ଉମରକୋଟ: ସ୍ୱାମୀ ମୋର ଆସିବେ, ସେ ମତେ ଧୋକା ଦେବେ ନାହିଁ, ଘଣ୍ଟାଏ କଣ ସିଏ ନ ଆସିବା ଯାଏଁ ଯିବି ନାହିଁ | ମନରେ ନିଜ ସ୍ୱାମୀଙ୍କ ପ୍ରତି ଥିବା ବିଶ୍ୱାସ ପାଇଁ ୩୬ ଘଣ୍ଟା ହେଲା ବସଷ୍ଟାଣ୍ଡରେ ବସିରହିଛନ୍ତି ଜଣେ ମହିଳା | ପେଟରେ ବଢୁଛି ୭ ମାସର ଶିଶୁ | ନବରଙ୍ଗପୁର ଜିଲ୍ଲାର ଉମରକୋଟ ନୂଆ ବସଷ୍ଟାଣ୍ଡଠାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗର୍ଭବତୀ ମହିଳାଙ୍କ ନା ହେଲା ରଚନା(ଛଦ୍ମନାମ) | ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି | ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିବା ଏହି ମହିଳା ଜଣଙ୍କ ସ୍ପଷ୍ଟ ଭାବରେ କିଛି କଥା ହେଇ ପାରୁନାହାଁନ୍ତି। ଏହି ମହିଳା ଓ ତାଙ୍କ ସ୍ବାମୀ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ।

Advertisment

ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କରୁ ଶାରିରୀକ ସମ୍ପର୍କ ଗଢିଉଠି ଥିଲା ଓ ବର୍ତ୍ତମାନ ସେ ୭ ମାସର ଗର୍ଭବତୀ ଅଛନ୍ତି। ତେବେ ସ୍ବାମୀ ଓ ରଚନା ଗତକାଲି ସକାଳେ ହାଇଦରାବାଦ ବସରେ ଆସି ଉମରକୋଟ ନୂଆ ବସଷ୍ଟାଣ୍ଡଠାରେ ଓହ୍ଲାଇ ଥିଲେ। ପରେ ସ୍ବାମୀ ରଚନାଙ୍କୁ ବସାଇ ମୁଁ ଯାଇକି ସାଙ୍ଗେ ସାଙ୍ଗେ ଆସୁଛି କହି ଆଉ ଫେରି ନ ଥିଲେ। ରଚନାଙ୍କ ପାଖେ ନା ଅଛି ମୋବାଇଲ ନ। ଅଛି ଟଙ୍କା। କାଲି ଦିନ ଓ ରାତି ତମାମ ନୂଆ ବସଷ୍ଟାଣ୍ଡରେ ହିଁ ବିତାଇ ଥିଲେ ରଚନା। ତେବେ ଖବର ପାଇଁ ଆଜି ଶୋଭା ଏନଜିଓର ଜିଲ୍ଲା ସଂଯୋଜିକା ଉମା ସତନାମି ଓ ନବରଙ୍ଗପୁର ସଖୀ ୱାନ ଷ୍ଟପ କେନ୍ଦ୍ରର ଜସ୍ମିନ ସିଂ ଘଟଣା ସ୍ଥଳରେ ପହଞ୍ଚି ନବରଙ୍ଗପୁର ନେବା ପାଇଁ ବହୁତ ଅନୁରୋଧ କରିବା ସତ୍ତ୍ୱେ ରାଜି ହୋଇ ନ ଥିଲେ।

 ମୋ ସ୍ବାମୀ ମୋତେ ମନେ ପକାଇ ଆସିବେ ଓ ମୁ ନବରଙ୍ଗପୁର ପଳାଇଲେ ମୋତେ ସେ ଏଠି ଖୋଜିକି ପାଇବ ନାହି ତେଣୁ ମୁଁ ଯିବି ନାହିଁ ବୋଲି କହି ଉମରକୋଟ ନୂଆ ବସଷ୍ଟାଣ୍ଡଠାରେ ସ୍ବାମୀଙ୍କୁ ଅପେକ୍ଷା କରି ବସିଥିଲେ ରଚନା | ଯେତେ ଲୋକ କେତେ ବୁଝାଇଲେ ମଧ୍ୟ ରଚନା ସେଠାରୁ ଘୁଞ୍ଚିବା ପାଇଁ ରାଜି ହୋଇନଥିଲେ। ତେବେ ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଚନାକୁ ଦୀର୍ଘ ସମୟ ଧରି ବୁଝେଇବା ପରେ ଆଜି ସନ୍ଧ୍ୟାରେ ଶୋଭା ଓ ସଖୀ ୱାନ ଷ୍ଟପ କେନ୍ଦ୍ରର କର୍ମକର୍ତାମାନେ ଅମିତାକୁ ନେଇ ନବରଙ୍ଗପୁର ସଖୀ ୱାନ ଷ୍ଟପ କେନ୍ଦ୍ରକୁ ନେଇ ଯାଇଛନ୍ତି।