ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସୋମବାର ଓଡ଼ିଶାର ୧,୮୬,୪୫୫ ଜଣ ଦିବ୍ୟାଙ୍ଗ ମତଦାତା ଭୋଟ ଦେବେ। ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ୯୫,୦୦,୬୩୫ ମତଦାତା ଅଛନ୍ତି। ଏଥିରେ ପୁରୁଷ ମତଦାତା ୪୯,୦୧,୦୭୯, ମହିଳା ମତଦାତା ୪୫,୯୮,୯୭୯ ଓ ତୃତୀୟ ଲିଙ୍ଗ ମତଦାତା ୫୪୫ ଜଣ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଏହି ପର୍ଯ୍ୟାୟରେ ୮ଟି ଜିଲ୍ଲାର ୬ ଲୋକସଭା ଓ ୪୧ଟି ବିଧାନିଭା ଆସନରେ ମତଦାନ ହେବ। ଲୋକସଭାରେ ୫୨ ଜଣ ଓ ବିଧାନସଭାରେ ୩୩୬ ଜଣ ପ୍ରାର୍ଥୀ ଅଛନ୍ତି। ଏଥିପାଇଁ ୯୦୭୦ ଅଂଚଳରେ ୧୦,୭୯୨ ବୁଥ୍ରେ ମତଦାନ ହେବ।
ସିଇଓ କହିଛନ୍ତି, ୩୦୯୨ ପୋଲିଂ ବୁଥ ସମ୍ବୋଦନଶୀଳ ଅଟେ। ୧୧୨୬ଟି କେନ୍ଦରେ ୱେବ କାଷ୍ଟିଙ୍ଗ ହେବ। ୫୫୪ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଂଜାଯାଇଛି। ସେହିପରି ୫୯୫ ମତଦାନ କେନ୍ଦ୍ର ମାଇକ୍ରୋ ଅବଜରଭର ରହିବ। ସେହିଭଳି ୧୦୫ଟି ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯାଉଥିବା ବେଳେ ୪ଟି କେନ୍ଦ୍ରକୁ ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୨,୩୬୩ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ ଦିଆଯିବ ବୋଲି ସିଇଓ କହିଛନ୍ତି। କେନ୍ଦ୍ରାପଡ଼ାରେ ବହୁ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ରହିବେ। ମତଦାନ କେନ୍ଦ୍ର ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ। ରାଜନୈତିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯିବ। ଭୋଟର ନଥିବା ଲୋକଙ୍କୁ ଆଜି ସୁଦ୍ଧା ଅଂଚଳ ଛାଡ଼ିବାକୁ ପଡ଼ିବ।