ରାଉରକେଲା: ଆସନ୍ତା ୧୫ରେ ରାଉରକେଲା-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦ୍‌ଘାଟନୀ ଯାତ୍ରା କରିବ। ଆଭାସୀ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର  ଶୁଭାରମ୍ଭ କରିବେ। ରାଉରକେଲା ଷ୍ଟେସନରେ ଉପସ୍ଥିତ ରହିବେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ।

Advertisment

ଆସନ୍ତା ୧୮ରୁ ଏହା ରାଉରକେଲା-ହାଓଡ଼ା ମଧ୍ୟରେ ନିୟମିତ ଚଳାଚଳ କରିବ। ଏହା ସପ୍ତାହର ମଙ୍ଗଳବାର ବ୍ୟତୀତ ଅନ୍ୟ ୬ ଦିନ ଚାଲିବ। ଟ୍ରେନ୍‌ଟି ରାଉରକେଲା ଷ୍ଟେସନରୁ ଦିନ ୧ଟା ୪୦ ମିନିଟ୍‌ରେ ଛାଡ଼ି ୩ଟା ୧୫ ମିନିଟ୍‌ରେ ଚକ୍ରଧରପୁର, ୪ଟା ୫ରେ ଟାଟାନଗର, ସଂଧ୍ୟା ୫ଟା ୫୮ ମିନିଟ୍‌ରେ ଖଡ଼ଗପୁର ଓ ରାତି ୭ଟା ୪୦ ମିନିଟ୍‌ରେ ହାଓଡ଼ାରେ ପହଞ୍ଚିବ। ସେହିପରି ସକାଳ ୬ଟାରେ ହାଓଡ଼ା ଷ୍ଟେସନ ଛାଡ଼ି ଦିନ ୧୧ଟା ୫୦ ମିନିଟ୍‌ରେ ରାଉରକେଲାରେ ପହଞ୍ଚିବ। ସକାଳ ୬ଟାରେ ହାଓଡ଼ାରୁ ବାହାରି ୭ଟା ୩୦ ମିନିଟ୍‌ରେ ଖଡ଼ଗପୁର, ୯ଟା ୧୫ ମିନିଟ୍‌ରେ ଟାଟାନଗର, ୧୦ଟା ୮ ମିନିଟ୍‌ରେ ଚକ୍ରଧରପୁରରେ ପହଞ୍ଚିବ।  ହାୱଡା-ରାଉରକେଲା ମଧ୍ୟରେ ଦୂରତା ୪୧୩ କିମି ଅତିକ୍ରମ କରିବାକୁ ଟ୍ରେନ୍‌କୁ ମୋଟ ୫ଘଣ୍ଟା ୫୦ ମିନିଟ୍‌ ସମୟ ଲାଗିବ। ମୋଟ ୫ଟି ଷ୍ଟେସନ ଯଥା ହାଓଡ଼ା, ଖଡ଼ଗପୁର, ଟାଟାନଗର, ଚକ୍ରଧରପୁର ଓ ରାଉରକେଲାରେ ଏହାର ରହଣି ହେବ। ଟ୍ରେନ୍‌ରେ‌ ମୋଟ ୮ଟି କୋଚ୍‌ ରହିଛି। ଏହା ଘଣ୍ଟା ପ୍ରତି ହାରାହାରି ୬୮.୮୩ ବେଗରେ ଦୌଡ଼ିବ। ଏହି ଟ୍ରେନ୍ ଦ୍ବାରା ସୁନ୍ଦରଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଯାତ୍ରୀଙ୍କ ସହ ବ୍ୟବସାୟୀମାନେ ବେଶ୍‌ ଉପକୃତ ହେବେ।

 ସୂଚନାଯୋଗ୍ୟ, ଗତ ୨୦୨୩ ସେପ୍ଟେମ୍ବର ୨୪ରେ ପୁରୀ-ରାଉରକେଲା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ  କରିଥିଲା। ଏହି ଟ୍ରେନ୍‌ ସପ୍ତାହର ଶନିବାର ବ୍ୟତୀତ ଅନ୍ୟ ୬ ଦିନ ଚଳାଚଳ କରୁଛି। ପୁରୀରୁ ସକାଳ ୫ଟାରେ ବାହାରି ରାଉରକେଲାରେ ଅପରାହ୍ନ ସାଢ଼େ ୧୨ଟାରେ ପହଞ୍ଚୁଛି। ରାଉରକେଲାରୁ ଅପରାହ୍‌ଣ ୨ଟା ୧୦ ମିନିଟ୍‌ରେ ବାହାରି ପୁରୀରେ ରାତି ୯ଟା ୪୦ ମିନିଟ୍‌ରେ ପହଞ୍ଚୁଛି। ବହୁଦିନର ଦାବି ପରେ ବହୁ ପ୍ରତୀକ୍ଷିତ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାଓଡ଼ା-ରାଉରକେଲା ମଧ୍ୟରେ ଚାଲିବାକୁ ଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି