁଝାଇ ଗୃହକୁ ଆଣନ୍ତୁ |